
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ କ୍ଷମତାସୀନ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସରକାରକୁ ଆଜି ସୁପ୍ରିମ୍କୋର୍ଟ ଭର୍ତ୍ସନା କରିବା ସହିତ ୨୦ ଲକ୍ଷ ଟଙ୍କାର ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ‘ଭବିଷ୍ୟୋତେର ଭୂତ୍’ ନାମକ ଏକ ଫିଲ୍ମ ଉପରେ ଟିଏମ୍ସି ସରକାର ‘ଭର୍ଚୁଆଲ ବ୍ୟାନ୍’ ଲଗାଇବାକୁ ନେଇ ଏପରି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ।
ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ କହିଛନ୍ତି, ପ୍ରଯୋଜକ ଏବଂ ସିନେମା ହଲ୍ଗୁଡ଼ିକର ‘ଫ୍ରିଡମ୍ ଅଫ୍ ସ୍ପିଚ୍ ଆଣ୍ଡ ଏକ୍ସପ୍ରେସନ୍’ର କଣ୍ଠରୋଧ କରାଯାଇ ଥିବାରୁ ରାଜ୍ୟ ସରକାର ଜୋରିମାନା ଅର୍ଥକୁ ସେମାନଙ୍କ ମଧ୍ୟରେ ବାଣ୍ଟିଦେବେ।
ସୁପ୍ରିମ୍କୋର୍ଟ ପୂର୍ବରୁ ମଧ୍ୟ କହିଥିଲେ, ଏହି ଫିଲ୍ମ ପ୍ରଦର୍ଶନରେ ଯେପରି କୌଣସି ବାଧା ନ ଉପୁଜେ ସେଥିପ୍ରତି ସରକାର ଧ୍ୟାନ ରଖିବେ। ଏହି ଫିଲ୍ମର ପ୍ରଯୋଜକ ଆବେଦନରେ ଦର୍ଶାଇଥିଲେ, ୪୦ଟି ସିଙ୍ଗଲ ସ୍କ୍ରିନ୍ ଫିଲ୍ମ ହଲ୍ ମାଲିକ ଏବଂ ମଲ୍ଟିପ୍ଲେକ୍ସ ମାଲିକଙ୍କୁ ଏହି ଫିଲ୍ମ ରିଲିଜ୍ ନ କରାଇବାକୁ ବାଧ୍ୟ କରାଯାଇଥିଲା। ଏହାପରେ କୋର୍ଟ ସରକାରଙ୍କୁ ପକ୍ଷ ରଖିବାକୁ କହିଥିଲେ।
ଏହି ଫିଲ୍ମଟି ଆନିକ୍ ଦତ୍ତାଙ୍କ ନିର୍ଦ୍ଦେଶିତ ଏବଂ ଫେବୃଆରୀରେ ରିଲିଜ୍ ହୋଇଥିଲା। କିଛି ଭୂତଙ୍କୁ ନେଇ ଏହାର କାହାଣୀ ଗତିଶୀଳ, ଯେଉଁମାନଙ୍କ ମଧ୍ୟରୁ ଜଣେ ରାଜନୀତିଜ୍ଞ ମଧ୍ୟ ଥିଲେ। ତେବେ ଏହାର ରାଜନୀତିକ ପ୍ରଭାବ ପଡ଼ିବାର ଆଶଙ୍କା କରି ମମତା ସରକାର ଏହା ଉପରେ ‘ଭର୍ଚୁଆଲ’ ବ୍ୟାନ୍ ଲଗାଇଥିଲେ ଅର୍ଥାତ କୌଣସି ଲିଖିତ ନିର୍ଦ୍ଦେଶ ବିନା ରିଲିଜ୍ ଉପରେ ବଳପୂର୍ବକ ରୋକ୍ ଲଗାଇଥିଲେ। ଏନେଇ ପ୍ରଯୋଜକ ବା ନିର୍ଦ୍ଦେଶକଙ୍କୁ ସରକାରଙ୍କ ପକ୍ଷରୁ କିଛି ମଧ୍ୟ ନିର୍ଦ୍ଦେଶ ଆସିନଥିଲା, କେବଳ କୁହାଯାଇଥିଲା ଉପରୁ ନିର୍ଦ୍ଦେଶ ଅଛି।
ନିର୍ଦ୍ଦେଶକ ଆନିକ୍ କହିଥିଲେ, ସରକାର ତାଙ୍କ ସହ କୌଣସି ଯୋଗାଯୋଗ କରିନଥିଲେ, କେବଳ ହଲ୍ଗୁଡ଼ିକ ପକ୍ଷରୁ କୁହାଯାଇଥିଲା ଉପରୁ ନିର୍ଦ୍ଦେଶ ଅଛି। କିନ୍ତୁ ମୁଁ ଫିଲ୍ମଟି ପାଇଁ ଦର୍ଶକଙ୍କଠାରୁ ଏବଂ ଫିଲ୍ମ ଜଗତରୁ ଯଥେଷ୍ଟ ସମର୍ଥନ ପାଇଛି। ଏହି ଫିଲ୍ମରେ ସବ୍ୟସାଚୀ ଚକ୍ରବର୍ତ୍ତୀ, ମୁନ୍ମୁନ୍ ସେନ୍, କୌଶିକ ସେନ୍ ଏବଂ ବରୁନ୍ ଚନ୍ଦା ଆଦି ପ୍ରମୁଖ ଅଭିନେତା ଅଭିନୟ କରିଛନ୍ତି।
from Odisha Reporter http://bit.ly/2UyL3Kn
No comments:
Post a Comment