
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀରୁ ବିଜେପିର ବିଧାୟକ ପ୍ରାର୍ଥୀ ଡାକ୍ତର ଦାମୋଦର ରାଉତଙ୍କ ଧିମା ପ୍ରଚାର ଅଭିଯାନକୁ ନେଇ ବିଭିନ୍ନ ଦିଗରୁ ସମାଲୋଚନା ହେବାପରେ ସେ ଆଜି ତାଙ୍କର ଦମ୍ ଦେଖାଇଛନ୍ତି। ପାରାଦୀପରୁ ବିଜେଡି ବିଧାୟକ ପ୍ରାର୍ଥୀ ପୁଅ ସମ୍ବିତ ରାଉତରାୟଙ୍କ ମୋହରେ ଚାପଗ୍ରସ୍ତ ହୋଇ ଡାକ୍ତର ରାଉତ ବାଲିକୁଦା-ଏରସମାରେ ନିର୍ବାଚନ ପ୍ରଚାରକୁ ଜୋରଦାର କରୁନଥିଲେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଡାକ୍ତର ରାଉତ ଆଜି ନିଜର ଦମ୍ ଦେଖାଇ ସେ ପ୍ରାର୍ଥୀ ହୋଇଥିବା ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀର ବିଜେଡି ଓ କଂଗ୍ରେସର କିଛି ପ୍ରମୁଖ କର୍ମକର୍ତ୍ତାଙ୍କୁ ବିଜେପିରେ ସାମିଲ କରାଇ ନିଜର ରଣନୀତିର ଆଭାସ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଆସ୍ଥା ପ୍ରକଟ କରି ଡାକ୍ତର ରାଉତଙ୍କ ନେତୃତ୍ୱରେ ଜଗତସିଂହପୁର ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଶିବବ୍ରତ ଦାସ, ବାଲିକୁଦା-ଏରସମାର ବିଜେଡି ଯୁବନେତା ଶଶୀକାନ୍ତ ପରିଡ଼ାଙ୍କ ସମେତ କଂଗ୍ରେସ ଓ ବିଜେଡିର ଅନେକ ପଦାଧିକାରୀ ଓ ଶତାଧିକ କର୍ମୀ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଓ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ଉପସ୍ଥିତିରେ ଏହି ନେତା ଓ କର୍ମୀମାନେ ବିଜେପିରେ ସାମିଲ ହୋଇଛନ୍ତି।
ଡାକ୍ତର ରାଉତ ନିଜର ପ୍ରଚାର ଅଭିଯାନକୁ ତ୍ୱରାନ୍ୱିତ କରୁନଥିବାରୁ ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀର ବିଜେପି କର୍ମୀମାନେ ଦ୍ୱନ୍ଦ୍ୱରେ ରହିଥିଲେ। କିନ୍ତୁ ଡାକ୍ତର ରାଉତ ନିଜର ରାଜନୀତିକ ଅଭିଜ୍ଞତାକୁ ଆଧାର କରି ସୁଚିନ୍ତିତ ରଣନୀତିରେ ଉଭୟ ବାଲିକୁଦା ଓ ଏରସମା ବ୍ଲକରେ ପ୍ରଭାବ ବିସ୍ତାର କରିଥିବା ଦୁଇ ଯୁବନେତା ଶିବବ୍ରତ ଦାସ ଓ ଶଶୀକାନ୍ତ ପରିଡ଼ାଙ୍କ ମାଧ୍ୟମରେ ନିର୍ବାଚନୀ ବୈତରଣୀ ପାର ହେବାକୁ ମୂଳଦୁଆ ପକାଇଥିବା ଚର୍ଚ୍ଚା ହେଉଛି।
from Odisha Reporter http://bit.ly/2UyiSLL
No comments:
Post a Comment