ରାଜନୀତି ପଡ଼ିଆରେ କ୍ରୀଡ଼ାବିତ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 27, 2019

ରାଜନୀତି ପଡ଼ିଆରେ କ୍ରୀଡ଼ାବିତ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜନୀତିର ଲଲିପପ୍‌ର ସମସ୍ତଙ୍କୁ ଟାଣୁଛି। ବିଶେଷକରି ଷ୍ଟାରମାନଙ୍କୁ। ରାଜନୀତିରେ ସିନେ ଷ୍ଟାର ତ ଆଜିକାଲିର ଏକ ଟ୍ରେଣ୍ଡ । ତେବେ ଏହି ଧାରାରେ ଖେଳାଳିମାନେ ବି ପଛରେ ନାହାନ୍ତି। ନିକଟରେ କ୍ରିକେଟ ଖେଳାଳି ଗୌତମ ଗମ୍ଭୀରଙ୍କୁ ଏହି ଲଲିପପ୍‌ ଟାଣିଆଣିଛି ରାଜନୀତିର ମଇଦାନକୁ। ଗତମାସରେ ଗୌତମ ବିଜେପିରେ ମିଶିଥିଲେ। ଏବେ ଦଳ ତାଙ୍କୁ ପୂର୍ବ ଦିଲ୍ଲୀରୁ ଲୋକସଭା ପ୍ରାର୍ଥୀ କରିଛି। ଗୌତମଙ୍କ ପୂର୍ବରୁ ଅନେକ ଖେଳାଳି ରାଜନୀତିକୁ ଆସିଥିବା ସମସ୍ତେ ଜାଣନ୍ତି।

ଓଡ଼ିଶା ଉପରେ ନଜର ପକାଇଲେ ଦେଖିବା, ହକି ଟିମ୍‌ର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କି ପ୍ରଥମେ ମନୋନୀତ ହୋଇଥିଲେ ରାଜ୍ୟସଭାକୁ। ପରେ ୨୦୧୪ ନିର୍ବାଚନରେ ସେ ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ବିଜେଡି ଟିକଟରେ ଲଢ଼ି ହାରିଥିଲେ। ସେହିପରି ବଲାଙ୍ଗୀର ଲୋକସଭା ସାଂସଦ କଲିକେଶ ନାରାୟଣ ସିଂହଦେଓ ଜଣେ ଜାତୀୟ ସ୍ତରର ଶୁଟର। ୧୯୯୧ରେ ନ୍ୟାସନାଲ ଜୁନିୟର ଶୁଟିଂ ଚାମ୍ପିୟନସିପ୍‌ରେ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ। କଲିକେଶ ୨୦୦୯ ଏବଂ ୨୦୧୪ ବଲାଙ୍ଗୀର ଲୋକସଭା ଆସନରୁ ବିଜେଡି ଟିକଟରେ ଲଢ଼ି ଜିତି ଆସିଛନ୍ତି। ୨୦୧୯ ନିର୍ବାଚନରେ ମଧ୍ୟ ସେହି ଆସନରୁ ସେ ଲଢୁଛନ୍ତି।

ଭାରତୀୟ କ୍ରକେଟ୍‌ ଟିମ୍‌ର ପୂର୍ବତନ କ୍ୟାପ୍‌ଟେନ ତଥା ଭାରତର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ମହମ୍ମଦ ଆଝାରୁଦ୍ଦିନ ମ୍ୟାଚ୍ ଫିକ୍ସିଂ ବିବାଦରେ ଫସି ଖେଳରୁ ଅବ୍ୟାହତି ନେଇଥିଲେ। ପରେ ସେ ରାଜନୀତିରେ ସାମିଲ ହୋଇଥିଲେ। ୨୦୦୯ରେ କଂଗ୍ରେସ ଟିକେଟରେ ଉତ୍ତରପ୍ରଦେଶ ମୋରଦାବାଦ ଲୋକସଭା ଆସନରୁ ଲଢି ଜିତିଥିଲେ।

ଭାରତ କ୍ରିକେଟ ଇତିହାସର ଜଣେ କିମ୍ବଦନ୍ତୀ ଖେଳାଳି ହେଉଛନ୍ତି ଟାଇଗର ପଟୌଦି ଆର୍ଥାତ ମନସୁର୍‌ ଅଲ୍ଲୀ ଖାନ ପଟୌଦି। ରାଜନୀତିରେ ଯୋଗ ଦେଇ ପ୍ରଥମେ ସେ ୧୯୭୧ରେ ସାଧାରଣ ନିର୍ବାଚନ ଲଢ଼ିଥିଲେ। ସେ ହରିଆନା ପାର୍ଟି ଟିକେଟରେ ଗୁରୁଗାଓଁରୁ ନିର୍ବାଚନ ଲଢିଥିଲେ। ପରେ କଂଗ୍ରେସ ଟିକେଟରେ ଭୋପାଳରୁ ନିର୍ବାଚନ ଲଢ଼ିଥିଲେ। ହେଲେ ଦୁଇଥର ଯାକ ତାଙ୍କୁ ହାରିବାକୁ ପଡ଼ିଥିଲା

ରାଜନୀତିକୁ ଓହ୍ଲାଇଥିବା ଆଉ ଜଣେ ଖେଳାଳି ହେଉଛନ୍ତି ନବଜୋତ୍‌ ସିଂ ସିଦ୍ଧୁ। ସେ  ୨୦୦୪ ସାଧାରଣ ନିର୍ବାଚନରେ ଅମୃତସର ଲୋକସଭା ଆସନରୁ ବିଜେପି ଟିକେଟରେ ଲଢ଼ି ଜତିଥିଲେ। ୨୦୦୯ ନିର୍ବାଚନରେ ମଧ୍ୟ ସେ ସେହି ଆସନରୁ ଆଉ ଥରେ ଲଢ଼ି ଜିତିଥିଲେ। ୨୦୧୪ ନିର୍ବାଚନ ସେ ଲଢ଼ି ନ ଥିଲେ ମଧ୍ୟ ୨୦୧୬ରେ ବିଜେପି ସରକାର ତାଙ୍କୁ ରାଜ୍ୟସଭା ସାଂସଦ ଭାବେ ମନୋନୀତ କରିଥିଲା। ଏବେ ବିଜେପି ଛାଡ଼ି ସିଦ୍ଧୁ କଂଗ୍ରେସ ହାତ ଧରିଛନ୍ତି।

ବିଶ୍ୱକପ୍‌ ବିଜେତା ଟିମ ସଦସ୍ୟ କୀର୍ତ୍ତି ଆଜାଦ୍‌ ୧୯୯୩ରୁ କ୍ରିକେଟ ଫିଲ୍‌ଡ ଛାଡି ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି। ଅବଶ୍ୟ ପରିବାରବାଦ ରାଜନୀତି ତାଙ୍କୁ ବି ଟାଣି ଧରିଛି। କୀର୍ତ୍ତିଙ୍କ ବାପା ଭଗବତ ଝା ଆଜାଦ୍‌ ବିହାର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଥିଲେ। କୀର୍ତ୍ତି ୧୯୯୩ ସାଧାରଣ ନିର୍ବାଚନରେ ଦିଲ୍ଲୀ ବିଧାନସଭା ଆସନ ପାଇଁ ଲଢିଥିଲେ। ପରେ ସେ ବିଜେପିରେ ମିଶି ବିହାରର ଦରଭଙ୍ଗା ଆସନରୁ ତିନିଥର ଜିତିଥିଲେ। ଏବେ ସେ ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହୋଇଛନ୍ତି।

ଟେଷ୍ଟ ମ୍ୟାଚ୍‌ରେ ସୁନୀଲ ଗାଭାସ୍କରଙ୍କ ଓପନିଙ୍ଗ ପାର୍ଟନର ଥିବା ଚେତନ ଚୌହାନ ୨ ଥର ଉତ୍ତରପ୍ରଦେଶର ଆମ୍ରୋହ ଲୋକସଭା ଆସନରୁ ଲଢ଼ି ଜିତିଛନ୍ତି। ସେ ୧୯୮୧ରେ ତାଙ୍କ କ୍ରକେଟ କ୍ୟାରିଅର ଶେଷ କରି ରାଜନୀତିକୁ ଆସିଥିଲେ। ପ୍ରଥମେ ସେ ଭାରତୀୟ ଜନତା ପାର୍ଟିରୁ ଲଢ଼ିଥିଲେ।

୨୦୦୦ରୁ ୨୦୦୬ ମଧ୍ୟରେ ୧୨୫ ୱାନ ଡେ ଏବଂ ୧୩ଟି ଟେଷ୍ଟ ଖେଳିଥିବା କ୍ରିକେଟ ଖେଳାଳି ମହମ୍ମଦ କୈଫ ୨୦୧୪ ସାଧାରଣ ନିର୍ବାଚନରେ ଭାଗ ନେଇଥିଲେ। ସେ ଉତ୍ତର ପ୍ରଦେଶ ଫୁଲପୁର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିଲେ।

ଦେଶର ଜଣେ ଖ୍ୟାତନାମା ଧାବିକା ଜ୍ୟୋର୍ତିମୟୀ ସିକ୍‌ଦାର। ୧୯୯୮ ଏସିଆନ ଗେମ୍‌ରେ ଦୁଇ ଦୁଇଟି ଗୋଲ୍‌ଡ ମେଡାଲ ବିଜେତା । ସେ ୨୦୦୪ରେ ରାଜନୀତିରେ ପ୍ରବେଶ କରିଥିଲେ। ପଶ୍ଚିମବଙ୍ଗ କ୍ରିଷ୍ଟନଗର ଲୋକସଭା ଆସନରୁ ସିପିଏମ ଟିକେଟରେ ଲଢି ଜିତିଥିଲେ।

୨୦୦୪ ଅଲମ୍ପିକର ପଦକ ବିଜେତା ଡବ୍‌ଲ ଟ୍ରାପ ଶୁଟର ରାଜ୍ୟବର୍ଦ୍ଧନ ସିଂ ରାଠୋର ଏବେ ଭାରତୀୟ ଜନତା ପାର୍ଟିରେ। ସେ  ୨୦୧୪ରେ ରାଜନୀତିରେ ପ୍ରବେଶ କରିଥିଲେ। ରାଜସ୍ଥାନର ଜୟପୁର ରୁରାଲ ଲୋକସଭା ଆସନରୁ ଲଢ଼ି ଜିତିଥିଲେ। ସେ ମୋଦି ସରକାରରେ ସୂଚନା ଓ ପ୍ରସାରଣ ବିଭାଗ ମନ୍ତ୍ରୀ ଥିଲେ। ୨୦୧୯ରେ ମଧ୍ୟ ସେ ଏହି ଆସନରୁ ଲଢୁଛନ୍ତି। ସବୁଠାରୁ ମଜା କଥା ହେଲା, ଏହି ଆସନରେ ତାଙ୍କର ଲଢ଼େଇ ହେବ ଆଉ ଜଣେ ଖେଳାଳିଙ୍କ ସହ। ସେ ହେଲେ କଂଗ୍ରେସ ପ୍ରାର୍ଥୀ କ୍ରିଷ୍ଣା ପୁନିଆ । ପୁନିଆ କମନୱେଲ୍‌ଥ ଗେମ୍‌ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।



from Odisha Reporter http://bit.ly/2GP9oDs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages