
ଭୋପାଲ୍: ମାଲେଗାଓଁ ବିସ୍ଫୋରଣର ଅଭିଯୁକ୍ତ ତଥା ବିଜେପିର ଭୋପାଲ ଲୋକସଭା ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ମୁମ୍ବାଇ ୨୬/୧୧ ଆତଙ୍କବାଦୀ ହମ୍ଲାରେ ଦେଶ ପାଇଁ ବଳିଦାନ ଦେଇଥିବା ଆଇପିଏସ୍ ହେମନ୍ତ କରକରେଙ୍କୁ ଆଜି ସର୍ବସମ୍ମୁଖରେ ଅପମାନିତ କରିଛନ୍ତି। ହେମନ୍ତ ଦେଶ ପାଇଁ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଥିବା ବେଳେ ସାଧ୍ୱୀ ତାଙ୍କ ବଳିଦାନକୁ କୁକର୍ମର ଫଳ ବୋଲି କହିଛନ୍ତି।
ଭୋପାଲରୁ ପ୍ରାର୍ଥୀ ହୋଇଥିବା ସାଧ୍ୱୀ ଆଜି ଦଳୀୟ କର୍ମୀଙ୍କୁ ଉଦ୍ବୋଧନ ଦେଇ ସହାନୁଭୁତି ପାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସେ କହିଥିଲେ, “ମୋତେ ହେମନ୍ତ ବେଆଇନ୍ ଭାବେ ଗିରଫ କରିବା ସହ ଫସାଇବାକୁ ଚେଷ୍ଟା କରିଥିଲେ। ମୁଁ ହେମନ୍ତଙ୍କୁ ଅଭିଶାପ ଦେଇଥିଲି। ତାଙ୍କର ସର୍ବନାଶ ହେବ। ଏହି ଅଭିଶାପର ଦୁଇ ମାସ ମଧ୍ୟରେ ହେମନ୍ତ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଲେ।”
ହେମନ୍ତ ୨୦୦୮ ମାଲେଗାଓଁ ବିସ୍ଫୋରଣର ତଦନ୍ତ କରୁଥିଲେ। ସେ ମହାରାଷ୍ଟ୍ର ଆତଙ୍କବାଦୀ ନିରୋଧ ସ୍କ୍ୱାଡ୍ର ମୁଖ୍ୟ ରହିଥିଲେ। ଏହି ସମୟରେ ସେ ସାଧ୍ୱୀ ପ୍ରଜ୍ଞାଙ୍କୁ ଗିରଫ କରିଥିଲେ। ଏହି ଗିରଫଦାରୀ ହେମନ୍ତ ବେଆଇନ୍ ଭାବେ କରିଥିବା ସାଧ୍ୱୀ ଅଭିଯୋଗ କରିଛନ୍ତି।
ସାଧ୍ୱୀ କହିଛନ୍ତି, “ମାଲେଗାଓଁ ବିସ୍ଫୋରଣର ତଦନ୍ତ କରୁଥିବା ଅଫିସରମାନେ ହେମନ୍ତଙ୍କୁ ଡାକିବା ସହ ଯଦି ସାଧ୍ୱୀଙ୍କ ବିରୋଧରେ ପ୍ରମାଣ ନାହିଁ, ତା’ହେଲେ ତାଙ୍କୁ ଛାଡ଼ି ଦିଅ ବୋଲି କହିଥିଲେ। କିନ୍ତୁ ହେମନ୍ତ କହିଥିଲେ ଏହା ସମ୍ଭବ ନୁହେଁ। ମୁଁ ସାଧ୍ୱୀଙ୍କ ବିରୋଧରେ ନିଶ୍ଚିତ ପ୍ରମାଣ ଯୋଗାଡ଼ କରିବି। ମୁଁ ତାଙ୍କୁ କେବେ ହେଲେ ଛାଡ଼ିବି ନାହିଁ। ଏହା ହିଁ ଥିଲା ହେମନ୍ତଙ୍କ କୁଟିଳତା। ସେ ଜଣେ ଦେଶଦ୍ରୋହୀ। ଧର୍ମ ବିରୋଧୀ। ଆପଣମାନେ ବିଶ୍ୱାସ କରିବେ ନାହିଁ, ମୁଁ ତାଙ୍କୁ ସର୍ବନାଶ ହେବ ବୋଲି କହିଥିଲି। ଏହି ଅଭିଶାପର କିଛି ମାସ ପରେ ଆତଙ୍କବାଦୀମାନେ ତାଙ୍କୁ ହତ୍ୟା କଲେ।” ଏହି ସମୟରେ ବିଜେପି କର୍ମୀମାନେ ତାଳିମାରି ଏହାକୁ ସ୍ୱାଗତ କରିଥିଲେ।
୨୦୦୮ ସେପ୍ଟେମ୍ବର ୨୯ରେ ମାଲେଗାଓଁରେ ବିସ୍ଫୋରଣ ହୋଇଥିଲା। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୧ ଜଣ ଆହତ ହୋଇଥିଲେ। ପ୍ରାଥମିକ ସ୍ତରରେ ହେମନ୍ତ କରକରେ ଏହାର ତଦନ୍ତ କରିଥିଲେ। ଏହି ବିସ୍ଫୋରଣ ଘଟଣାରେ ଲ୍ୟୁଟନାଣ୍ଟ କର୍ଣ୍ଣେଲ ଶ୍ରୀକାନ୍ତ ପୁରୋହିତ, ସାଧ୍ୱୀ ପ୍ରଜ୍ଞା ଓ ଅନ୍ୟମାନଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣାରେ ସାଧ୍ୱୀ ପ୍ରଜ୍ଞା ଅଭିଯୁକ୍ତ ନଂ ୧ ଥିଲେ। ତେବେ ୨୦୧୫ରେ ଏନ୍ଆଇଏ ତାଙ୍କୁ କ୍ଲିନଚିଟ୍ ଦେଇଥିଲେ ହେଁ ଟ୍ରାଏଲ କୋର୍ଟ ତାଙ୍କୁ ଜେଲରୁ ମୁକ୍ତ କରି ନଥିଲେ। ଏହାପରେ ଦୀର୍ଘ ୯ ବର୍ଷ କାଳ ଜେଲ୍ରେ ରହିବା ପରେ ସାଧ୍ୱୀ ଏବେ ଜାମିନ୍ରେ ଅଛନ୍ତି। ଏହି ବିସ୍ଫୋରଣରେ ସାଧ୍ୱୀଙ୍କ ବାଇକ୍ର ବ୍ୟବହାର ହୋଇଥିଲା।
from Odisha Reporter http://bit.ly/2IJWNm3
No comments:
Post a Comment