
କୋଲକାତା: ପଶ୍ଚିମବଙ୍ଗରେ ଆଇନଜୀବୀଙ୍କୁ ପୁଲିସ ମାଡ଼ ମାରିବା ଘଟଣା, ଗଣମାଧ୍ୟମ ରିପୋର୍ଟ ଆଧାରରେ ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ପଶ୍ଚିମବଙ୍ଗ ଡିଜିପିଙ୍କୁ ସମନ୍ କରିଛନ୍ତି। ୪ ସପ୍ତାହ ମଧ୍ୟରେ ସଂପୃକ୍ତ ଘଟଣାର ତଥ୍ୟ ଦେବାକୁ ଏନଏଚଆରସି ରିପୋର୍ଟ ତଲବ କରିଛି ।
ଉଲ୍ଲେଖଯୋଗ୍ୟ ଯେ ଚଳିତ ସପ୍ତାହର ବୁଧବାର ଦିନ ଗାଡ଼ି ପାର୍କିଂକୁ ନେଇ ହାଓ୍ୱଡ଼ା କୋର୍ଟର ଆଇନଜୀବୀ ଏବଂ ହାଓ୍ୱଡ଼ା ମ୍ୟୁନିସିପାଲଟି କର୍ପୋରେସନ କର୍ମଚାରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ସ୍ଥାନୀୟ ପୁଲିସ ଏହି ଘଟଣାରେ ଆଇନଜୀବୀ ଓ କୋର୍ଟ କର୍ମଚାରୀଙ୍କୁ ମାଡ଼ ମାରିଥିଲା। ଯେଉଁଥିରେ ୨୦ ଜଣ ଆହତ ହୋଇଥିବା ସୂଚନା ରହିଛି।
ତେବେ ରାଜ୍ୟ ପୁଲିସର ଏଭଳି ଆକ୍ରୋଶମୂଳକ କାର୍ଯ୍ୟକୁ ବିରୋଧ କରି ପଶ୍ଚିମବଙ୍ଗ ବାର ଆସୋସିଏସନ ୨୯ ତାରିଖ ଯାଏ କାର୍ଯ୍ୟ ବନ୍ଦ କରିଛନ୍ତି। ଏପ୍ରିଲ ୨୯ ତାରିଖ ଅପରାହ୍ନ ୪ଟା ମଧ୍ୟରେ ମାମଲାର ସମାଧାନ ପାଇଁ ପୁଲିସକୁ ଅବଗତ କରାଇଛି ପଶ୍ଚିମବଙ୍ଗ ବାର ଆସୋସିଏସନ। ନଚେତ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ବାର କାଉନସିଲର ଅଧ୍ୟକ୍ଷ ଅଶୋକ ଦେବ କହିଥିଲେ।
ହାଓ୍ୱଡ଼ା ପୁଲିସ ହାଓ୍ୱଡ଼ା କୋର୍ଟର ଆଇନଜୀବୀ ଓ କର୍ମଚାରୀଙ୍କୁ ଆକ୍ରୋଶମୂଳକ ଭାବରେ ବ୍ୟବହାର କରିବା ସାଙ୍ଗକୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହାପରେ ସଂପୃକ୍ତ ପୁଲିସ ଅଧିକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ଆଇନଜୀବୀ।
ଏପ୍ରିଲ ୩୦ ତାରିଖ ଦିନ ପଶ୍ଚିମବଙ୍ଗର ଆଇନଜୀବୀଙ୍କ ଏକ ପ୍ରତିନିଧି ଦଳ କୋଲକାତା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଭେଟି ରାଜ୍ୟ ପୁଲିସର ଏପରି କାର୍ଯ୍ୟକଳାପ ବାବଦରେ ଅବଗତ କରାଇବେ ବୋଲି ସୂଚନା ରହିଛି।
from Odisha Reporter http://bit.ly/2VAQHeY
No comments:
Post a Comment