ସବୁ ନୂଆମୁହଁ, କାହାକୁ ଭରସା କରିବେ ଭୋଟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 4, 2019

ସବୁ ନୂଆମୁହଁ, କାହାକୁ ଭରସା କରିବେ ଭୋଟର

ଲୋଇସିଂହା (ମନୋରଞ୍ଜନ ଯୋଶୀ/ଘଟେଶ୍ୱର ମିଶ୍ର): ବଲାଙ୍ଗୀର ଲୋକସଭା ଅଧୀନରେ ରହିଛି ୬୬ ନମ୍ବର ସଂରକ୍ଷିତ ଲୋଇସିଂହା ବିଧାନସଭା କ୍ଷେତ୍ର। ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୧୮ ତାରିଖରେ ଏହି ଆସନ ପାଇଁ ହେବ ମତଦାନ। ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିବା ପରେ ଆରମ୍ଭ ହୋଇଯାଇଛି ପ୍ରଚାର କାମ।

ରାଜନୈତିକ ସ୍ଥିତି
ରାଜ୍ୟ ରାଜନୀତିରୁ ଜିଲ୍ଲା ରାଜନୀତି, ସବୁବେଳେ ଚର୍ଚ୍ଚାରେ ଥାଏ ଲୋଇସିଂହା ନିର୍ବାଚନ ମଣ୍ଡଳୀ। ଏହି ଆସନରୁ ବହୁ ତୁଙ୍ଗ ନେତା ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ଏବଂ ଅନେକ ଏଠାରୁ ମନ୍ତ୍ରୀ ମଧ୍ୟ ହୋଇଛନ୍ତି। ବର୍ତ୍ତମାନର ବିରୋଧୀଦଳ ନେତା ନରସିଂହ ମିଶ୍ର ଏଠାରୁ ଜନତା ଦଳ ବିଧାୟକ ଭାବେ ନିର୍ବାଚିତ ହୋଇ ମନ୍ତ୍ରୀ ହୋଇଥିଲେ। ଗତଥର ଏହି ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ବିଜେଡି ବିଧାୟକ ଯୋଗେନ୍ଦ୍ର ବେହେରା ମନ୍ତ୍ରୀ ହୋଇଥିଲେ। ବିଜେଡିର ଅନଙ୍ଗ ଉଦୟ ସିଂଦେଓ ଏହି ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ଭାବେ ବିଜୟୀ ହୋଇଥିଲେ। ଗୋଟିଏ ପ୍ରକାର ଦେଖିବାକୁ ଗଲେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ବଲାଙ୍ଗିରର ହେଭିୱେଟ ନେତାମାନଙ୍କ ପ୍ରୟୋଗଶାଳା କହିଲେ ଅତ୍ୟୁକ୍ତି ହେବ ନାହିଁ।

ଏଥର କିନ୍ତୁ ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ ଦଳ ନିର୍ବାଚନ ରଣକ୍ଷେତ୍ରକୁ ନୂଆ ଯୋଦ୍ଧାଙ୍କୁ ଛାଡିଛନ୍ତି। ଖାଲି ନୂଆ ନୁହେଁ, ସମସ୍ତେ ଉଚ୍ଚ ଶିକ୍ଷିତ ମଧ୍ୟ।
ବିଜେଡି ବିଧାୟକ ଯୋଗେନ୍ଦ୍ର ବେହେରା ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କଲା ପରେ ନିଜ ପୁଅ ନିହାର ରଂଜନ ବେହେରାଙ୍କ ପାଇଁ ଲବି କରୁଥିଲେ। କିନ୍ତୁ ସେ ଲବି କାମ ଦେଲାନି। ନୂଆ ମୁହଁ ଖୋଜି ଦଳ ଶେଷରେ ଯନ୍ତ୍ରୀ ପ୍ରଦୀପ ବେହେରାଙ୍କୁ ପ୍ରାର୍ଥୀ କରିଛି।

ବିଜେପି ମଧ୍ୟ ପ୍ରଥମ ଥର ପାଇଁ ରାଜନୀତିରେ ପାଦ ଥାପିଥିବା ବୈଜ୍ଞାନିକ ମୁକେଶ ମହାଲିଙ୍ଗକୁ ପ୍ରାର୍ଥୀ କରିଛି ସେପଟେ କଂଗ୍ରେସ ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କ ଅନୁଗତ ଜଣେ ଯୁବନେତା ନବକିଶୋର ନାଏକଙ୍କୁ ପ୍ରାର୍ଥୀ କରିଛି । ଲୋଇସିଂହାରେ ଏଥର ଯନ୍ତ୍ରୀ ଓ ବୈଜ୍ଞାନିକଙ୍କ ଭିତରେ ବିଗ ଫାଇଟ ହେବ ବୋଲି କହୁଛନ୍ତି ଭୋଟର।

