
ନୂଆଦିଲ୍ଲୀ: ସର୍ବଦା ଭାରତର ବିଜେପି ନେତୃତ୍ୱାଧୀନ ସରକାରଙ୍କୁ ବିରୋଧ କରୁଥିବା ପାକିସ୍ତାନ ହଠାତ୍ ତା’ର ଆଭିମୁଖ୍ୟ ବଦଳାଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ମତ ଦେଇଛନ୍ତି। ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜେପି ଯଦି ଭାରତରେ ପୁଣି କ୍ଷମତା ଦଖଲ କରିବ, ତା’ହେଲେ ପାକିସ୍ତାନ ଓ ଭାରତ ମଧ୍ୟରେ ଶାନ୍ତି ଆଲୋଚନା ଆଗକୁ ଯାଇପାରିବ।”
ତେବେ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବିରୋଧୀ ଦଳଗୁଡ଼ିକୁ ପାକିସ୍ତାନର ଭାଷା କହୁଥିବା ଅଭିଯୋଗ କରି କଟୁ ସମାଲୋଚନା କରୁଥିବା ବେଳେ ଇମ୍ରାନ୍ଙ୍କ ମୋଦି ସପକ୍ଷବାଦୀ ବୟାନ ପଦ୍ମ ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। କଂଗ୍ରେସ, ଆମ ଆଦମୀ ପାର୍ଟି, ଜମ୍ମୁ-କଶ୍ମୀରର ଓମର ଅବଦୁଲ୍ଲା ଓ ମେହବୁବା ମୁଫତିଙ୍କ ଭଳି ବିରୋଧୀ ଦଳ ନେତାମାନେ ଇମ୍ରାନ୍ଙ୍କ ବୟାନକୁ ନେଇ ମୋଦି ଓ ବିଜେପିକୁ ଟ୍ରୋଲ କରିଛନ୍ତି।
ଇମ୍ରାନ୍ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ “ଯଦି ଭାରତରେ କଂଗ୍ରେସ ନେତୃତ୍ୱାଧୀନ ସରକାର କ୍ଷମତା ଦଖଲ କରିବ, ତା’ହେଲେ କଶ୍ମୀର ସମସ୍ୟା କେବେ ହେଲେ ସମାଧାନ ହୋଇପାରିବ ନାହିଁ। ବିଜେପି ଏକ ଦକ୍ଷିଣ ପନ୍ଥୀ ଦଳ ହୋଇଥିବାରୁ ଏହି ଦଳ ଜିତିଲେ କଶ୍ମୀର ପ୍ରସଙ୍ଗରେ କିଛି ସମାଧାନ ରାସ୍ତା ଫିଟିବ ବୋଲି ଆଶା କରୁଛି। ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜେପି ଜିତିଲେ ଭାରତ-ପାକିସ୍ତାନ ମଧ୍ୟରେ ଶାନ୍ତି ଆଲୋଚନା ହୋଇପାରିବ।”
ଏହାକୁ ପ୍ରସଙ୍ଗ କରି କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି, “ପାକିସ୍ତାନ ବିଧିବଦ୍ଧ ଭାବେ ମୋଦିଙ୍କ ସହଯୋଗୀ! ମୋଦିଙ୍କୁ ଗୋଟିଏ ଭୋଟ୍ର ଅର୍ଥ ପାକିସ୍ତାନକୁ ଗୋଟିଏ ଭୋଟ୍ ଦେବା ସହ ସମାନ। ମୋଦିଜୀ, ପ୍ରଥମେ ନୱାଜ ଶରିଫ୍ ଏବଂ ଇମ୍ରାନ୍ ଖାନ୍ ହେଉଛନ୍ତି ଆପଣଙ୍କ ବନ୍ଧୁ। ପ୍ରକୃତ ସତ୍ୟ ସାମ୍ନାକୁ ଆସିବ।”
ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, “କାହିଁକି ମୋଦିଜୀ ଜିତନ୍ତୁ ବୋଲି ପାକିସ୍ତାନ ଚାହୁଁଛି? ଏବେ ମୋଦିଜୀ ଦେଶବାସୀଙ୍କୁ ପାକିସ୍ତାନ ସହ ତାଙ୍କର ବନ୍ଧୁତା କେତେ ଗଭୀର, ସେକଥା କୁହନ୍ତୁ। ସମଗ୍ର ଭାରତ ଜାଣିବାକୁ ଚାହୁଁଛି ଯେ ଯଦି ମୋଦିଜୀ ଭାରତରେ ଜିତିବେ, ତା’ହେଲେ କ’ଣ ପାକିସ୍ତାନରେ ବାଣ ଫୁଟିବ କି?” ସେହିପରି ଓମର ଅବଦୁଲ୍ଲା ଓ ମେହବୁବା ମୁଫତି ମଧ୍ୟ ଏହି ପ୍ରସଙ୍ଗରେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି।
ପୁଲୱାମା ହମ୍ଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ଭାରତ ବାଲାକୋଟ୍ରେ ଏୟାର ଷ୍ଟ୍ରାଇକ୍ କରିବା ପରେ ବିରୋଧୀ ଦଳଗୁଡ଼ିକ ଏହାର ପ୍ରମାଣ ମାଗିଥିଲେ। ଏହାକୁ ଆଧାର କରି ବିଜେପି ଓ ମୋଦି ବିରୋଧୀଦଳର ନେତାମାନଙ୍କୁ ପାକିସ୍ତାନର ସହଯୋଗୀ ବୋଲି କହି କଟାକ୍ଷ କରିଥିଲେ। ତେବେ ଇମ୍ରାନ ଖାନ ମୋଦିଙ୍କ ସମ୍ପର୍କରେ ଅଚାନକ ଏପରି ବୟାନ ଦେବା ପଛରେ ରାଜନୀତିକ ଅଭିସନ୍ଧି ଥିବା ସନ୍ଦେହ କରାଯାଉଛି।
from Odisha Reporter http://bit.ly/2D7l5TE
No comments:
Post a Comment