
ଏକ ଟିଭି ଶୋ’ରେ ମହିଳାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦରେ ଫସିଥିବା ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲ ବଡ଼ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିଯାଇଛନ୍ତି। ଏହି ଦୁଇ କ୍ରିକେଟରଙ୍କ ଉପରେ ବିସିସିଆଇ ଲୋକପାଳ କମିଟି ମାତ୍ର ୨୦ ଲକ୍ଷ ଟଙ୍କାର ଜୋରିମାନା ଲଗାଇ ଛାଡ଼ି ଦେଇଛନ୍ତି।
ବିସିସିଆଇ ଲୋକପାଳଙ୍କ ଅନୁଯାୟୀ, ଉଭୟେ ପାଣ୍ଡ୍ୟା ଓ ରାହୁଲ ଲକ୍ଷେ ଟଙ୍କା ଲେଖାଏ ୧୦ଜଣ ସହିଦ୍ ପାରା ମିଲିଟାରୀ ଫୋର୍ସ କନଷ୍ଟେବଳଙ୍କ ପରିବାରକୁ ଦେବେ। ଏହାଛଡ଼ା ଏହି ସମାନ ଅର୍ଥରାଶି ଦୃଷ୍ଟିବାଧିତ (ବ୍ଲାଇଣ୍ଡ) କ୍ରିକେଟ୍ ପ୍ରଚାର ପାଇଁ ଦେବେ। ଏହି ରାଶିକୁ ୪ମାସ ଭିତରେ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକପାଳ ମଧ୍ୟ ଆହୁରି କହିଛନ୍ତି, “ଯଦି ଦୁଇ ଖେଳାଳି ଚାରି ସପ୍ତାହ ମଧ୍ୟରେ ଅର୍ଥରାଶି ଜମା କରିବାରେ ଅସଫଳ ରୁହନ୍ତି, ତାହେଲେ ବିସିସିଆଇ ଉଭୟ ଖେଳାଳିଙ୍କ ମ୍ୟାଚ୍ ଫି’ କାଟି ପାରନ୍ତି।’
ଲୋକପାଳ କହିଛନ୍ତି, ଦୁହିଁଙ୍କୁ ଅଷ୍ଟ୍ରେଲିଆ ଗସ୍ତ ଅଧାରୁ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ଏହା ପୂର୍ବରୁ ସେମାନେ ପ୍ରାୟ ୩୦ଲକ୍ଷ ଟଙ୍କା ଆୟ କରିସାରିଥିଲେ। କ୍ରିକେଟରମାନେ ଦେଶର ଆଦର୍ଶ ଏବଂ ସେମାନଙ୍କୁ ଏଭଳି କାମ କରିବା ଦରକାର, ଯାହା ସେମାନଙ୍କ ସ୍ତରର ହୋଇଥିବ।
ଏହାଛଡ଼ା ଦୁହେଁ ନିଜ ନିଜର ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ଏବଂ ନିଜ ବିରୋଧରେ ପ୍ରାରମ୍ଭିକ କାର୍ଯ୍ୟାନୁଷ୍ଠାନକୁ ନେଇ କୌଣସି ଆପତ୍ତି ମଧ୍ୟ କରିନଥିଲେ। ଏଥିପାଇଁ ଏବେ ଏହି ମାମଲାରେ ଆଉ କୌଣସି ତଦନ୍ତ ହେବ ନାହିଁ ବୋଲି ଲୋକପାଳ କହିଛନ୍ତି। ଫଳସ୍ୱରୂପ ରାହୁଲ ଓ ହାର୍ଦ୍ଦିକଙ୍କ ଉପରେ ଜୋରିମାନା ଲଗାଯିବା ପରେ ଏହି ମାମଲାରେ ଏହିଠାରେ ହିଁ ଶେଷ ହୋଇଛି। ଦୁଇ କ୍ରିକେଟର୍ ଏବେ ଦୃଢ଼ ମନୋବଳ ସହ ବିଶ୍ୱକପ୍ ପାଇଁ ୧୫ଜଣିଆ ଭାରତୀୟ ଦଳ ସହ ଇଂଲଣ୍ଡ ଯିବା ପାଇଁ ପ୍ରସ୍ତୁତି କରିପାରିବେ।
ସୂଚନାଯୋଗ୍ୟ, ‘କଫି ୱିଥ୍ କରନ୍’ ଟିଭି ଶୋ’ରେ ରାହୁଲ ଓ ପାଣ୍ଡ୍ୟା ମହିଳାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହି କାରଣରୁ ଦୁହିଁଙ୍କୁ ଗତ ସପ୍ତାହରେ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଲୋକପାଳ ଜଷ୍ଟିସ୍ (ଅବସରପ୍ରାପ୍ତ) ଡିକେ ଜୈନ୍ ଦୁହିଁଙ୍କ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଦୁହେଁ ଲୋକପାଳଙ୍କ ନିକଟରେ ଉପସ୍ଥିତ ରହି ନିଜ ନିଜର ଭୁଲ ସ୍ୱୀକାର କରିବା ସହ କ୍ଷମା ପ୍ରାର୍ଥନା କରିଥିଲେ। ଜୈନ୍ ଏହି ମାମଲାର ରିପୋର୍ଟକୁ ବିସିସିଆଇ ପ୍ରଶାସନିକ କମିଟି (ସିଓଏ)କୁ ହସ୍ତାନ୍ତର କରିଥିଲେ।
from Odisha Reporter http://bit.ly/2Ixy05p
No comments:
Post a Comment