ବିଜେଡିକୁ ସୁହାଇବା ଭଳି ନିଷ୍ପତ୍ତି ନେଉଛି କଂଗ୍ରେସ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 3, 2019

ବିଜେଡିକୁ ସୁହାଇବା ଭଳି ନିଷ୍ପତ୍ତି ନେଉଛି କଂଗ୍ରେସ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନର ଉଷ୍ମତା ମଧ୍ୟରେ ରାଜ୍ୟରେ ରାଜନୀତିକ ପାଣିପାଗରେ ଘଡ଼ିକେ ଘୋଡ଼ା ଛୁଟୁଛି। ବରିଷ୍ଠ ଓ ପ୍ରଭାବଶାଳୀ ନେତାମାନଙ୍କୁ ନିଜ ସହ ସାମିଲ କରି ବିଜେପି ରାଜ୍ୟରେ କଳେବର ବୃଦ୍ଧି କରୁଥିବାବେଳେ ଏକତରଫା ପ୍ରାର୍ଥୀ ଚୟନ ଓ ଟିକେଟ୍ ବଣ୍ଟନକୁ ନେଇ ବିଜେଡିରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି।

ଏପଟେ କଂଗ୍ରେସ ରାଜ୍ୟରେ ନିର୍ବାଚନୀ ଉଷ୍ମତା ମଧ୍ୟରେ ନିଜକୁ ଖାପଖୁଆଇବା ପରିବର୍ତ୍ତେ ପୁଣିଥରେ ବ୍ୟାକଫୁଟକୁ ପଳାଇଯାଇଛି। ବେଗୁନିଆରୁ କଂଗ୍ରେସ ପ୍ରାର୍ଥୀ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ଓ ପିପିଲିରୁ ଯୁଧିଷ୍ଠିର ସାମନ୍ତରାୟଙ୍କ ନିର୍ବାଚନ ଲଢ଼ିବାକୁ ଅନିଚ୍ଛା ହେଉ କିମ୍ବା ବଲାଙ୍ଗିର, କଳାହାଣ୍ଡି ଓ ଭଦ୍ରକ ଜିଲ୍ଲାରେ ଦଳୀୟ ଟିକେଟ ବଣ୍ଟା ସମସ୍ୟା ହେଉ, ଏଭଳି ଏକ ନୂଆ ସମୀକରଣ ଆଡ଼କୁ ଇଙ୍ଗିତ କରୁଛି।

ରାଜନୀତିକ ବିଶେଷଜ୍ଞଙ୍କ ମତରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶାରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସିଧାସଳଖ କଡ଼ା ଭାଷାରେ ସମାଲୋଚନା କରୁଥିଲେ ମଧ୍ୟ ବିଜେଡି ସହ କଂଗ୍ରେସର ଭିତିରି ସମ୍ପର୍କ ଏବେ ଜଳଜଳ ହୋଇ ପଦାରେ ପଡ଼ିଛି। କାରଣ ଟିକେଟ୍ ବଣ୍ଟନକୁ ନେଇ ବିଜେଡିରେ ଏବେ ଗୋଷ୍ଠୀକନ୍ଦଳ ତୀବ୍ର ରୂପ ନେବାର ଫାଇଦା କଂଗ୍ରେସ ଉଠାଇବା ପରିବର୍ତ୍ତେ ବିଜେଡିକୁ ସୁହାଇଲା ଭଳି ଅସ୍ଥିରତା ସୃଷ୍ଟି କରୁଛି। ବେଗୁନିଆରୁ ଲଢ଼ିବା ପାଇଁ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପ୍ରଥମେ ଆଗ୍ରହ ବ୍ୟକ୍ତ କରିବା ଓ ସେହି ଆଧାରରେ ପିସିସି ତାଙ୍କର ନାଁ ସୁପାରିସ୍ କରି ଟିକେଟ୍ ଘୋଷଣା କରିବା ପରେ ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି।

ପୃଥ୍ୱୀବଲ୍ଲଭଙ୍କ ଏଭଳି ୟୁ-ଟର୍ଣ୍ଣ ପଛରେ ପାରିବାରିକ ଚାପ ରହିଥିବା ସ୍ପଷ୍ଟ ପ୍ରତୀୟମାନ ହେଉଛି। ପୃଥ୍ୱୀବଲ୍ଲଭଙ୍କ ଭିଣୋଇ ସୌମ୍ୟରଞ୍ଜନ ପଟ୍ଟନାୟକ ଏବେ ବିଜେଡି ସାଂସଦ ଓ ସେ ଖଣ୍ଡପଡ଼ା ବିଧାନସଭା ଆସନରୁ ଦଳୀୟ ପ୍ରାର୍ଥୀ ହୋଇଛନ୍ତି। ସୌମ୍ୟଙ୍କ ଘନିଷ୍ଠ ସହଯୋଗୀ ପ୍ରଦୀପ ସାହୁଙ୍କୁ କଂଗ୍ରେସ ଏବେ ପୃଥ୍ୱୀବଲ୍ଲଭଙ୍କ ପରିବର୍ତ୍ତେ ପ୍ରାର୍ଥୀ କରିଛି। ପ୍ରଦୀପ ଗତ ନିର୍ବାଚନରେ ସୌମ୍ୟଙ୍କ ଦଳ ‘ଆମ ଓଡ଼ିଶା ପାର୍ଟି’ରୁ ପ୍ରାର୍ଥୀ ହୋଇଥିଲେ। ଅବଶ୍ୟ ସୌମ୍ୟ ବିଜେଡିରେ ମିଶିବା ପରେ ପ୍ରଦୀପ ତାଙ୍କ ସହ ବିଜେଡିରେ ସାମିଲ ହୋଇନଥିଲେ। ମାତ୍ର ପ୍ରଦୀପଙ୍କୁ ଚଳିତଥର ବେଗୁନିଆରୁ ବିଜେଡି ପ୍ରାର୍ଥୀ କରିବା ପାଇଁ ସୌମ୍ୟ ଜୋରଦାର ପ୍ରୟାସ କରି ବିଫଳ ହେବାପରେ ଚାପ ସୃଷ୍ଟି କରି ପ୍ରଦୀପଙ୍କୁ କଂଗ୍ରେସ ଟିକେଟ୍ ଦେବାରେ ସୌମ୍ୟ ସକ୍ଷମ ହୋଇଥିବା ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।

୨୦୦୯ରେ କଂଗ୍ରେସ ପ୍ରାର୍ଥୀ ଥିବା ପ୍ରଦୀପ ୨୦୧୪ରେ ଆମ ଓଡ଼ିଶା ପାର୍ଟିରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ ଓ ସେବେଠୁ ସେ କଂଗ୍ରେସକୁ ଫେରିନଥିଲେ। କିନ୍ତୁ ଆଜି ପୂର୍ବାହ୍ନରେ ତାଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବାସଭବନରେ ତାଙ୍କୁ ଦେଖିବାକୁ ମିଳିଥିଲା ଓ ସନ୍ଧ୍ୟାରେ ସେ ବେଗୁନିଆର କଂଗ୍ରେସ ପ୍ରାର୍ଥୀ ହୋଇଥିବା ଦଳ ପକ୍ଷରୁ ଘୋଷଣା ହୋଇଥିଲା।

ଅପରପକ୍ଷରେ ପିପିଲିରୁ କଂଗ୍ରେସ ଟିକେଟକୁ ପ୍ରତ୍ୟାଖ୍ୟାନ କରିଥିବା ବିଧାୟକ ପ୍ରାର୍ଥୀ ଯୁଧିଷ୍ଠିର ସାମନ୍ତରାୟଙ୍କ ଅଭିଯୋଗ ଯଦି ସତ ହୋଇଥାଏ, ତା’ହେଲେ କଂଗ୍ରେସ ଏବେ ବିଜେଡିର ବି-ଟିମ୍ ଭଳି କାର୍ଯ୍ୟ କରୁଥିବା ପରୋକ୍ଷରେ ପ୍ରମାଣିତ ହୋଇଛି। ଶ୍ରୀ ସାମନ୍ତରାୟ ଅଭିଯୋଗ କରିଥିଲେ ଯେ, ତାଙ୍କୁ ଦଳୀୟ ଟିକେଟ୍ ଦିଆନଯାଇ ଶେଷଦିନ ପର୍ଯ୍ୟନ୍ତ ଝୁଲାଇ ରଖାଗଲା। ଅନ୍ୟଜଣେ ପ୍ରାର୍ଥୀଙ୍କଠୁ ପିସିସି ସଭାପତି ୫କୋଟି ଟଙ୍କା ନେଇ ଟିକେଟ୍ ବିକ୍ରି କରିବାକୁ ଚାହିଁଥିଲେ। ଶେଷ ମୁହୂର୍ତ୍ତରେ ତାଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ସେ ବିନା ପ୍ରସ୍ତୁତିରେ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଉଚିତ୍ ମଣିନାହାନ୍ତି। ଶ୍ରୀ ସାମନ୍ତରାୟ ସେଠାରୁ ପ୍ରାର୍ଥୀ ନହେବା ଦ୍ୱାରା ପିପିଲିରେ ବିଜେଡିକୁ ସିଧାସଳଖ ଫାଇଦା ମିଳିଛି।

ଚର୍ଚ୍ଚା ହେଉଛି, କେବଳ ଏହି ଦୁଇଟି ଆସନ ନୁହେଁ, ବିଜେପିର କ୍ରମବର୍ଦ୍ଧିଷ୍ଣୁ ପ୍ରଭାବକୁ ରୋକିବା ପାଇଁ ରାଜ୍ୟର ଅନେକ ଆସନରେ ବିଜେଡି ଏଭଳି ଗୋପନ ବୁଝାମଣା ହୋଇଥିବା ଆଶଙ୍କା କରାଯାଉଛି। ସୌମ୍ୟଙ୍କ ବଡ଼ଭାଇ ନିରଞ୍ଜନ ପଟ୍ଟନାୟକ ଏବେ ପିସିସି ସଭାପତି ଥିବାରୁ ‘ପଟ୍ଟନାୟକ ପରିବାର’ ଏବେ ଉଭୟ କଂଗ୍ରେସ ଓ ବିଜେଡିର ଟିକେଟ୍ ବଣ୍ଟନ ପ୍ରକ୍ରିୟାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ବୋଲି କୁହାଯାଉଛି। ଏପରିକି କେତେକ ଆସନରେ ଏହି ପରିବାର ନିଜର ଅନୁଗତମାନଙ୍କୁ ଥଇଥାନ କରି ଓଡ଼ିଶା ରାଜନୀତିକୁ ନିୟନ୍ତ୍ରଣରେ ରଖିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହେଉଛି।



from Odisha Reporter https://ift.tt/2HVZ3XU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages