
ଲଣ୍ଡନ୍: ଶ୍ରୀଲଙ୍କା ଆଇଏସ୍ ହମ୍ଲାର ଭୟ ଏବେ ବ୍ରିଟେନ୍ରେ ପହଞ୍ଚିସାରିଛି। ବ୍ରିଟେନ୍ ସୁରକ୍ଷା କର୍ମୀ ବର୍ତ୍ତମାନ ‘କ୍ରୋକୋଡାଇଲ ସେଲ୍’ ବା ‘ସ୍ଲିପର ସେଲ୍’ଙ୍କୁ ଖୋଜୁଛନ୍ତି। ବ୍ରିଟେନ୍ ଏବଂ ୟୁରୋପରେ ଆତଙ୍କୀ ହମ୍ଲା ଷଡ଼ଯନ୍ତ୍ର ରଚାଯାଉଥିବା ସନ୍ଦେହରେ ଏହି ଖାନ୍ ତଲାସି କରାଯାଉଛି। ଶ୍ରୀଲଙ୍କାରେ ୨୫୩ ଜଣଙ୍କ ଜୀବନ ନେଇଥିବା ହମ୍ଲା ପରି ବ୍ରିଟେନ୍ରେ ମଧ୍ୟ ଆକ୍ରମଣ ହେବାର ଆଶଙ୍କା ରହିଥିବାରୁ ବିଭିନ୍ନ ଚର୍ଚ୍ଚ ଓ ମସଜିଦ୍ ମୁଖ୍ୟମାନଙ୍କୁ ଆତଙ୍କୀ ନିରୋଧୀ ତାଲିମ ଦିଆଯାଇ ସେମାନଙ୍କୁ ଏଥିପାଇଁ ପ୍ରସ୍ତୁତ ରଖାଯାଉଛି।
ଲଣ୍ଡନ୍ର କିଙ୍ଗ୍ସ କଲେଜ୍ ଅଧୀନରେ ଥିବା ଇଣ୍ଟରନ୍ୟାସନାଲ ସେଣ୍ଟର ଫର ଦି ଷ୍ଟଡି ଅଫ୍ ରାଡିକାଲାଇଜେସନ୍ର ଗବେଷକ ଚାର୍ଲି ୱିଣ୍ଟର କହିଛନ୍ତି, ଆଇଏସ୍ଆଇଏସ୍ ସିରିଆ ଏବଂ ଇରାକ୍ରେ ପରାଜୟ ବରଣ କରିଛ, ବର୍ତ୍ତମାନ ଏହି ଅଞ୍ଚଳ ବାହାରେ ଏହି ସଂଗଠନ ନିଜର କାୟା ବିସ୍ତାର କରୁଛି। ଏହାର ମୁଖ୍ୟ ଉତ୍ସ ଦୁର୍ବଳ ହେବା ଆରମ୍ଭ କରୁଥିବାରୁ ବାହାରେ ଏହି ସଂଗଠନ ହିଂସ୍ର ହେବ। ଆଗକୁ ଅନେକ ହମ୍ଲା ଏବଂ ହମ୍ଲା ପାଇଁ ପ୍ରୟାସ ଦେଖିବାକୁ ପାଇବା।
ବର୍ତ୍ତମାନ ବ୍ରିଟେନ୍ ଗୁଇନ୍ଦା ବିଭାଗର ନଜରରରେ ରହିଛି ଶ୍ରୀଲଙ୍କାର ଆତ୍ମଘାତୀ ଆତଙ୍କୀ ଅବ୍ଦୁଲ ଲତିଫ୍ ଜମିଲ ମହମ୍ମଦ। ସେ ବ୍ରିଟେନ୍ରୁ ପଢ଼ାପଢ଼ି କରିଥିବାରୁ ତାର ବ୍ରିଟେନ୍ରେ ଥିବା ଚରମପନ୍ଥୀ ମୁସଲିମ୍ଙ୍କ ସହ କ’ଣ ସମ୍ପର୍କ ରହିଛି ତାହା ମଧ୍ୟ ପରଖାଯାଉଛି। ଶ୍ରୀଲଙ୍କା ଆକ୍ରମଣରେ ଅନ୍ୟତମ ଷଡ଼ଯନ୍ତ୍ରକାରୀ ଲତିଫ୍ ଗୋପନୀୟ ଭାବରେ ସିରିଆ ଗସ୍ତ କରି ଆକ୍ରମଣ ପାଇଁ ପ୍ରସ୍ତୁତି କରିଥିଲା।
କୁହାଯାଉଛି ସେଠାରେ ଲତିଫ ସହିତ ବ୍ରିଟିଶ ଆଇଏସ୍ଆଇଏସ୍ ଆତଙ୍କୀ ଏବଂ ତାଲିମପ୍ରଦାନକାରୀ ଏବଂ ଜିହାଦ୍ ଜନ୍ ନାମକ ଜଣେ ଆତଙ୍କବାଦୀ ଭେଟ ହୋଇଥିଲେ। ଏହାପରେ ଲତିଫ୍କୁ ଶ୍ରୀଲଙ୍କା ପଠାଯାଇଥିଲା ଯେ କି ସେଠାକାର ସ୍ଲିପର ସେଲଙ୍କୁ ସକ୍ରିୟ କରିଥିଲା। ବ୍ରିଟିଶ୍ ଜିହାଦୀମାନେ ଅନ୍ଲାଇନ୍ରେ ତା’ ସହ ଯୋଗାଯୋଗରେ ଥିଲେ। ସିରିଆରେ ସେ ବେଶ୍ କିଛି ମାସ ତାଲିମ ନେଇଥିବା ଜଣାପଡ଼ିଛି।
ଅନ୍ୟ ଏକ ଥିଓରୀରୁ କୁହାଯାଉଛି, ଲତିଫ୍ କିଙ୍ଗଷ୍ଟନ୍ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ସମୟରେ ହିଜବ୍-ଉତ୍-ତାହିରର ପ୍ରଭାବରେ ପଡ଼ିଥିଲା। ୨୦୦୦ ମସିହା ପାଖାପାଖି ସେ ଏହି ବିଶ୍ୱବିଦ୍ୟାଳୟରେ ପଢ଼ୁଥିଲେ। ଲତିଫ୍ ଏରୋନେଟିକ୍ ଇଞ୍ଜିନିୟରିଂ ପଢ଼ୁଥିବା ସମୟରେ ଏହି ବିଶ୍ୱବିଦ୍ୟାଳୟରେ ହିଜବ୍-ଉତ୍-ତାହିର ନିଜ ଦବ୍ଦବା ଦେଖାଇବା ଆରମ୍ଭ କରିସାରିଥିଲା।
from Odisha Reporter http://bit.ly/2UIHjBb
No comments:
Post a Comment