
ବେଜିଂ: କୁଖ୍ୟାତ ଆତଙ୍କବାଦୀ ତଥା ଜୈଶ-ଏ-ମହମ୍ମଦର ପ୍ରତିଷ୍ଠାତା ମାସୁଦ ଆଝାରକୁ କଳାତାଲିକା ଭୁକ୍ତ କରିବା ପାଇଁ ହେଉଥିବା ଦାବି ଉପରେ ଚାଇନା ପୁଣିଥରେ ବିଶ୍ୱକୁ ଭୁଆଁ ବୁଲାଇବାକୁ ଚେଷ୍ଟା କରିଛି। ଜାତିସଂଘ ସୁରକ୍ଷା ପରିଷଦରେ ମାସୁଦକୁ କଳାତାଲିକା ଭୁକ୍ତ କରିବାକୁ ଆମେରିକା, ଫ୍ରାନ୍ସ ଓ ବ୍ରିଟେନ୍ ବାରମ୍ବାର ପ୍ରସ୍ତାବ ଆଗତ କରୁଛନ୍ତି।
ତେବେ ଆଜି ଚାଇନା କହିଛି ଯେ ଜାତିସଂଘ ସୁରକ୍ଷା ପରିଷଦରେ ମାସୁଦ ସମସ୍ୟା ବୁଝାମଣା ଦିଗରେ ଗତି କରୁଛି। ତେଣୁ ଆମେରିକା ନିଜ ଇଚ୍ଛାରେ ପୁଣିଥରେ ଜାତିସଂଘ ସୁରକ୍ଷା ପରିଷଦରେ ଏ ପ୍ରସଙ୍ଗରେ ସଂକଳ୍ପ ନ ଆଣୁ। କାରଣ ଆମେରିକା ନିଜ ଇଚ୍ଛାରେ ଜାତିସଂଘ ସୁରକ୍ଷା ପରିଷଦରେ ଦାବି ଉପସ୍ଥାପନ କରିବାକୁ ଚାହୁଁଛି।
ପୁଲୱାମା ଆତଙ୍କବାଦୀ ହମ୍ଲା ପରେ ମାସୁଦ ବିରୋଧରେ ଭାରତ ବିଶ୍ୱର ବିଭିନ୍ନ ରାଷ୍ଟ୍ରଙ୍କ ସହ କଥା ହୋଇଥିଲା। ଏହାପରେ ମାସୁଦକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିବାକୁ ଆମେରିକା, ବ୍ରିଟେନ୍ ଓ ଫ୍ରାନ୍ସ ଏକ ଚିଠା ପ୍ରସ୍ତାବ ଜାତିସଂଘ ସୁରକ୍ଷା ପରିଷଦରେ ଆଗତ କରିଥିଲେ। ତେବେ ଚାଇନା ଭିଟୋ କ୍ଷମତା ପ୍ରୟୋଗ କରି ଏହି ପ୍ରସଙ୍ଗ ଉପରେ ଟେକ୍ନିକାଲ ହୋଲ୍ଡ ଲଗାଇଥିଲା। କିନ୍ତୁ ଏଥିରେ ଆମେରିକା ଏକମତ ହୋଇ ନଥିଲା।
ଏହି ଘଟଣାର କିଛି ଦିନ ପରେ ଆମେରିକା, ଫ୍ରାନ୍ସ ଓ ବ୍ରିଟେନ୍ ପୁଣିଥରେ ଏକ ସଂକଳ୍ପ ଚିଠା ପ୍ରସ୍ତାବ ମାସୁଦ ବିରୋଧରେ ଆଗତ କରାଯିବ ବୋଲି କହିଥିଲେ। ଏଥିସହ ଚାଇନାକୁ ଏପ୍ରିଲ ୨୩ ସୁଦ୍ଧା ମାସୁଦ ଉପରେ ଲଗାଇଥିବା ଟେକ୍ନିକାଲ ହୋଲ୍ଡକୁ ପ୍ରତ୍ୟାହାର କରିବାକୁ ପରାମର୍ଶ ଦେଇଥିଲେ। ତେବେ ଆଜି ବେଜିଂ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି।
ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲୁ କାଙ୍ଗ କହିଛନ୍ତି, “ମାସୁଦ ପ୍ରସଙ୍ଗରେ ବେଜିଂ ଜାରି କରିଥିବା ଟେକ୍ନିକାଲ ହୋଲ୍ଡକୁ ପ୍ରତ୍ୟାହାର କରିବାକୁ ଆମକୁ କେହି କହିନାହାନ୍ତି। ଏହା କେବଳ ଏକ ମନଗଡ଼ା କାହାଣୀ। ମାସୁଦକୁ କଳା ତାଲିକାଭୁକ୍ତ କରିବା ପାଇଁ ଯେଉଁ ଦାବି ହେଉଛି, ସେ ପ୍ରସଙ୍ଗରେ ଚାଇନାର ଆଭିମୁଖ୍ୟ ଅପରିବର୍ତ୍ତିତ ରହିଛି। ଆମେ ଏହି ପ୍ରସଙ୍ଗରେ ସଂପୃକ୍ତ ପକ୍ଷଙ୍କ ସହ ଯୋଗାଯୋଗ କରିଛୁ। ଏହି ସମସ୍ୟାଟି ସମାଧାନ ଦିଗରେ ଗତି କରୁଛି। ତେଣୁ ଆମେରିକା ଏଥରେ ମୁଣ୍ଡ ନ ପୁରାଇବା ଭଲ।”
from Odisha Reporter http://bit.ly/2UE0XTX
No comments:
Post a Comment