
ନୂଆଦିଲ୍ଲୀ: ଟିଭି କାର୍ଯ୍ୟକ୍ରମ କଫି ୱିଥ୍ କରନ୍ରେ ମହିଳାଙ୍କ ଉପରେ ଅରୁଚିକର ମନ୍ତବ୍ୟ ଦେଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ୍ ରାହୁଲଙ୍କ ଅଡ଼ୁଆ ପୁଣି ବଢ଼ିଛି। ଘଟଣାର ତଦନ୍ତ କରୁଥିବା ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ବିସିସିଆଇ ଅମବୁଡସମ୍ୟାନ୍ ଜଷ୍ଟିସ୍(ଅବସରପ୍ରାପ୍ତ) ଡିକେ ଜୈନ୍ ହାଜର ପାଇଁ ନୋଟିସ୍ କରିଛନ୍ତି। ଉଭୟ ରାହୁଲ ଓ ପାଣ୍ଡ୍ୟା ବ୍ୟକ୍ତିଗତ ଭାବେ ହାଜର ହୋଇ ନିଜର ମତ ରଖିବାକୁ ଏଥିରେ କୁହାଯାଇଛି।
ମହିଳାଙ୍କ ଉପରେ ଅରୁଚିକର ମନ୍ତବ୍ୟ ଦେଇଥିବାରୁ ପାଣ୍ଡ୍ୟା ଓ ରାହୁଲଙ୍କୁ ସିଓଏ ନିଲମ୍ବିତ କରିଥିଲା। ତେବେ କିଛି ଦିନ ପରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା ଓ ଘଟଣାର ତଦନ୍ତ ଅମବୁଡସମ୍ୟାନ୍ ଆରମ୍ଭ କରିଥିଲେ।
ଜଷ୍ଟିସ୍ ଜୈନ୍ କହିଛନ୍ତି, “ ମୁଁ ଗତ ସପ୍ତାହରେ ପାଣ୍ଡ୍ୟା ଓ ରାହୁଲଙ୍କୁ ନିଜର ପକ୍ଷ ରଖିବା ପାଇଁ ନୋଟିସ୍ ପଠାଇଛି। ସେମାନେ ଏହାର ଉତ୍ତର ଦେଇନାହାନ୍ତି। କୌଣସି ନିଷ୍ପତ୍ତିରେ ପହଞ୍ଚିବା ପୂର୍ବରୁ ସବୁ ପକ୍ଷଙ୍କୁ ଶୁଣିବା ଦରକାର। ତେଣୁ ସେମାନଙ୍କୁ ହାଜର ପାଇଁ ନୋଟିସ୍ କରାଯାଇଛି। ଏବେ ସେମାନେ କେବେ ଆସୁଛନ୍ତି, ତା’କୁ ଅପେକ୍ଷା କରାଯାଇଛି।”
ଅନ୍ୟପକ୍ଷରେ ଉଭୟ ପାଣ୍ଡ୍ୟା ଓ ରାହୁଲ ଏବେ ଆଇପିଏଲ୍ରେ ବ୍ୟସ୍ତ ରହିଛନ୍ତି। ଏଭଳି ସ୍ଥିତିରେ ଉଭୟଙ୍କୁ କେମିତି ଏକାଠି ଅମବୁଡସମ୍ୟାନ୍ଙ୍କ ଆଗରେ ହାଜର ପାଇଁ ସମୟ ନିର୍ଦ୍ଧାରଣ ହେବ, ସେ ଚିନ୍ତାରେ ବିସିସିଆଇ ରହିଛି।
ସମ୍ଭବତଃ ଏପ୍ରିଲ ୧୧ରେ ମୁମ୍ବାଇ ଠାରେ ପାଣ୍ଡ୍ୟାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଓ ରାହୁଲଙ୍କ କିଙ୍ଗ ଇଲେଭେନ୍ ପଞ୍ଜାବ ମଧ୍ୟରେ ମ୍ୟାଚ୍ ହେବ। ଏହା ପୂର୍ବରୁ ଉଭୟଙ୍କୁ ଏକାଠି ଅମବୁଡସମ୍ୟାନ୍ଙ୍କ ଆଗରେ ପକ୍ଷ ରଖିବାକୁ ସୁଯୋଗ ଦିଆଯିବା ନେଇ ବିସିସିଆଇ ଯୋଜନା କରିଛି।
from Odisha Reporter https://ift.tt/2uzX7f8
No comments:
Post a Comment