
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ୮ଟି ପର୍ଯ୍ୟାୟରେ ସମସ୍ତ ୨୧ ଲୋକସଭା ଆସନ ଓ ୧୪୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏଥିରେ ୪୦ଜଣ ବିଧାୟକଙ୍କ ଟିକେଟ୍ ସମ୍ପୂର୍ଣ୍ଣ କଟିଥିବାବେଳେ ୪ଜଣ ବିଧାୟକଙ୍କ ବଦଳରେ ସେମାନଙ୍କ ପୁଅଙ୍କୁ ଟିକେଟ୍ ଦେଇଛି । ୪ଜଣ ବିଧାୟକଙ୍କୁ ସାଂସଦ ପ୍ରାର୍ଥୀ କରିଛି। ଅର୍ଥାତ୍ ମୋଟାମୋଟି ଭାବେ ଦେଖିଲେ ଏବେସୁଦ୍ଧା ଘୋଷିତ ୧୪୪ ବିଧାନସଭା ଆସନ ମଧ୍ୟରୁ ବିଜେଡି ନିଜର ୪୮ଜଣ ବିଧାୟକଙ୍କୁ ବିଧାନସଭାରେ ପ୍ରାର୍ଥୀ କରିନାହିଁ ଓ ମାତ୍ର ୬୮ଜଣ ଜଣ ବିଧାୟକଙ୍କୁ ପୁନଃ ମଇଦାନକୁ ଓହ୍ଲାଇଛି। ଏବେବି କେନ୍ଦ୍ରାପଡ଼ା, ବାରିପଦା ଓ ଚମ୍ପୁଆ ବିଧାନସଭା ଆସନରେ ଦଳ ନିଜର ପ୍ରାର୍ଥୀ ଘୋଷଣା କରିପାରିନି। ଉଲ୍ଲେଖଯୋଗ୍ୟ, ବିଧାନସଭାରେ ଦଳର ୧୧୮ ବିଧାୟକ ଅଛନ୍ତି।
ବିଜେଡି ୮ଟି ପର୍ଯ୍ୟାୟରେ ୧୪୪ ବିଧାନସଭା ଆସନ ପାଇଁ ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ମୋଟ ୪୮ଜଣ ବିଧାୟକ ବାଦ୍ ପଡ଼ିଛନ୍ତି। ବିଜେଡି ଯେଉଁ ସବୁ ବିଧାନସଭା ଆସନରେ ନିଜର ବର୍ତ୍ତମାନର ବିଧାୟକଙ୍କୁ ଟିକେଟ୍ ଦେଇନି ସେଗୁଡ଼ିକ ହେଲା ଗୁଣୁପୁର, ଚିତ୍ରକୋଣ୍ଡା,ଭବାନୀ ପାଟଣା, ନର୍ଲା, ବ୍ରହ୍ମପୁର, ଛତ୍ରପୁର, ପାରଳାଖେମୁଣ୍ଡି, ମୋହନା, ଆସିକା, କବିସୂର୍ଯ୍ୟନଗର, ଖଲ୍ଲିକୋଟ, ବାଲିଗୁଡ଼ା, ଦଶପଲ୍ଲା, କଣ୍ଟାବାଞ୍ଜି, ବିଜେପୁର, ଲୋଇସିଂହା, ପଟାଙ୍ଗୀ, ଲାଞ୍ଜିଗଡ଼, ମାଲକାନଗିରି, ଫୁଲବାଣୀ, ରଣପୁର, ଢେଙ୍କାନାଳ, ତେଲକୋଇ, କେନ୍ଦୁଝର, କରଞ୍ଜିଆ, ଜଟଣୀ, ରେଙ୍ଗାଳୀ, ଯଶୀପୁର, ସାରସକଣା, ଉଦଳା, ବଡ଼ସାହି, ଜୟଦେବ, ରାଇରଙ୍ଗପୁର।
ସେହିପରି, ମୋରଡ଼ା, ବରୀ, ଭୁବନେଶ୍ୱର-ମଧ୍ୟମ, ଭୁବନେଶ୍ୱର-ଉତ୍ତର, ଖଣ୍ଡପଡ଼ା, କୋରେଇ ଓ ଆଠମଲ୍ଲିକ ବିଧାନସଭା ଆସନରେ ଦଳୀୟ ବିଧାୟକଙ୍କୁ ଟିକେଟ୍ ମିଳିନି। ବାଙ୍କି, ଚୌଦ୍ୱାର, ପାଟଣା ଓ ବାସୁଦେବପୁର ବିଧାନସଭା ଆସନରେ ଦଳୀୟ ବିଧାୟକଙ୍କ ପରିବର୍ତ୍ତେ ସେମାନଙ୍କ ପୁଅଙ୍କୁ ପ୍ରାର୍ଥୀ କରାଯାଇଛି। ବାଙ୍କିରେ ପ୍ରଭାତ ତ୍ରିପାଠୀଙ୍କ ପରିବର୍ତ୍ତେ ତାଙ୍କ ପୁଅ ଦେବୀରଞ୍ଜନ ତ୍ରିପାଠୀ, ଚୌଦ୍ୱାରରେ ପ୍ରଭାତ ବିଶ୍ୱାଳଙ୍କ ପରିବର୍ତ୍ତେ ସୌଭିକ ବିଶ୍ୱାଳ, ପାଟଣାରେ ହୃଷିକେଶ ନାଏକଙ୍କ ପରିବର୍ତ୍ତେ ପୁଅ ଜଗନ୍ନାଥ ନାଏକ, ବାସୁଦେବପୁରରେ ବିଜୟଶ୍ରୀ ରାଉତରାୟଙ୍କ ପରିବର୍ତ୍ତେ ପୁଅ ବିଷ୍ଣୁବ୍ରତ ରାଉତରାୟଙ୍କୁ ଦଳ ଟିକେଟ୍ ଦେଇଛି। ସେହିପରି ପାରାଦୀପ ଆସନରେ ଦଳୀୟ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କୁ ଦଳରୁ ବହିଷ୍କାର କରିଥିଲେ ମଧ୍ୟ ତାଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ବିଜେଡି ଟିକେଟ୍ ଦେଇଛି।
ଏସବୁ ବ୍ୟତୀତ ୪ ବିଧାୟକ- ଧର୍ମଗଡ଼ର ପୁଷ୍ପେନ୍ଦ୍ର ସିଂହଦେଓ, ଝରିଗାଁର ରମେଶ ଚନ୍ଦ୍ର ମାଝୀ, ତିର୍ତ୍ତୋଲର ଡଃ ରାଜଶ୍ରୀ ମଲ୍ଲିକ ଓ ପାଲଲହଡ଼ାର ମହେଶ ସାହୁଙ୍କୁ ସାଂସଦ ପ୍ରାର୍ଥୀ କରାଯାଇଥିବାରୁ ଦଳ ସେମାନଙ୍କ ଆସନରେ ମଧ୍ୟ ନୂଆ ପ୍ରାର୍ଥୀ ଦେଇଛି।
ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା, ବିଜେଡି ଘୋଷଣା କରିଥିବା ୧୪୪ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରେ ମାତ୍ର ୧୬ଜଣ ମହିଳାଙ୍କୁ ଦଳୀୟ ଟିକେଟ୍ ଦେଇଛି। ଅପରପକ୍ଷରେ ଦଳ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ଆରକ୍ଷଣ ପାଇଁ ଜାତୀୟସ୍ତରରେ ଦାବି କରୁଛି।
ଉଲ୍ଲେଖଯୋଗ୍ୟ, ଯେଉଁ ୩ଟି ଆସନରେ ବିଜେଡି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନି ସେଥିରୁ ଦୁଇଟି ଆସନ ବିଜେଡି ପ୍ରତିନିଧିତ୍ୱ କରୁଛି। ବାରିପଦାରେ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି ଓ କେନ୍ଦ୍ରାପଡ଼ାରେ କିଶୋର ତରାଇ ବିଧାୟକ ଥିବାବେଳେ ଚମ୍ପୁଆ ଆସନରେ ସ୍ୱାଧୀନ ବିଧାୟକ ସନାତନ ମହାକୁଡ଼ ଅଛନ୍ତି। ଶ୍ରୀ ମହାକୁଡ଼ ଏଥର ନିର୍ବାଚନରେ ପ୍ରାର୍ଥୀ ହେବେନି ବୋଲି ନିଜଆଡ଼ୁ ସଙ୍କେତ ଦେବାପରେ ତାଙ୍କ ସମର୍ଥିତ ଜଣେ ମହିଳାଙ୍କୁ ବିଜେଡି ଏବେ କେନ୍ଦୁଝର ଆସନରୁ ଲୋକସଭା ପ୍ରାର୍ଥୀ କରିଥିବା ଜଣାପଡ଼ିଛି।
from Odisha Reporter https://ift.tt/2TMriK5
No comments:
Post a Comment