ଆମ ରାଜଧାନୀ ଭୁବନେଶ୍ୱର@୭୨ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 13, 2019

ଆମ ରାଜଧାନୀ ଭୁବନେଶ୍ୱର@୭୨

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୭୧ଟି ବସନ୍ତ ଅତିକ୍ରମ କରିସାରିଛି ରାଜଧାନୀ ଭୁବନେଶ୍ୱର। ବର୍ତ୍ତମାନ ୭୨ରେ ପାଦ ଥାପିଛି। ତଥାପି ହଜିନି ଯୁବସୁଲଭ ଗୁଣ। ଗ୍ରାସ କରିନି ବାର୍ଦ୍ଧକ୍ୟ। ଆମ ରାଜଧାନୀ ଏବେବି ସ୍ମାର୍ଟ। ଆଉ ଏଥିପାଇଁ ପାଇଛି ବିଶ୍ୱସ୍ତରୀୟ ସ୍ମାର୍ଟସିଟିର ପରିଚୟ। ରାସ୍ତାଘାଟରୁ ଆରମ୍ଭ କରି ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟରୁ ଆରମ୍ଭ କରି ଶିକ୍ଷା ବ୍ୟବସ୍ଥା, ଜୀବନଶୈଳୀରୁ ଆରମ୍ଭ କରି କ୍ରୀଡ଼ା ଭିତ୍ତିଭୂମିରେ ବ୍ୟାପକ ପରିବର୍ତ୍ତନ ଆସିଛି। ମନ୍ଦିର ମାଳିନୀ ସହର ଭାବେ ପରିଚିତ ଥିବା ଭୁବନେଶ୍ୱର କଳେବର ବୃଦ୍ଧି ପରେ ଏବେ ସ୍ମାର୍ଟସିଟି ଭାବେ ଜଣାଶୁଣା।

୧୯୪୮ ଏପ୍ରିଲ ୧୩ ତାରିଖରେ ଭୁବନେଶ୍ୱରକୁ ଓଡ଼ିଶାର ରାଜଧାନୀ ମାନ୍ୟତା ମିଳିଥିଲା। ହେଲେ ଏଥ‍ନିମନ୍ତେ ବହୁ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା। ବିଭିନ୍ନ ସମୟରେ କଟକ, ଚୌଦ୍ୱାର ସମେତ ଖୋର୍ଦ୍ଧା, ଅନୁଗୁଳରେ ମଧ୍ୟ ରାଜଧାନୀ ସ୍ଥାପନ ନିମନ୍ତେ ପ୍ରସ୍ତାବ ଉଠିଥିଲା। କଟକର ଉଭୟ ପାର୍ଶ୍ୱରେ ମହାନଦୀ ଓ କାଠଯୋଡ଼ି ନଦୀ ଥିବାରୁ ଏହି ପ୍ରସ୍ତାବ କାଟ ଖାଇଲା।  ହେଲେ ଭବିଷ୍ୟତରେ ଭୁବନେଶ୍ୱରର ସମ୍ପ୍ରସାରଣ ଲାଗି ପର୍ଯ୍ୟାପ୍ତ ଜାଗା ଥିବାରୁ ଏହାକୁ  ରାଜଧାନୀ କରିବା ନିମନ୍ତେ ସ୍ଥିର ହୋଇଥିଲା।

ଏଥିନିମନ୍ତେ ଓଡ଼ିଶାର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଦେଇଥିବା ପ୍ରସ୍ତାବଟି ବିଧାନସଭାରେ ଗୃହୀତ ହେଲା। ସ୍ୱାଧୀନତାର ୭ ମାସ ପରେ ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ଭୁବନେଶ୍ୱରକୁ ରାଜଧାନୀ ରୂପେ ଗଢ଼ି ତୋଳିବା ପାଇଁ ଜର୍ମାନ ଆର୍କିଟେକ୍ଟ ‘ଓଟୋ କୋନିଗସ୍‌ବର୍ଗର’ ପ୍ରସ୍ତୁତ କରିଥିଲେ ନକ୍ସା। ତାଙ୍କ ପରିକଳ୍ପନା ବାସ୍ତବ ରୂପ ଧାରଣ କଲା ବେଳକୁ ଜୀବନ୍ୟାସ ପାଇଲା ଭୁବନେଶ୍ୱର। ବଦଳିଗଲା ଆମ ରାଜଧାନୀର ରୂପରେଖ।