ରାଜନୈତିକ ସ୍ଥିତି
୧୯୫୭ ମସିହାରେ ଲୋଇସିଂହା ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠନ କରାଯାଇଥିଲା। ଏହି ବିଧାନସଭାରେ ଗଣତନ୍ତ୍ର ପରିଷଦ ଦଳରୁ ବିଜୟୀ ହୋଇ ପ୍ରଥମ ବିଧାୟକ ହୋଇଥିଲେ ରାମ ପ୍ରସାଦ ମିଶ୍ର। ଏହି ନିର୍ବାଚନ ମଣ୍ଡଳୀରୁ ପ୍ରତ୍ୟେକ ଦଳରୁ କେହି ନା କେହି ସଫଳତା ପାଇ ବିଧାୟକ ହୋଇଛନ୍ତି। ଏଠାରୁ ବିଜେପି, କଂଗ୍ରେସ, ଜନତା ଦଳ ପ୍ରାର୍ଥୀ ଥରେ ଲେଖାଏ ବିଧାୟକ ହୋଇଥିବା ବେଳେ, ବିଜେଡି ଦୁଇଥର, ତିନି ଥର ସ୍ୱତନ୍ତ୍ର ପାର୍ଟି, ଦୁଇଥର ଗଣତନ୍ତ୍ର ପରିଷଦ ଏବଂ ତିନିଥର ସ୍ୱାଧୀନ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି।

ସବୁ ନିର୍ବାଚନ ଭିତରୁ କିନ୍ତୁ ରୋଚକ ଥିଲା ୨୦୦୦ ନିର୍ବାଚନ। ୨୦୦୦ ନିର୍ବାଚନରେ ବିଜେପି ଦଳରୁ ବାଳଗୋପାଳ ମିଶ୍ର ପ୍ରାର୍ଥୀ ହୋଇଥିବା ବେଳେ ଓଡ଼ିଶା ଗଣପରିଷଦରୁ ପ୍ରାର୍ଥୀ ହୋଇଥିଲେ ବର୍ତ୍ତମାନର ବିରୋଧୀଦଳ ନେତା ନରସିଂହ ମିଶ୍ର। ନରସିଂହ ମିଶ୍ରଙ୍କ ଭଉଣୀଙ୍କୁ ବାଳଗୋପାଳ ବାହା ହୋଇଥିବାରୁ ସଂର୍ପକରେ ଉଭୟ ଶଳା-ଭେଣେଇ। ଲଢେଇରେ ଶାଳକ ବାଳଗୋପାଳ ମିଶ୍ର ଜିତି ବିଧାୟକ ହୋଇଥିଲେ। ତା ପରେ ୨୦୦୪ ନିର୍ବାଚନରେ ନରସିଂହ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିପକ୍ଷରେ ସ୍ୱାଧୀନ ଭାବରେ ପ୍ରାର୍ଥୀ ହୋଇଥିଲେ ବାଳଗୋପଳ ମିଶ୍ରଙ୍କ ପୁଅ ‌ଆକାଶ ମିଶ୍ର ଅର୍ଥାତ ନରସିଂହ ମିଶ୍ରଙ୍କ ଭଣଜା‌। ତେଣୁ ୨୦୦୪ ମସିହାରେ ଦେଖିବାକୁ ମିଲିଥିଲା ମାମୁ-ଭଣଜା ଲଢେଇ। ଏଥର କିନ୍ତୁ ମାମୁ ନରସିଂହ ଭଣଜା ଆକାଶ ମିଶ୍ରଙ୍କୁ ପରାସ୍ତ କରି ବାଜି ମାତ କରିଥିଲେ। ଦୀର୍ଘ ବର୍ଷରୁ ଦୁଇ ମିଶ୍ର ପରିବାର ଏହି ନିର୍ବାଚନ ମଣ୍ଡଳୀରେ ନିଜର ଦବଦବା ଦେଖାଇ ଆସୁଥିବା ବେଲେ, ୨୦୦୯ ନିର୍ବାଚନରେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନୁସୁଚିତ ଜାତିଙ୍କ ପାଇଁ ସଂରକ୍ଷିତ ବୋଲି ଘୋଷଣା କରାଗଲା। ଫଳରେ ଦୁଇ ପରିବାରର ସଦସ୍ୟ ଏଠାରୁ ଆଉ ନିର୍ବାଚନ ଲଢି ପାରିଲେ ନାହିଁ। କିନ୍ତୁ ଯେଉଁ ଦଳର ଯିଏ ପ୍ରାର୍ଥୀ ହେଲେ ମଧ୍ୟ ଏହି ଦୁଇ ପରିବାରର ସଦସ୍ୟ ପରଦା ପଛର ନାୟକ ଭାବରେ ନିଜର ଦବଦବା ଜାହିର କରିଥାନ୍ତି।

