
କୁଆଲାଲୁମ୍ପୁର: ମ୍ୟାଲେସିୟା ଗସ୍ତରେ ଥିବା ଭାରତୀୟ ମହିଳା ହକି ଟିମ୍ ଗୁରୁବାର ପଞ୍ଚମ ତଥା ଅନ୍ତିମ ମୁକାବିଲାରେ ଆୟୋଜକ ଟିମକୁ ୧-୦ ଗୋଲରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜକୁ ୪-୦ରେ ଜିତି ନେଇଛି। ସିରିଜର ତୃତୀୟ ମ୍ୟାଚ୍ ଡ୍ର’ ରହିଥିବା ବେଳେ ଭାରତ ପ୍ରଥମ, ଦ୍ୱିତୀୟ ଓ ଚତୁର୍ଥ ମ୍ୟାଚକୁ ଯଥାକ୍ରମେ ୩-୦, ୫-୦ ଓ ୧-୦ରେ ଜିତି ନେଇଥିଲା। ତୃତୀୟ ମ୍ୟାଚ୍ ୪-୪ ଗୋଲରେ ଡ୍ର’ ରହିଥିଲା।
ପଞ୍ଚମ ମୁକାବିଲାରେ ଭାରତ ପକ୍ଷରୁ ନବଜୋତ୍ କୌର ୩୫ତମ ମିନିଟରେ ଏକମାତ୍ର ଗୋଲ୍ ଦେଇଥିଲେ। ମ୍ୟାଚର ପ୍ରଥମ ଦୁଇ କ୍ୱାର୍ଟରରେ ଜବରଦସ୍ତ ଖେଳ ଦେଖିବାକୁ ମିଳିଥିବା ବେଳେ ଏଥିରେ କେହି କାହାରିକୁ ଗୋଲ୍ ଦେଇପାରିନଥିଲେ। କିନ୍ତୁ ତୃତୀୟ କ୍ୱାର୍ଟରରେ ଭାରତ ପକ୍ଷରୁ ନବଜୋତ୍ ବିଜୟସୂଚକ ଗୋଲ୍ ଦେଇଥିଲେ। ଟିମର ପ୍ରଦର୍ଶନ ନେଇ କୋଚ୍ ସୋଏର୍ଡ ମାରିନ୍ ସନ୍ତୋଷ ପ୍ରକାଶ କରିଛନ୍ତି।
ସେ କହିଛନ୍ତି, ଆମେ ଶଟ୍ ଓ ପେନାଲ୍ଟି କର୍ଣ୍ଣର ସହ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିଥିଲୁ। କିନ୍ତୁ କିଛି ପେନାଲ୍ଟି କର୍ଣ୍ଣର ମିସ୍ କରିବା ଚିନ୍ତାର ବିଷୟ। ଏହି ଗସ୍ତରେ ଆମକୁ ବହୁତ କିଛି ଶିଖିବାକୁ ମିଳିଛି। ଆମ ଯୁବ ଖେଳାଳିମାନଙ୍କୁ ଅନ୍ତର୍ଜାତୀୟ ସ୍ତରର ଅଭିଜ୍ଞତା ପ୍ରାପ୍ତ ହୋଇଛି, ଯାହା ସେମାନଙ୍କୁ ଭବିଷ୍ୟତରେ ଫଳପ୍ରଦ ହେବ ବୋଲି ମାରିନ୍ କହିଛନ୍ତି। ଆସନ୍ତାକାଲି ମହିଳା ହକି ଟିମ୍ ସ୍ୱଦେଶ ଫେରିବ।
from Odisha Reporter http://bit.ly/2G5QhU4
No comments:
Post a Comment