
ପିପିଲି(ଦ୍ୱିତୀକୃଷ୍ଣ ପଟ୍ଟନାୟକ):ପୁରୀ ଜିଲ୍ଲା ପିପିଲିରେ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାର୍ଡ଼ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ଜଣେ ମାଜିଷ୍ଟ୍ରେଟ୍ ଓ ଜଣେ ପୋଲିସ୍ ASIଙ୍କ ସମେତ ଅନ୍ୟ କେତେ ଜଣ ଗୁରୁତର ହୋଇଛନ୍ତି। ଗତକାଲି ରାତିରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ହୁଙ୍କେଇପୁରସ୍ଥିତ ଫାର୍ମ ହାଉସ୍ରେ ମଦ ଓ ଟଙ୍କା ବଣ୍ଟାଯାଉଥିବା ଖବର ପାଇ ମାଜିଷ୍ଟ୍ରେଟ୍ ରବି ନାରାୟଣ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ସେଠାକୁ ଚଢାଉ କରିବାକୁ ଯାଇଥିଲା । ସେହି ସମୟରେ ନିଜେ ପ୍ରଦୀପ ମହାରଥୀ, ଫାର୍ମ ହାଉସ୍ ଭିତରେ ପଶି ଟିମ୍ ସଦସ୍ୟମାନଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିବା ରବି ନାରାୟଣ ଅଭିଯୋଗ କରିଛନ୍ତି ।
ଏଥିରେ ସେ ନିଜେ ଆହତ ହେବା ସହ ASI ବିନୟ କୁମାର ଦାସ ଓ ତାଙ୍କ ଡ୍ରାଇଭର ଦୀପକ ଆହତ ହୋଇଥିବା କହିଛନ୍ତି । ସେହିପରି ଫ୍ଲାଇଂ ସ୍କ୍ୱାର୍ଡ଼ କ୍ୟାମେରାମ୍ୟାନଙ୍କୁ ମଧ୍ୟ ଆକ୍ରମଣ ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ କ୍ୟାମେରା ଭାଙ୍ଗିଦେଇଥିବା ସୂଚନା ମିଳିଛି।
ଆହତ ମାଜିଷ୍ଟ୍ରେଟ୍ଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ପୁରୀ ଏସ୍ପି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ମାଜିଷ୍ଟ୍ରେଟ୍ ଓ ପୋଲିସ୍ ଉପରେ ହୋଇଥିବା ଆକ୍ରମଣର ତଦନ୍ତ ଚାଲିଥିବା ସେ କହିଛନ୍ତି।
ମାଜିଷ୍ଟ୍ରେଟଙ୍କ ଆକ୍ରମଣ ଘଟଣାରେ ପୁରୀ ଏସ୍ପି ଉମାଶଙ୍କର ଦାସ କହିଛନ୍ତି,“ ନିର୍ବାଚନ ପରିଚାଳନାରେ ବାଧା ସୃଷ୍ଟି ଉଦ୍ୟମ ହୋଇଛି। କିଛି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି, ଘଟଣାର ତଦନ୍ତ କରାଯାଉଛି। ”
ଆହତ ମାଜିଷ୍ଟ୍ରେଟ୍ ରବି ନାରାୟଣ ପାତ୍ର କହିଛନ୍ତି,“ ଆଇଆଇସିଙ୍କ ନିର୍ଦ୍ଦେଶରେ ପ୍ରଦୀପ ମହାରଥୀଙ୍କ ଫାର୍ମ ହାଉସ୍ ପାଖକୁ ଯାଇଥିଲୁ। ସେଠାରେ ମଦ ଓ ଟଙ୍କା ବଣ୍ଟା ହେଉଥିବା ସୂଚନା ଥିଲା। ପହଞ୍ଚୁ ପହଞ୍ଚୁ ମୁଁ ଓ ମୋର SST ଟିମକୁ ଦୁର୍ବୃତ୍ତମାନେ ଫାର୍ମ ହାଉସ ଭିତରେ ପିଟିଥିଲେ। ଦୁର୍ବୃତ୍ତମାନଙ୍କ ଆକ୍ରମଣରେ ASI ବିନୟ କୁମାର ଦାସ ଆହତ ହୋଇଛନ୍ତି। ମୋର ଡ୍ରାଇଭର ଦୀପକ ମଧ୍ୟ ଆହତ ହୋଇଛନ୍ତି। ମଦ ଓ ଟଙ୍କା ବଣ୍ଟା ରୋକିବାକୁ ଯାଇ ଏହି ଅବସ୍ଥା ହୋଇଛି।” ତେବେ ଏ ସଂପର୍କରେ ମହାରଥୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
from Odisha Reporter http://bit.ly/2GvBOAH
No comments:
Post a Comment