
ବେଙ୍ଗାଲୁରୁ: ଏବି ଡିଭିଲିୟର୍ସଙ୍କ ୮୨ ଓ ମାର୍କସ୍ ଷ୍ଟୋଇନିସ୍ଙ୍କ ୪୬ ରନ୍ର ବିସ୍ଫୋରକ ଇନିଂସ୍ ବଲ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ନିର୍ଦ୍ଧାରିତ ୨୦ ଓଭର୍ରେ ୪ ୱିକେଟ୍ ହରାଇ ବିଶାଳ ୨୦୨ ରନ୍ କରିଛି। ଫଳରେ ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାକୁ ଜିତିବା ପାଇଁ କିଙ୍ଗସ ଏକାଦଶ ପଞ୍ଜାବକୁ ୨୦୩ ରନ୍ର ଟାର୍ଗେଟ ମିଳିଛି।
ପଞ୍ଜାବ ପକ୍ଷରୁ ମହମ୍ମଦ ଶାମି, ରବିଚନ୍ଦ୍ରନ ଅଶ୍ୱିନ୍, ମୁରଗାନ ଅଶ୍ୱିନ୍ ଓ ହାରଡୁସ୍ ଭିଲଜୋନ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।
ଆଜି ଭ୍ରମଣକାରୀ ପଞ୍ଜାବ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ତେବେ ଆରମ୍ଭରୁ ଆରସିବିର ଦୁଇ ଓପନର ପାର୍ଥିବ ଓ ବିରାଟ୍ କୋହଲି ବିସ୍ଫୋରକ ଢଙ୍ଗରେ ଇନିଂସ୍ ଆରମ୍ଭ କରିଥିଲେ। ବିଶେଷ କରି ପାର୍ଥିବ ପଟେଲ୍ ବଡ଼ ଶଟ୍ ଖେଳିଥିଲେ। ଉଭୟ ୩.୧ ଓଭରରେ ୩୫ ରନ୍ ଆଦାୟ କରିଥିଲେ। କିନ୍ତୁ ଏହି ସମୟରେ ୮ଟି ବଲ୍ରେ ୧୩ ରନ୍ କରିଥିବା ବିରାଟଙ୍କୁ ଶାମି ଆଉଟ୍ କରି ପଞ୍ଜାବକୁ ପ୍ରଥମ ସଫଳତା ଦେଇଥିଲେ।
ଏହାପରେ ମୁରଗାନ ଅଶ୍ୱିନ୍ ବିସ୍ଫୋରକ ପାର୍ଥିବ ପଟେଲ (୨୪ ବଲରେ ୪୩ ରନ୍)ଙ୍କୁ ଆଉଟ୍ କରି ଆରସିବିକୁ ବ୍ୟାକଫୁଟ୍କୁ ଠେଲି ଦେଇଥିଲେ। ମୋଇନ୍ ଅଲୀ(୪) ଓ ଅକ୍ଷଦୀପ ନାଥ(୩) ମଧ୍ୟ ଶସ୍ତାରେ ପ୍ୟାଭିଲିୟନ୍ ଫେରିଯାଇଥିଲେ।
ଆରସିବି ୯ ଓଭର୍ ସୁଦ୍ଧା ୮୧ ରନ୍ରେ ୪ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ଏହି ଠାରୁ ଆରମ୍ଭ ହୋଇଥିଲା ଡିଭିଲିୟର୍ସ ଓ ଷ୍ଟୋଇନିସ୍ଙ୍କ ଶୋ’। ଉଭୟ ପଞ୍ଜାବ ବୋଲରଙ୍କୁ କଡ଼ା ପ୍ରହାର କରି ଦ୍ରୁତ ଗତିରେ ରନ୍ ସଂଗ୍ରହ କରିଥିଲେ। ବିଶେଷ କରି ୧୯ତମ ଓଭର୍ ବୋଲିଂ କରୁଥିବା ଶାମିଙ୍କୁ ଲଗାତର ୩ଟି ଛକା ମାରି ଡିଭିଲିୟର୍ସ ନିଜର ଆକ୍ରମଣାତ୍କ ରୂପ ଦେଖାଇଥିଲେ। ତାଙ୍କର ଏହି ବିସ୍ଫୋରକ ଇନିଂସରେ ମାର୍କସ ଷ୍ଟୋଇନିସ୍ ଭରପୂର ସହଯୋଗ କରିଥିଲେ। ଷ୍ଟୋଇନିସ୍ ଶେଷ ଓଭର୍ ବୋଲିଂ କରୁଥିବା ଭିଲଜୋନ୍ଙ୍କୁ ୨ଟି ଚୌକା ଓ ୨ଟି ଛକା ମାରି ଦଳୀୟ ସ୍କୋରକୁ ୨୦୦ ପାର କରାଇଥିଲେ। ଉଭୟ ଶେଷ ୩ ଓଭର୍ରେ ୬୪ ରନ୍ ଆଦାୟ କରିଥିଲେ
ଷ୍ଟୋଇନିସ୍ ଓ ଡିଭିଲିୟର୍ସ ୫ମ ୱିକେଟ୍ ପାଇଁ ଅବିଭାଜିତ ୧୨୧ ରନ୍ ଯୋଡ଼ିଛନ୍ତି। ଡିଭିଲିୟର୍ସ ଶେଷ ପର୍ଯ୍ୟନ୍ତ ୪୪ଟି ବଲରେ ୮୨ ଓ ଷ୍ଟୋଇନିସ୍ ୩୪ଟି ବଲ୍ରେ ୪୬ ରନ୍ କରି ଅପରାଜିତ ରହିଥିଲେ।
from Odisha Reporter http://bit.ly/2Dw7rcN
No comments:
Post a Comment