
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାକୁ ନେଇ ରାଜନୈତିକ ମହଲରେ ସବୁବେଳେ ଚର୍ଚ୍ଚା। ଦିନେ ଏହି ଆସନ ଥିଲା ବିଜୁ ବାବୁଙ୍କର ।୧୯୭୭ରୁ ୧୯୮୪ ପର୍ଯ୍ୟନ୍ତ ଏହି ଆସନ ବିଜୁ ବାବୁଙ୍କ ଅଧୀନରେ ଥିଲା । ଅନେକ ବଡବଡ ନେତା ଏଇ କେନ୍ଦ୍ରାପଡ଼ା ମାଟିରୁ ଆସି ରାଜନୀତିର ଶିଖରରେ ପହଞ୍ଚିଛନ୍ତି ଆଉ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ରାଜନୈତିକ ଦୃଷ୍ଟିକୋଣରୁ ମଧ୍ୟ ଏହି ଅଞ୍ଚଳ ବେଶ ସମ୍ବେଦନଶୀଳ । ସାଧାରଣ ନିର୍ବାଚନ ଆସିଲେ କେନ୍ଦ୍ରାପଡ଼ାର ଗୁରୁତ୍ୱ ଆହୁରି ବଢିଯାଏ। ଏହି ଆସନକୁ ନେଇ ଆରମ୍ଭ ହୋଇଯାଏ ଚର୍ଚ୍ଚା। ଏଥର ମଧ୍ୟ ବାଦ ପଡ଼ିନି। ୨୦ ବର୍ଷର ଶାସକ ନବୀନ ପଟ୍ଟନାୟକଙ୍କ ଟାର୍ଗେଟରେ ବି ଏବେ ଏଇ କେନ୍ଦ୍ରାପଡ଼ା।
କେନ୍ଦ୍ରାପଡ଼ାର ଗୁରୁତ୍ୱକୁ ଦେଖି ଏହି ଅଞ୍ଚଳକୁ ପୂର୍ବରୁ ୪ ଜଣ ପ୍ରଧାନମନ୍ତ୍ରୀ ଗସ୍ତରେ ଆସିଥିବା ଜଣା ପଡ଼େ। ମୋରାଜି ଦେଶାଇ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ପି.ଭି ନରସିଂହ ରାଓ ପ୍ରମୁଖ ସେମାନଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ କେନ୍ଦ୍ରାପଡ଼ାକୁ ଆସିଥିଲେ।
ଶେଷଥର ପାଇଁ ଆସିଥିଲେ ପ୍ରଧାନମନ୍ତ୍ରୀ ପି ଭି ନରସିଂହରାଓ। ବଟକୃଷ୍ଣ ଜେନା କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ତାଙ୍କ ଲାଗି ପ୍ରଚାରରେ ଯୋଗ ଦେବା ପାଇଁ କେନ୍ଦ୍ରାପଡା ଆସିଥିଲେ ରାଓ। ତା’ ପରଠୁ ଆଉ କୌଣସି ପ୍ରଧାନମନ୍ତ୍ରୀଙ୍କ ପାଦ କେନ୍ଦ୍ରାପଡ଼ା ମାଟିରେ ପଡ଼ି ନାହିଁ। ଯାହା ହେଉ, ଦୀର୍ଘ ୨୩ ବର୍ଷର ବ୍ୟବଧାନ ପରେ ପୁଣି ଜଣେ ପ୍ରଧାନମନ୍ତ୍ରୀ ଆଜି ଆସିଛନ୍ତି କେନ୍ଦ୍ରାପଡ଼ା ଆଉ ସେ ହେଉଛନ୍ତି ନରେନ୍ଦ୍ର ମୋଦି । ୪ର୍ଥ ପର୍ଯ୍ୟାୟରେ ହେବ କେନ୍ଦ୍ରାପଡାରେ ଭୋଟ ଗ୍ରହଣ। ଏହି ଆସନରୁ ବିଜେପି ଲୋକସଭା ପ୍ରାର୍ଥୀ ଭାବେ ଲଢୁଛନ୍ତି ବୈଜୟନ୍ତ ପଣ୍ଡା । ଲୋକସଭା ପ୍ରାର୍ଥୀ ଶ୍ରୀ ପଣ୍ଡା ଓ ଅନ୍ୟ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଆଜି ପ୍ରଚାରରେ ଆସି ମୋଦି ବାରୁଆ ପଡ଼ିଆରୁ କର୍ମୀ ଓ ଜନତାଙ୍କୁ ଉଦ୍ବୋଧନ ଦେଇଥିଲେ। ବିଜେପିର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦି କେନ୍ଦ୍ରାପଡ଼ାରେ ନିର୍ବାଚନୀ ପ୍ରଚାର କରିଥିଲେ। ଯାହା ବି ହେଉ, ଦୀର୍ଘବର୍ଷ ପରେ ଜଣେ ପ୍ରଧାନମନ୍ତ୍ରୀଙ୍କୁ ନିଜ ମାଟିରେ ଦେଖି କେନ୍ଦ୍ରାପଡ଼ାବାସୀ ବେଶ ଉତ୍ସାହିତ ହୋଇ ପଡ଼ିଥିଲେ।
from Odisha Reporter http://bit.ly/2IRod9M
No comments:
Post a Comment