ଗତ ନିର୍ବାଚନରେ ବିଜେଡି ସେ ସମୟର ବିଧାୟକ ରମାକାନ୍ତ ସେଠଙ୍କୁ କାଟି ଟିକେଟ ଦେଇଥିଲା ଟିଟିଲାଗଡର ୫ ଥର ବିଧାୟକ ହୋଇଥିବା ଯୋଗେନ୍ଦ୍ର ବେହେରାଙ୍କୁ। ଟିଟିଲାଗଡରୁ ଆସି ଲୋଇସିଂହାରୁ ନିର୍ବାଚନ ଲଢିବା କଷ୍ଟକର ହୋଇଥିଲେ ମଧ୍ୟ ବିଜେଡି ହାୱାରେ ବିଜୟୀ ହୋଇଥିଲେ ଯୋଗେନ୍ଦ୍ର।

ଯୋଗେନ୍ଦ୍ରଙ୍କୁ କଡା ଟକ୍କର ଦେଇଥିଲେ ଜାତୀୟ କଂଗ୍ରେସର ପ୍ରାର୍ଥୀ ପାଣ୍ଡବ କୁମ୍ଭାର। ୨୦୦୯ରେ ପାଣ୍ଡବ କଂଗ୍ରେସରୁ ଲଢିଥିବା ବେଳେ ୨୦୧୪ରେ ମଧ୍ୟ ତାଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ ।
ବିଜେପିରୁ ପ୍ରାର୍ଥୀ ହୋଇଥିଲେ ମଘା କୁମ୍ଭାର। କିନ୍ତୁ କଂଗ୍ରେସ ପ୍ରାର୍ଥୀଙ୍କୁ ଠାରୁ ୨୦ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ ବିଜେଡି ପ୍ରାର୍ଥୀ ଯୋଗେନ୍ଦ୍ର । ୬ ଥରର ବିଧାୟକ ଯୋଗେନ୍ଦ୍ରଙ୍କୁ ମନ୍ତ୍ରୀମଣ୍ଡଳରେ ଜାଗା ମିଲିଥିଲା । ଅଣୁ ଓ କ୍ଷୁଦ୍ର ଶିଳ୍ପ ସହିତ ପେନସନ ବିଭାଗର ମନ୍ତ୍ରୀ ଥିଲେ ଯୋଗେନ୍ଦ୍ର। କିନ୍ତୁ ବିଭିନ୍ନ ଘଟଣାରେ ଯୋଗେନ୍ଦ୍ର ଚର୍ଚ୍ଚାକୁ ଆସିଲା ପରେ ମନ୍ତ୍ରୀମଣ୍ଡଳରୁ ବାଦ ପଡିଥିଲେ। ଏଥର ଯୋଗେନ୍ଦ୍ର ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କଲା ପରେ ତାଙ୍କ ପୁଅକୁ ଦଳ ଟିକେଟ ଦେବ ବୋଲି ଅନେକ ଆଶା ରଖିଥିଲେ ହେଁ ଶେଷରେ ହତାଶ ହୋଇଥିଲେ।

ବିଜେଡି : ଗତ ଦୁଇଟି ନିର୍ବାଚନରେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଜେଡିର କବଜାରେ ଥିଲା। ୨୦୦୯ ରେ ରମାକାନ୍ତ ସେଠ ବିଜୟୀ ହୋଇଥିବା ବେଲେ, ୨୦୧୪ରେ ବିଜୟୀ ହୋଇଥିଲେ ଯୋଗେନ୍ଦ୍ର ବେହେରା । ଏଥର କିନ୍ତୁ ବିଜେଡି ବଦଳାଇ ଦେଇଛି ତାର ରଣନୀତି। ଜଣେ ସ୍ଥାନୀୟ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିଛି ଦଳ। ବିଦ୍ୟୁତ୍ ବିଭାଗର ଜଣେ ଏସ୍.ଡି.ଓ ପ୍ରଦୀପ ବେହେରାଙ୍କୁ ପ୍ରାର୍ଥୀ କରିଛି। ଯାହା ଫଳରେ ବିଧାୟକ ଯୋଗେନ୍ଦ୍ର ବେହେରାଙ୍କ ନୋମିନୀ ତଥା ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିବଦତ୍ତ ମିଶ୍ର ହଜାର ହଜାର ସମର୍ଥକଙ୍କ ସହିତ ବିଜେଡି ଛାଡି ଯୋଗ ଦେଇଛନ୍ତି ବିଜେପିରେ। ଗୋଟିଏ ପଟେ, ବିଜେଡିରେ ବିଦ୍ରୋହ ଦେଖାଦେଇଥିବା ବେଳେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତିକୁ ସାହାରା କରି ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ ରଖିଛନ୍ତି ପ୍ରଦୀପ।

କଂଗ୍ରେସ: କଂଗ୍ରେସ ଦଳ ମଧ୍ୟ ଏଥର ନୂଆ ମୁହଁକୁ ସାମ୍ନାକୁ ଆଣିଛି। ଗତଥର ଲୋଇସିଂହା ପଞ୍ଚାୟତ ସରପଞ୍ଚ ଥିବା ନବକିଶୋର ନାଏକଙ୍କୁ ପ୍ରାର୍ଥୀ କରିଛି । ନିର୍ବାଚନ ମଣ୍ଡଳୀରେ ନବକିଶୋରଙ୍କ ସେତେଟା ଦବଦବା ନଥିଲେ ମଧ୍ୟ ନରସିଂହ ମିଶ୍ରଙ୍କ ଦମ୍‌ରେ ନିର୍ବାଚନ ଲଢୁଛନ୍ତି । ନରସିଂହ ମିଶ୍ର ଏଠାରେ ବିଧାୟକ ଥିବାବେଳେ, ଅନେକ ଉନ୍ନତିମୂଳକ କାମ କରିଥିଲେ । କଂଗ୍ରେସ ବିଜୟୀ ହେଲେ, ଲୋଇସିଂହାର ବିକାଶ ହେବ ବୋଲି ଭୋଟରଙ୍କୁ ବୁଝାଉଛନ୍ତି ନବ। ଏହା ସହିତ କଂଗ୍ରେସ ଜିଲ୍ଳା ସଭାପତି ଦିଲୀପ ବେହେରାଙ୍କ ଘର ମଧ୍ୟ ଲୋଇସିଂହାରେ। ତେଣୁ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ଫୁଲ୍‌ ଦମରେ ଲାଗିପଡିଛନ୍ତି ଦିଲୀପ।

ବିଜେପି: କଂଗ୍ରେସ ଓ ବିଜେଡି ଦଳ ତୁଳନାରେ ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ଏଥର ବିଜେପିର ପଲ୍ଲା ଟିକେ ଭାରି ଥିବାପରି ମନେ ହେଉଛି। ବିଜେପି ଏଥର ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ବୈଜ୍ଞାନିକ ଭାବେ କାମ କରୁଥିବା ମୁକେଶ ମହାଲିଙ୍ଗକୁ ପ୍ରାର୍ଥୀ କରିଛି। ଜଣେ ଶାନ୍ତଶିଷ୍ଟ, ଉଚ୍ଚ ଶିକ୍ଷିତ, ମେଳାପି ବ୍ୟକ୍ତି ଭାବେ ବେଶ ପରିଚିତ ମୁକେଶ। ବିଜେଡି ବିଦ୍ରୋହୀ ଶିବଦତ୍ତ ମିଶ୍ର ହଜାର ହଜାର ସମର୍ଥକଙ୍କ ସହିତ ବିଜେପିରେ ମିଶିବା ପରେ ମୁକେଶ ରାସ୍ତା ଆହୁରି ସଫା ହୋଇ ଯାଇଛି। ଏହା ସହିତ ଗତ ପଞ୍ଚାୟତ ନିର୍ବାଚନରେ ଲୋଇସିଂହା ନିର୍ବାଚନ ମଣ୍ଡଳୀର ସାତଟି ଜିଲ୍ଳା ପରିଷଦରୁ ୬ଟି ବିଜେପି ଅକ୍ତିଆର କରିଥିବା। ମାତ୍ର ଗୋଟିଏରେ ବିଜେଡି ବିଜୟୀ ହୋଇଥିଲା। ଏହା ସହିତ ଲୋଇସିଂହା ନିର୍ବାଚନ ମଣ୍ଡଳୀର ବିଜେପି ଜିଲ୍ଲା ପରିଷଦ ସଭ୍ୟା ଭାରତୀ ମହାନନ୍ଦ ବଲାଙ୍ଗିର ଜିଲ୍ଲା ପରିଷଦର ଅଧ୍ୟକ୍ଷା ରହିଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ନିର୍ବାଚନ ବୈତରଣୀ ଖୁବ୍‌ ସହଜରେ ପାରି ହେବେ ବୋଲି ସେ କହିଛନ୍ତି।



from Odisha Reporter https://ift.tt/2G0FydB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages