
ମୁମ୍ବାଇ: ବଲିଉଡ୍ର ସବୁଠୁ ଚର୍ଚ୍ଚିତ କପଲ୍ ରଣବୀର କପୁର ଓ ଦୀପିକା ପାଦୁକୋନ୍ ଢେର ଦିନ ହେବ ଅଲଗା ହୋଇଗଲେଣି। ଦୀପିକା ରଣବିର ସିଂଙ୍କୁ ବିବାହ କରି ଘର ସଂସାର କରି ସାରିଥିବା ବେଳେ ରଣବୀର କପୁର ମଧ୍ୟ ଆଲିଆଙ୍କ ପ୍ରେମରେ ଉବୁଡୁବୁ ହେଉଛନ୍ତି। ହେଲେ ଦର୍ଶକଙ୍କ ମନରେ ଏବେ ବି ଦୁହିଁଙ୍କ କେମେଷ୍ଟ୍ରିର ଛାପ ରହିଯାଇଛି। ବଲିଉଡ୍ ନିର୍ଦ୍ଦେଶକମାନେ ମଧ୍ୟ ଏହାକୁ ପରଦା ଉପରେ ଦେଖାଇ ବେଶ୍ ସଫଳତା ସାଉଣ୍ଟିଛନ୍ତି। ଦୁହିଁଙ୍କୁ ନେଇ ‘ୟେ ଜୱାନୀ ହୈ ଦିୱାନୀ’, ‘ତମାଶା’ ପରି ହିଟ୍ ଫିଲ୍ମ ନିର୍ମିତ ହୋଇଛି। ଯାହା ଏବେ ବି ଦର୍ଶକଙ୍କ ମନରେ ଘର କରି ରହିଛି।
ତେବେ ସୂଚନା ଅନୁଯାୟୀ , ବ୍ରେକଅପ୍ ପରେ ଏବେ ପୁଣିଥରେ ପରଦା ଉପରେ ରଣବୀର ଓ ଦୀପିକା ଏକାଠି ହେବାକୁ ଯାଉଛନ୍ତି। ଦୁହେଁ ‘ଲଭ୍ ରଞ୍ଜନ୍ର ଅନାମ’ ଫିଲ୍ମରେ ପୁଣିଥରେ ଲିଡ୍ ରୋଲ୍ରେ ନଜର ଆସିପାରନ୍ତି। ଏହି ଫିଲ୍ମରେ ଅଜୟ ଦେବଗନଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରୋଲ୍ ରହିବ। ଏହା ଏକ ଆକ୍ସନ ଥ୍ରିଲର୍ ଫିଲ୍ମ ହେବ। ଫିଲ୍ମଟି ଚଳିତ ବର୍ଷର ଶେଷ ସୁଦ୍ଧା ମଇଦାନକୁ ଓହ୍ଲାଇପାରେ।
ବର୍ତ୍ତମାନ ଦୀପିକା ଦିଲ୍ଲୀରେ ହେଉଥିବା ତାଙ୍କ ଆଗାମୀ ଫିଲ୍ମ ‘ଛପାକ୍’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଅଜୟ ଦେବଗନ୍ ‘ତାନାଜୀ’ ସୁଟିଂରେ ବ୍ୟସ୍ତ ଅଛନ୍ତି। ସେହିପରି ରଣବୀର ‘ବ୍ରହ୍ମାସ୍ତ୍ର’ ଓ ‘ଶମଶେରା’ ଫିଲ୍ମର ସୁଟିଂରେ ଅଛନ୍ତି। ତେବେ ଏସବୁ ପ୍ରୋଜେକ୍ଟ ସରିବା ପରେ ହିଁ ଏହି ଫିଲ୍ମର କାମ ଆରମ୍ଭ ହେବ।
ସୂଚନା ଯୋଗ୍ୟ ରଣବୀର ଓ ଦୀପିକା ବ୍ରେକଅପ୍ ପରେ ମଧ୍ୟ ଭଲ ସାଙ୍ଗ ହୋଇ ରହିଛନ୍ତି। ଏପରିକି ଦୁହେଁ ଅଲଗା ହେବା ପରେ ମଧ୍ୟ ନିର୍ଦ୍ଦେଶକ ଆୟାନ ମୁଖାର୍ଜୀ ଓ ଇମ୍ତିୟାଜ ଅଲ୍ଲୀଙ୍କ ଫିଲ୍ମରେ କାମ କରିଛନ୍ତି। ଏହା ବ୍ୟତୀତ ନିକଟରେ ଦୁହେଁ ଏକ ପେଣ୍ଟ କମ୍ପାନୀର କମର୍ସିଆଲ୍ ଆଡ୍ରେ ମଧ୍ୟ ନଜର ଆସିଥିଲେ।
from Odisha Reporter https://ift.tt/2FNj54G
No comments:
Post a Comment