
ଚଣ୍ଡିଗଡ଼: ଚଳିତ ଆଇପିଏଲର ୨୮ତମ ମ୍ୟାଚ୍ ଶନିବାର କିଙ୍ଗସ ଇଲେଭେନ୍ ପଞ୍ଜାବ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ କ୍ରିସ ଗେଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୭୩ ରନ୍ କରିଛି।
ପଞ୍ଜାବ ପକ୍ଷରୁ ଗେଲ୍ ସର୍ବାଧିକ ୯୯ (୬୪ ବଲ, ୧୦ ଚୌକା, ୫ ଛକା) ରନ୍ କରି ୧ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଛନ୍ତି। ଲଗାତାର ୬ଟି ମ୍ୟାଚରେ ପରାସ୍ତ ହୋଇଥିବା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଆରସିବିକୁ ସିଜନରେ ପ୍ରଥମ ବିଜୟ ପାଇଁ ୧୭୪ ରନ୍ କରିବାକୁ ପଡ଼ିବ।
ପଞ୍ଜାବ କ୍ରିକେଟ୍ ଆସୋସିଏସନ୍ ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ଆରସିବି ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ବ୍ୟାଟିଂ କରିଥିବା ପଞ୍ଜାବ ପକ୍ଷରୁ ଗେଲ ଓ ଲୋକେଶ ରାହୁଲ ଇନିଂସ ଓପନ୍ କରିଥିଲେ।
ଦୁହେଁ ପ୍ରଥମ ୱିକେଟ୍ ପାଇଁ ୬୨ ରନ୍ ଯୋଡ଼ିଥିଲେ। ମୁମ୍ବାଇ ବିପକ୍ଷ ମ୍ୟାଚରେ ଶତକ ମାରିଥିବା ରାହୁଲ ୧୮ ରନ୍ କରି ଷ୍ଟମ୍ପ୍ ଆଉଟ୍ ହୋଇଥିଲେ। ଏହା ପରେ ଗେଲ୍ ଗୋଟିଏ ପଟେ ଛିଡ଼ା ହୋଇଥିବା ବେଳେ ଅନ୍ୟପଟେ ୱିକେଟ୍ ପତନ ହେବାରେ ଲାଗିଥିଲା। ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ମୟଙ୍କ ଅଗ୍ରୱାଲ ମାତ୍ର ୧୫ (୯ ବଲ୍, ୧ ଚୌକା, ୧ ଛକା) ରନ୍ କରି ଚହଲଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ।
ସର୍ଫରାଜ ଖାନ୍ (୧୫) ଓ ସାମ୍ କରାନ୍ (୧) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ଲଗାତାର ତିନୋଟି ୱିକେଟ୍ ପତନ ଦ୍ୱାରା ଗେଲଙ୍କ ଉପରେ ଚାପ ପଡ଼ିଥିଲା, ଯେଉଁକାରଣରୁ ସେ ଦ୍ରୁତ ରନ୍ କରିପାରି ନଥିଲେ। ତାଙ୍କୁ ଷଷ୍ଠ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ମନଦୀପ ସିଂହ ଭଲ ସହଯୋଗ କରିଥିଲେ। ଦୁହିଁଙ୍କ ମଧ୍ୟରେ ପଞ୍ଚମ ୱିକେଟ୍ ପାଇଁ ୬୦ ରନର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରୀ ହୋଇଥିଲା। ମନଦୀପ ୧୮ ରନ୍ କରି ଅପରାଜିତ ରହିଥିଲେ। ଆରସିବି ପକ୍ଷରୁ ଚହଲ୍ ୩୩ ରନ୍ ଦେଇ ୨ଟି ଓ ମୋଇନ ଅଲୀ ଗୋଟିଏ ୱିକେଟ୍ ନେଇଥିଲେ।
from Odisha Reporter http://bit.ly/2v2Nl5h
No comments:
Post a Comment