ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ଅଣ୍ଡା ଫେଣି ତରକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 6, 2019

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ଅଣ୍ଡା ଫେଣି ତରକାରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଣ୍ଡାର ବିଭିନ୍ନ ପ୍ରକାର ବ୍ୟଞ୍ଜନ ଆପଣ ଖାଇଥିବେ। ଏହା ସମସ୍ତଙ୍କୁ ଭଲ ଲାଗିଥାଏ। ତେବେ ଛୋଟ ପିଲାଙ୍କୁ ଏହା ବହୁତ ପସନ୍ଦ ଆସିଥାଏ। ଆଜି ଅଣ୍ଡା ବ୍ୟବହାର କରି ଆଉ ଗୋଟେ ସ୍ୱାଦିଷ୍ଟ ଆଇଟମ୍‌ ତିଆରି କରି ଖାଆନ୍ତୁ। ଏହା ଆପଣଙ୍କୁ ନିଶ୍ଚିତ ପସନ୍ଦ ଆସିବ।

ଆବଶ୍ୟକୀୟ ସାମଗ୍ରୀ

ଅଣ୍ଡା, ଅଦା ରସୁଣ ପେଷ୍ଟ, ଟମାଟୋ ପେଷ୍ଟ, ପିଆଜ ପେଷ୍ଟ, ତେଜ ପତ୍ର, ଶୁଖିଲା ଲଙ୍କା, ସୋରିଷ ତେଲ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଗରମ ମସଲା, ଜିରା ଗୁଣ୍ଡ, ଗୋଟା ଜିରା, ପାଣି, କଟା ଧନିଆ ପତ୍ର ଏବଂ ସ୍ୱାଦ ଅନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ ପାତ୍ରରେ ଆବଶ୍ୟକ ଅନୁସାରେ ଲୁଣ, ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ପତ୍ର, ଅଦା ରସୁଣ ପେଷ୍ଟ ଗୋଟେ ଚାମଚ, ପିଆଜ ଗୋଟେ ଚାମଚ ପକାଇ ସେଥିରେ ଅଣ୍ଡାକୁ ଭାଙ୍ଗି ପକାନ୍ତୁ। ଏହା ପରେ ସେହି ମସଲା ସହ ଅଣ୍ଡାକୁ ଭଲରେ ଫେଣ୍ଟି ଦିଅନ୍ତୁ।

ଏହା ପରେ ଗ୍ୟାସ୍‌ରେ ତାୱା ବସାଇ ଅଣ୍ଡା ଅମ୍‌ଲେଟ୍‌ କରନ୍ତୁ। ଏଠାରେ ମନେ ରଖନ୍ତୁ, ଆପଣ ଅମ୍‌ଲେଟ୍‌ କଲାବେଳେ କଞ୍ଚା ଥିବା ସମୟରେ ହିଁ ଅମ୍‌ଲେଟ୍‌କୁ ଗୋଲ୍‌କରି ମୋଡ଼ି ଦିଅନ୍ତୁ। ଏହା ପରେ ପ୍ରସ୍ତୁତ ହେଇଯିବ ଆପଣଙ୍କ ଅଣ୍ଡା ଫେଣୀ। ତା ପରେ ଫେଣୀର ଚାରିପାଖକୁ ଭଲରେ ଭାଜି ଦିଅନ୍ତୁ। ଏହିପରି ଆପଣ ଆବଶ୍ୟକ ଅନୁସାରେ ଫେଣୀ ପ୍ରସ୍ତୁତ କରିନିଅନ୍ତୁ।

ଫେଣୀ ପ୍ରସ୍ତୁତ କରି ସାରିଲା ପରେ ତାକୁ ଖଣ୍ଡ ଖଣ୍ଡ କରି କାଟି ଏକ ପାତ୍ରରେ ରଖନ୍ତୁ। ଏହା ପରେ ଗ୍ୟାସ୍‌ରେ କଡ଼େଇ ଗରମ କରି ସେଥିରେ ତେଲ ପକାନ୍ତୁ। ତା ପରେ ସେଥିରେ ଗୋଟା ଜିରା, ଶୁଖିଲା ଲଙ୍କା ତେଜପତ୍ର ପକାଇ ଅଳ୍ପ ଭାଜି ଦିଅନ୍ତୁ। ତା ପରେ ସେଥିରେ ପିଆଜ ପେଷ୍ଟ ପକାଇ ଅଳ୍ପ ସମୟ କଷନ୍ତୁ। ସେହିପରି ଅଦା ରସୁଣ ପେଷ୍ଟ ପକାଇ ମଧ୍ୟ କଷାଇ ଦିଅନ୍ତୁ। ମସଲା ଭଲରେ କଷେଇ ହୋଇ ଆସିଲେ, ସେଥିରେ ଟମାଟୋ ପେଷ୍ଟ ପକାଇ ଭଲରେ କଷାଇ ନିଅନ୍ତୁ।

ଏହା ପରେ ସେଥିରେ ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ ଏବଂ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲରେ ଗୋଳାଇ ଦିଅନ୍ତୁ। ସେଥିରେ ଅଳ୍ପ ପାଣି ଦେଇ ପୁଣି ଥରେ ମସଲାକୁ କଷାଇ ଦିଅନ୍ତୁ। ମସଲା ଶୁଖିଗଲା ପରେ ସେଥିରେ ଅଳ୍ପ ଝୋଳ ରହିଲା ଭଳି ପାଣି ଦେଇ ଫୁଟିବାକୁ ଛାଡ଼ି ଦିଅନ୍ତୁ। ଝୋଳ ଭଲରେ ଫୁଟି ଆସିଲେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଅଣ୍ଡା ଫେଣୀକୁ ସେଥିରେ ପକାଇ ଦିଅନ୍ତୁ। ଆଉ କିଛି ସମୟ ଫୁଟିବାକୁ ଛାଡ଼ି ଦିଅନ୍ତୁ। ଫୁଟିଗଲା ପରେ ସେଥିରେ ଗରମ ମସଲା ପକାଇ ଦିଅନ୍ତୁ। ଆପଣ ସେଥିରେ ଅଧିକା ଝୋଳ ରଖିବେ ନାହିଁ ବା ପୂରା ଗ୍ରେଭି ଭଳି ମଧ୍ୟ କରିବେ ନାହିଁ।

ଏହି ଭଳି କଲା ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ଅଣ୍ଡା ଫେଣି ତରକାରୀ। ଏହାକୁ ଆପଣ ରୁଟି ସହ ଖାଇଲେ ସ୍ୱାଦିଷ୍ଟ ଲାଗିଥାଏ।



from Odisha Reporter http://bit.ly/2U0ZMsq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages