
ମୁମ୍ୱାଇ: ଆଜିକାଲିର ଯୁବବର୍ଗ ନିଜ ହୃଦୟର ଭାଷା ବଖାଣିବା ନିମନ୍ତେ ଯେଉଁ ଗାୟକଙ୍କ ଗୀତର ସାହାରା ନେଉଛନ୍ତି, ସେ ହେଉଛନ୍ତି ଅରଜିତ ସିଂ । ଭିନ୍ନ ଗାୟନ ଶୈଳୀ ହେତୁ ଖୁବ୍ କମ୍ ଦିନରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ସହ ସେ ସାଉଣ୍ଟି ପାରିଛନ୍ତି ସଫଳତା। ଆଜି ନିଜ ୩୨ତମ ଜନ୍ମ ଦିନ ପାଳନ କରୁଥିବା ଅରଜିତଙ୍କ ନିକଟକୁ ଚାରି ଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି। ନିଜ ସଙ୍ଗୀତର ଯାଦୁରେ ଅନ୍ୟଙ୍କୁ ମତୁଆଲା କରୁଥିବା ଅରଜିତଙ୍କୁ କିନ୍ତୁ ନିଜ ଗୀତ ଶୁଣିବାକୁ ଭାରି ଡରେ ଲାଗେ । ତାଙ୍କ ପତ୍ନୀ ମଧ୍ୟ ତାଙ୍କ ଗୀତ ଶୁଣନ୍ତି ନାହିଁ ବୋଲି ଏକ ଇଭେଣ୍ଟରେ କହିଛନ୍ତି ଏହି ଗାୟକ।

୧୯୮୭ ମସିହାରେ ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲାରେ ଜନ୍ମ ଗ୍ରହଣ କରିଥିଲେ ଅରଜିତ । ତାଙ୍କ ପିତା ପଞ୍ଜାବୀ ଥିବା ବେଳେ ମା’ ଥିଲେ ବଙ୍ଗାଳି। ୨୦୦୫ ମସିହାରେ ସେ ସଙ୍ଗୀତ ଦୁନିଆରେ ପାଦ ରଖି ଖୁବ୍ କମ୍ ଦିନରେ ସେ ସଫଳତା ପାଇପାରିଥିଲେ। ଆଜି ସେ ଜଣେ ସଫଳ ମ୍ୟୁଜିକ୍ ଡାଇରେକ୍ଟର, ମ୍ୟୁଜିକ କମ୍ପୋଜର ମଧ୍ୟ। ହିନ୍ଦି ବ୍ୟତୀତ ବହୁ ଆଞ୍ଚଳିକ ଭାଷାରେ ମଧ୍ୟ ସେ ଗୀତ ଗାଇଛନ୍ତି।
୨୦୦୫ ମସିହାରେ ସେ ସିଙ୍ଗିଙ୍ଗ ରିଆଲିଟି ଶୋ’ ‘ଫେମ୍ ଗୁରୁକୂଲ’ରେ ସାମିଲ ହୋଇଥଲେ। ସେଠାରେ ହିଁ ଅରଜିତଙ୍କ ପ୍ରତିଭା ଚିହ୍ନିପାରି ତାଙ୍କୁ ବଲିଉଡ଼ରେ ବ୍ରେକ୍ ଦେଇଥିଲେ ସୁପ୍ରସିଦ୍ଧ ଡାଇରେକ୍ଟର ସଞ୍ଜୟ ଲିଳା ଭନଶାଳୀ ଓ ନିର୍ମାତା ରମେଶ କୁମାର ତୌରାନି। ଅରଜିତଙ୍କ ସ୍ୱର ଯାଦୁରେ ମତୁଆଲା ହୋଇ ଭନଶାଲୀ ତାଙ୍କୁ ‘ସାବରିଆ ’ ଫିଲ୍ମରେ ‘ ୟୁ ସବନମି’ ଗୀତ ଗାଇବାର ସୁଯୋଗ ଦେଇଥିଲେ। ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ‘ବର୍ଫି’, ‘ଦୁଆ’ ଆଦି ଫିଲ୍ମରେ କଣ୍ଠଦାନ କରିଥିବା ଅରଜିତ୍ ବହୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି।

୨୦୧୩ ମସିହାରେ ଆସିଥିବା ସୁରପହିଟ ଫିଲ୍ମ ‘ଆଶିକି ୨’ ରେ ବ୍ଲକବ୍ଲଷ୍ଟର ସଙ୍ଗ ‘ତୁମ ହି ହୋ’ ଏବଂ ଚାହୁ ମେ ୟା ନା ଚାହୁ’ ଗୀତ ରାତାରାତି ତାଙ୍କୁ ସୁପରଷ୍ଟାର କରାଇ ଦେଇଥିଲା। ଏହା ପୂର୍ବରୁ ‘ମର୍ଡ଼ର ୨’ ଫିଲ୍ମରେ ‘ ଫିର ମୋହବତେ କରନେ ଚଲାହେ ଦିଲ୍’ ଗୀତ ଗାଇ ସେ ବହୁତ ପ୍ରଶଂସା ସାଉଁଟିଥିଲେ।
ଏହାପରେ ମହାନ ସଙ୍ଗୀତ ନିର୍ଦ୍ଦେଶକ ଶଙ୍କର, ଏହସାନ-ଲୟ, ବିଶାଲ-ଶେଖର, ପ୍ରିତମଙ୍କ ପରି ମ୍ୟୁଜିକ କମ୍ପୋଜରଙ୍କ ଛତ୍ରଛାୟା ତଳେ ରହି ଆଗକୁ ବଢିବାକୁ ତାଙ୍କୁ ସୁଯୋଗ ମିଳିଲା। ପ୍ରିତମଙ୍କ ସହ କାମ କଲା ବେଳେ ସେ ନିଜେ ବି ମ୍ୟୁଜିକ କମ୍ପୋଜ କରିବାକୁ ଲାଗିଲେ। ଏହାପରେ ତାଙ୍କ ପାଖରେ ଆଉ କାମର ଅଭାବ ରହିଲା ନାହିଁ। ଦୀର୍ଘ ୧୫ ବର୍ଷରୁ ଅଧିକ ସମୟ ସଙ୍ଗୀତ କ୍ଷେତ୍ରରେ ଯୋଡ଼ି ହୋଇ ରହିଥିବା ଏହି ଗାୟକଙ୍କ ହିଟ୍ ଲିଷ୍ଟ ମଧ୍ୟ ବହୁ ଲମ୍ବା।
ଏବେ ୪୫ ମିନିଟ୍ ଗାଇବା ନିମନ୍ତେ ସେ ଦେଢ କୋଟି ନେଉଛନ୍ତି। ଫିଲ୍ମରେ ଗୋଟିଏ ଗୀତ ଗାଇବାକୁ ଦାବି କରୁଛନ୍ତି ୧୬ ଲକ୍ଷ। ଏତେ ଟଙ୍କା ରୋଜଗାର ସତ୍ତ୍ୱେ ସେ ସାଧାସିଧା ଜୀବନ ଅତିବାହିତ କରିବାକୁ ଭଲ ପାଆନ୍ତି। ଏବେ ବି ସେ ପବ୍ଲିକ ଟ୍ରାନ୍ସପୋର୍ଟରେ ଯିବାକୁ ପସନ୍ଦ କରନ୍ତି।

ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଅରଜିତ ସବୁବେଳେ ଚର୍ଚ୍ଚାରେ। ସେ ଦୁଇ ଥର ବିବାହ କରିଥିବା ବହୁ କମ୍ ଲୋକ ହିଁ ଜାଣିଛନ୍ତି। ଏକ ରିୟାଲିଟି ଶୋ’ରେ ଅଂଶଗ୍ରହଣ କରିଥିବା ବେଳେ ସେଥିରେ ସାମିଲ ହୋଇଥିବା ଜଣେ ଯୁବତୀଙ୍କୁ ସେ ବିବାହ କରିଥିଲେ। ହେଲେ ମନୋମାଳିନ୍ୟ ହେତୁ ଏହା ବେଶି ଦିନ ତିଷ୍ଠି ପାରି ନ ଥିଲା। ଏହାପରେ ୨୦୧୪ ମସିହାରେ ସେ ନିଜ ପିଲା ଦିନର ବନ୍ଧୁ କୋୟଲ ରାୟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। କୋୟଲ ପୂର୍ବରୁ ବିବାହିତା ଥିବା ବେଳେ ତାଙ୍କର ଛାଡ଼ପତ୍ର ହୋଇଯାଇଥିଲା। ହେଲେ ତାଙ୍କର ଏକ କନ୍ୟା ସନ୍ତାନ ଥିବା ବେଳେ ସେ ଅରିଜିତଙ୍କ ବହୁ ନିକଟତର ବୋଲି ଜଣାଯାଇଛି।
from Odisha Reporter http://bit.ly/2W61avA
No comments:
Post a Comment