ଘଞ୍ଚ ଜଙ୍ଗଲ ଲୋପ ପାଇ ସେଠାରେ ଛିଡ଼ା ହେଲା ବହୁତଳ ପ୍ରାସାଦ, ବଡ଼ବଡ଼ ସପିଂ ମଲ୍‌, କର୍ପୋରେଟ୍‌ ହସ୍ପିଟାଲ ଓ ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ। ଭୁବନେଶ୍ୱର ମ୍ୟୁନିସିପାଲଟି କର୍ପୋରେସନ ଅଧୀନରେ ୧୮୬ ବର୍ଗ କି.ମି ପରିବ୍ୟାପ୍ତ ଅଞ୍ଚଳ ଆସୁଛି। ମାତ୍ର ୪୦ ହଜାର ଲୋକଙ୍କୁ ନେଇ ଗଢି ଉଠିଥିବା ଏହି ସହରର ଜନସଂଖ୍ୟା ଏବେ ୮ ଲକ୍ଷରୁ ଊର୍ଦ୍ଧ୍ୱ।

୭୨ ବର୍ଷ ଭିତରେ ସହର ପାଇଛି ନୂଆ ପରିଚୟ। ସ୍ମାର୍ଟ ସିଟିର ମାନ୍ୟତା ପାଇବା ସହ ଗ୍ରୀନ୍‌ ଓ କ୍ଲିନ୍‌ ସିଟି ଭାବେ ମଧ୍ୟ ପରିଚୟ ସୃଷ୍ଟି କରି ପାରିଛି ଭୁବନେଶ୍ୱର। କେତେବେଳେ ବିଶ୍ୱ ହକିକପ୍‌ ତ କେତେବେଳେ ଏସିଆନ ଆଥଲେଟିକ୍ସ ପରି ବିଶ୍ୱସ୍ତରୀୟ କ୍ରୀଡ଼ା ମହୋତ୍ସବ ଆୟୋଜନ କରି ବିଶ୍ୱ ମାନଚିତ୍ରରେ ନିଜ ସ୍ଥାନ ସୁଦୃଢ କରିପାରିଛି ଏହି ସହର। ଏହା ମଧ୍ୟରେ ରାଜଧାନୀବାସୀଙ୍କ ଜୀବନଶୈଳୀ ବଦଳିଗଲାଣି। ଦେଶ ବିଦେଶରୁ ଆସୁଥିବା ଲୋକେ ଏଠାରେ ପାଠ ପଢ଼ିବାକୁ, ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି।

ଗ୍ଲୋବାଲ ସିଟି ତାଲିକାରେ ଭୁବନେଶ୍ୱର ସାମିଲ ହୋଇଥିବାରୁ ଚଳିତ ବର୍ଷ ରାଜଧାନୀ ପ୍ରତିଷ୍ଠା ଦିବସକୁ ବେଶ୍‌ ଆଡମ୍ୱରପୂର୍ଣ୍ଣ ଭାବେ ପାଳନ କରାଯାଉଛି। ଏଥିନିମନ୍ତେ ଗୁରୁତ୍ୱପୂର୍ଣ୍ଣ ସରକାରୀ କୋଠାଗୁଡିକୁ ଆଲୋକମାଳାରେ ସଜ୍ଜିତ କରାଯାଇଛି। ସ୍ମାର୍ଟ ସିଟି ଯୋଜନାରେ ନୂଆ ରୂପରେ ସଜେଇ ହେଉଛି ଭୁବନେଶ୍ୱର। ଭୁବନେଶ୍ୱରକୁ ପୂର୍ବ ଭାରତର ଶିକ୍ଷା, କ୍ରୀଡା, ଆଇଟି, ଐତିହ୍ୟ ଓ ପୁଞ୍ଜି ନିବେଶ ହବ୍‌ରେ ପରିଣତ କରାଯିବାକୁ ଚେଷ୍ଟା ଜାରି ରହିଛି।



from Odisha Reporter http://bit.ly/2UVunfu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages