କୁଆଡ଼େ ଗଲେ ଷ୍ଟାର ପ୍ରଚାରକ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 19, 2019

କୁଆଡ଼େ ଗଲେ ଷ୍ଟାର ପ୍ରଚାରକ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୨ଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ଦୁଇ ପ୍ରମୁଖ ରାଜନୀତିକ ଦଳ ବିଜେଡି ଓ କଂଗ୍ରେସ ନିଜର ଷ୍ଟାର ପ୍ରଚାରକମାନଙ୍କୁ ନିର୍ବାଚନୀ ମଇଦାନକୁ ଓହ୍ଲାଇ ପାରିନାହାନ୍ତି। ଜଣେ ଦୁଇଜଣ ଷ୍ଟାର ପ୍ରଚାରକଙ୍କୁ ଧରି ଏହି ଦୁଇ ଦଳ ନିଜର ନିର୍ବାଚନୀ ପ୍ରଚାର କରୁଥିବାବେଳେ ଅନ୍ୟ ଦଳୀୟ ଷ୍ଟାର ପ୍ରଚାରକମାନେ କାହିଁକି ଗାଏବ ରହିଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି। ଏପଟେ ବିଜେପି ନିଜର ଷ୍ଟାର ପ୍ରଚାରକମାନଙ୍କୁ ନିର୍ବାଚନୀ ପ୍ରଚାର ମଇଦାନକୁ ଓହ୍ଲାଇ ରାଜନୀତିକ ଫାଇଦା ନେବାର ସୁଯୋଗକୁ ହାତଛଡ଼ା କରୁନଥିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ ନିର୍ବାଚନ ପ୍ରଚାର ପାଇଁ ଉଭୟ ବିଜେଡି ଓ କଂଗ୍ରେସ ନିଜର ୪୦ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରିଛନ୍ତି। କିନ୍ତୁ ବିଜେଡିରେ ଷ୍ଟାର ପ୍ରଚାରକ ଭାବେ କେବଳ ଦଳର ସଭାପତି ନବୀନ ପଟ୍ଟନାୟକ ହିଁ ପ୍ରଚାର ମଙ୍ଗ ସମ୍ଭାଳିଥିବା ବେଳେ ଅନ୍ୟ କୌଣସି ନେତାଙ୍କ ଦେଖାଦର୍ଶନ ନାହିଁ। ଏପରିକି ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନବେଳେ ବିଜେଡି ଅନ୍ୟ କୌଣସି ଷ୍ଟାର ପ୍ରଚାରକଙ୍କ ଉପରେ ଭରସା ମଧ୍ୟ କରିପାରିନଥିଲା। ଦଳ ପାଖରେ ଏକାଧିକ ଓଲିଉଡ ତାରକା ରହିଥିଲେ ମଧ୍ୟ ସେମାନଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ବିଜେଡି ଉଚିତ୍ ମନେକରିନି।

ବିଜେଡି ସୂତ୍ର ଅନୁସାରେ, ଚଳିତ ନିର୍ବାଚନରେ ନବୀନ ହିଁ ଷ୍ଟାର ପ୍ରଚାରକ ଓ ବିଜେଡିର ଏକମାତ୍ର ଆଶାଭରସା। ଅନ୍ୟ କୌଣସି ଅଭିନେତାଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇ ଦଳ ନବୀନଙ୍କ କ୍ରେଜକୁ କମ୍ କରିବାକୁ ଚାହୁଁନଥିଲା। ତେଣୁ ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନରେ ଏକମାତ୍ର ନବୀନଙ୍କ ଭରସାରେ ହିଁ ଦଳ ନିଜର ପ୍ରଚାର କାର୍ଯ୍ୟ କରିଛି। ଆଗାମୀ ଦୁଇଟି ପର୍ଯ୍ୟାୟରେ ମଧ୍ୟ ନବୀନ ହିଁ ଦଳର ବ୍ରାଣ୍ଡ ଆମ୍ବାସାଡର ଓ ଷ୍ଟାର ପ୍ରଚାରକ ଭାବେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ମାଗିବେ। ନିର୍ବାଚନ ଶେଷ ହୋଇଥିବା ଅଞ୍ଚଳରୁ ଦଳର ନେତାମାନେ ଆସି ପ୍ରଚାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ, କିନ୍ତୁ ଷ୍ଟାର ପ୍ରଚାରକ ଭାବେ ନୁହେଁ। ନବୀନଙ୍କ ବ୍ୟତୀତ ଦଳର ଅନ୍ୟ କୌଣସି ରାଜନେତାଙ୍କ କ୍ରେଜ୍ ମଧ୍ୟ ରାଜ୍ୟସ୍ତରରେ ନାହିଁ।

ସେହିପରି କଂଗ୍ରେସ ମଧ୍ୟ ଦୁଇଟି ପର୍ଯ୍ୟାୟ ଶେଷ ହୋଇଥିଲେ ବି ନିଜର ଷ୍ଟାର ପ୍ରଚାରକଙ୍କୁ ମଇଦାନକୁ ଓହ୍ଲାଇ ପାରିନି। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କଂଗ୍ରେସର ଜାତୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଦଳର ଷ୍ଟାର ପ୍ରଚାରକ ଭାବେ ଦେଖିବାକୁ ମିଳିଥିଲା। କଂଗ୍ରେସ ଯେଉଁ ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ଦେଇଥିଲା ସେଥିରୁ ଅଧିକାଂଶ ନେତା ଓଡ଼ିଶାରେ ରହିଥିଲେ ମଧ୍ୟ ସେମାନଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ଦିଆଯାଇନି। ତା’ଛଡ଼ା କଂଗ୍ରେସ ଶାସିତ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନର ମୁଖ୍ୟମନ୍ତ୍ରୀମାନଙ୍କୁ ଆଣି ଦଳ ଓଡ଼ିଶାରେ ପ୍ରଚାର କରିବ ବୋଲି ପୂର୍ବରୁ ଯେଉଁ ଦମ୍ଭୋକ୍ତି ବାଢ଼ୁଥିଲା ତାହା ବି କରିବାରେ ସକ୍ଷମ ହୋଇନି। ଦଳର ପ୍ରଚାର କାର୍ଯ୍ୟ ମଧ୍ୟ ଅନ୍ୟ ରାଜନୀତିକ ଦଳଗୁଡ଼ିକ ତୁଳନାରେ ଓଡ଼ିଶାରେ ବେଶ୍ ଫିକା ପଡ଼ିଛି। ସବୁ ଦିଗରୁ ସମାଲୋଚିତ ହେବାପରେ କଂଗ୍ରେସ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଦଳର ଷ୍ଟାର ପ୍ରଚାରକ ପ୍ରିୟଙ୍କା ଗାନ୍ଧିଙ୍କୁ ଓଡ଼ିଶା ଆଣିବାକୁ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି।

ଅପରପକ୍ଷରେ, ବିଜେପି ନିଜର ଷ୍ଟାର ପ୍ରଚାରକ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କୁ ଓଡ଼ିଶାରେ ପ୍ରଚାର ମଇଦାନକୁ ଓହ୍ଲାଇଛି। ମୋଦି ଓ ଶାହ ଯୋଡ଼ି ଓଡ଼ିଶାରେ ମାରାଥନ୍ ନିର୍ବାଚନୀ ପ୍ରଚାର ଚଳାଇଥିବାବେଳେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ଉମାଭାରତୀ, ରାଜନାଥ ସିଂଙ୍କ ସମେତ ଯୋଗୀ ଆଦିତ୍ୟନାଥ, ଶିବରାଜ ସିଂ ଚୌହାନଙ୍କ ଭଳି ଦଳର ଅନେକ ଜାତୀୟ ନେତାମାନେ ମଧ୍ୟ ଓଡ଼ିଶାରେ ପ୍ରଚାର କାର୍ଯ୍ୟ ଚଳାଇଛନ୍ତି। ଅବଶ୍ୟ ରାଜ୍ୟରେ ଦଳର ପ୍ରଚାରର ମଙ୍ଗ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧରିଛନ୍ତି କିନ୍ତୁ ନିର୍ବାଚନ କମିଶନଙ୍କ ପାଖରେ ଦଳ ଦାଖଲ କରିଥିବା ସମସ୍ତ ଷ୍ଟାର ପ୍ରଚାରକମାନଙ୍କୁ ପ୍ରଚାର ମଇଦାନରେ ଓହ୍ଲାଇବାରେ ସକ୍ଷମ ହୋଇଛି।



from Odisha Reporter http://bit.ly/2Iy5IIa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages