
ବାରିପଦା(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାର ସବୁ ବେଳେ ଓଡ଼ିଆ ଭାଷା ଓ ସଂସ୍କୃତିକୁ ଗୁରୁତ୍ୱ ଦେଇଆସୁଛି। ମୟୂରଭଞ୍ଜ ଛଉ ନୃତ୍ୟର ପ୍ରଚାର ଓ ପ୍ରସାର ପାଇଁ କେନ୍ଦ୍ର ଉଦ୍ୟମ କରିବ। କରଞ୍ଜିଆରେ ଆୟୋଜିତ ନିର୍ବାଚନୀ ସଭାରେ ଏହା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ଏଥିସହ ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।
କୌଣସି ମୌଳିକ ସୁବିଧା ଦେଉନଥିବା ଓଡ଼ିଶା ସରକାରଙ୍କୁ ବଦଳାଇବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ରାଜନାଥ। ସେ କହିଛନ୍ତି-“ବିଜେଡିକୁ ବାରମ୍ବାର ଦେଖିଲେଣି। ଆମକୁ ଥରେ ସୁଯୋଗ ଦେଇ ଦେଖନ୍ତୁ। ସରକାର କେମିତି ଚାଲେ, ଦେଖାଇବୁ।”
ସେ କହିଛନ୍ତି-“ପୁଲୱମା ଆକ୍ରମଣ ପରେ ଆତଙ୍କବାଦୀଙ୍କୁ ମୁହଁତୋଡ଼ ଜବାବ ଦିଆଯାଇଛି। ଘରେ ପଶି ସେମାନଙ୍କୁ ନିପାତ କରାଯାଇଛି। ମାତ୍ର ବିରୋଧୀ ସଂଖ୍ୟା ମାଗିଲେ। ୧୯୭୧ ମସିହାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ପାକିସ୍ତାନକୁ ଉଚିତ ଜବାବ ଦେଇଥିଲେ। ଯୁଦ୍ଧରେ ପାକିସ୍ତାନକୁ ପରାସ୍ତ କରି ଦୁଇ ଖଣ୍ଡରେ ବିଭକ୍ତ କରିଦେଇଥିଲେ। ଏଥିପାଇଁ ଇନ୍ଦିରା ଗାନ୍ଧିଙ୍କୁ ସମଗ୍ର ଦେଶରେ ପ୍ରଶଂସା କରାଯାଇଥିଲା। ଏଥିପାଇଁ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ମଧ୍ୟ ଇନ୍ଦିରାଙ୍କୁ ପ୍ରଶଂସା କରିଥିଲେ। ଏଠି ମୁଁ କଂଗ୍ରେସକୁ ପ୍ରଶ୍ନ କରିବାକୁ ଚାହୁଁଛି, ୧୯୭୧ ମସିହାରେ ପାକିସ୍ତାନକୁ ଉଚିତ ଜବାବ ଦେଇଥିବାରୁ ଇନ୍ଦିରାକୁ ପ୍ରଶଂସା କରାଯାଇଥିବା ବେଳେ ବାଲାକୋଟ ଷ୍ଟ୍ରାଇକ୍ ପାଇଁ ନରେନ୍ଦ୍ର ମୋଦିଙ୍କୁ କାହିଁକି ପ୍ରଶଂସା କରାଯିବନି?”
ସେ ଆହୁରି କହିଛନ୍ତି-“୨୦୦୮ ମସିହାରେ ମୁମ୍ୱାଇରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିରେ ବହୁ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏପରିକି ଯବାନ ଓ ପୁଲିସ ଅଧିକାରୀ ସହିଦ ହୋଇଥିଲେ। ସେହି ସମୟରେ କେନ୍ଦ୍ରରେ ଶାସନ ଗାଦିରେ ଥିବା କଂଗ୍ରେସ ପାକିସ୍ତାନ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେନାହିଁ। ପାକିସ୍ତାନ କହିଲା, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ପାକିସ୍ତାନର ଏହି କଥାରେ ଭାରତ ସରକାର ଚୁପ୍ ବସିଗଲେ। କିନ୍ତୁ ସେ ସମୟ ବଦଳି ଯାଇଛି। ଆମେ କାହା ସହିତ ଲାଗୁନାହୁଁ। କିନ୍ତୁ ଆମ ସହିତ ଯିଏ ଲାଗିବ, ଆମେ ତାକୁ ଛାଡ଼ିବୁ ନାହିଁ।”
ସେ କହିଛନ୍ତି-“୫ ବର୍ଷ ତଳେ ଭାରତରେ ୧୨.୫ କୋଟି ଗରିବ ଥିଲେ। ଏବେ ଏହି ସଂଖ୍ୟା ୫ କୋଟିକୁ ହ୍ରାସ ପାଇଛି। ଆମ ସରକାର ଗରିବଙ୍କ ସ୍ୱାର୍ଥ ପାଇଁ ସଂପୂର୍ଣ୍ଣ ଭାବେ ସମର୍ପିତ। ପିଏମ୍ କିଷାନ ଯୋଜନା ଚାଷୀଙ୍କ ତାଲିକା ଦେଇନାହାନ୍ତି ଓଡ଼ିଶା ସରକାର। ଓଡ଼ିଶା ସରକାର ମାତ୍ର ସାଢ଼େ ୮ଲକ୍ଷ ଚାଷୀଙ୍କ ତାଲିକା ଦେଇଛନ୍ତି। ସରକାର ଆସିଲେ ଚାଷୀଙ୍କୁ ୫ ବର୍ଷ ପାଇଁ ସୁଧମୁକ୍ତ ୧ ଲକ୍ଷ ପର୍ଯ୍ୟନ୍ତ ଋଣ ଦିଆଯିବ। ବିଜେପି ସରକାର ଆସିଲେ କରଞ୍ଜିଆକୁ ରେଳ ଦ୍ୱାରା ସଂଯୋଗ କରାଯିବ।”
from Odisha Reporter http://bit.ly/2KOCyqb
No comments:
Post a Comment