
ବାଲିଗୁଡା (ଅଜିତ୍ କୁମାର ନାୟକ): ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ପାଳି ପଡ଼ିବ କନ୍ଧମାଳ ଲୋକସଭା ଆସନର। ଏଠାରେ ଭୋଟ ଗ୍ରହଣ ହେବ ୧୮ ତାରିଖ । ଆଜି ପ୍ରଚାରର ଶେଷ ଦିନ। ଗୋଟିଏ ବି ମୁହୂର୍ତ୍ତ ଯେମିତି ନଷ୍ଟ ନ ହୁଏ, ସେଥିପାଇଁ ସବୁ ଦଳ ସମସ୍ତେ ଲାଗିପଡ଼ିଛନ୍ତି । ପ୍ରାର୍ଥୀ ଘରକୁ ଘର ବୁଲି ଭୋଟ ଭିକ୍ଷା ଚଳାଇଛନ୍ତି।
କନ୍ଧମାଳ ଲୋକସଭା ଆସନ ଅଧୀନରେ ରହିଛି ଗଞ୍ଜାମ ଜିଲ୍ଲାର ଜି.ଉଦୟଗିରି ବିଧାନସଭା ଆସନ। ଏଠାରେ ଚାଲିଛି ପ୍ରଧାନ ଲଢେଇ। କଂଗ୍ରେସର ଶ୍ୟାମଘନ ପ୍ରଧାନ, ବିଜେପିର ଅର୍ଚ୍ଚନା ପ୍ରଧାନ, ବିଜେଡିର ସାଲୁଗା ପ୍ରଧାନ ଏବଂ ସ୍ୱାଧୀନ ପ୍ରାର୍ଥୀ ପୂର୍ବତନ ବିଧାୟକ ଯାକବ ପ୍ରଧାନ। ୪ ଜଣ ନିଜ ନିଜ ସ୍ଥିତିରେ ମଜବୁତ୍। ଜୋରଦାର ଚାଲିଛି ଟକ୍କର । କିଏ ହାରିବ, କିଏ ଜିତିବ କହିବା ମୁସ୍କିଲ୍। ତେବେ କେଉଁ ପ୍ରଧାନ ବିଜୟ ମୁକୁଟ ପିନ୍ଧିବ ଏହାକୁ ନେଇ ଲୋକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି ହୋଇଛି।
କଂଗ୍ରେସର ପ୍ରାର୍ଥୀ ଶ୍ୟାମଘନ ପ୍ରଧାନ ନୂଆ ତଥା ଯୁବ ଚେହେରା। ଭୋଟରଙ୍କୁ ଭାଇ ଭଉଣୀଙ୍କୁ କହି ନିଜ ଆଡ଼କୁ ଆକୃଷ୍ଟ କରିବାରେ ଲାଗିଛନ୍ତି। ତାଙ୍କର ଯୁବ ସୁଲଭ ଗୁଣ ସବୁ ବର୍ଗର ଭୋଟରଙ୍କୁ ପ୍ରଭାବିତ କରୁଛି। ତା ଛଡ଼ା ରାହୁଲ ଗାନ୍ଧୀଙ୍କ ହାତ ତାଙ୍କୁ ଏହି ଆସନ ହାତେଇବା ପାଇଁ ସହାୟକ ହେବ ବୋଲି ସେ ଆଶାବାଦୀ ରହିଛନ୍ତି। କଂଗ୍ରେସ ପ୍ରଧାନଙ୍କ ପାଇଁ ବି ଅଣ୍ଟା ଭିଡିଛନ୍ତି ରାଜ୍ୟ ପିସିସି କାଯ୍ୟକାରୀ ସଭାପତି ତଥା ଯୁବ ନେତା ପ୍ରଦୀପ ମାଝୀ। ତାଙ୍କ ଅଞ୍ଚଳରେ ସେ ଶ୍ୟାମଘନଙ୍କ ପାଇଁ ଜୋରଦାର ପ୍ରଚାର ଚଳାଇଛନ୍ତି। ଏସବୁକୁ ଦେଖି ଜିତାପଟ ତାଙ୍କର ନିଶ୍ଚିତ ହେବ ବୋଲି ଶ୍ୟାମଘନ ଆଶାବାଦୀ ।
ବିଜେପିର ମହିଳା ବିଧାୟିକା ପ୍ରାର୍ଥୀ ଅର୍ଚ୍ଚନା ପ୍ରଧାନ ମଧ୍ୟ ପ୍ରଚାରରେ ପଛରେ ପଡ଼ି ନାହାନ୍ତି । ସବୁ ବ୍ଲକର ଭୋଟରଙ୍କୁ ମନେଇବା ପାଇଁ ସାଥୀ ନେତାଙ୍କ ସହ ତୁହାକୁ ତୁହା ପ୍ରଚାର ଚଲାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଅର୍ଚ୍ଚନାଙ୍କ ଲାଗି ରାଇକିଆ ବିଜୟ ସଙ୍କଳ୍ପ ସଭାରେ ଯୋଗଦେଇ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି। ଅର୍ଚ୍ଚନାଙ୍କ ପାଇଁ ଫାଇଦା ଏହା ଯେ, ଏହି ପ୍ରଧାନ ଲଢ଼େଇରେ ସେ ଏକମାତ୍ର ମହିଳା । ତେଣୁ ମହିଳା ଭୋଟକୁ ହାତେଇବା ପାଇଁ ମଧ୍ୟ ସେ ଲକ୍ଷ୍ୟ ରଖିଛନ୍ତି। ଏହା ସହ କନ୍ଧମାଳ ସାଂସଦ ପ୍ରାର୍ଥୀ ଖାରବେଳ ସ୍ୱାଇଁ ମଧ୍ୟ ନିବାର୍ଚନ ମଣ୍ଡଳୀରେ ବୁଲି ଅର୍ଚ୍ଚନାଙ୍କ ଲାଗି ଭୋଟ ଭିକ୍ଷା କରିଛନ୍ତି।
ଶାସକ ଦଳ ତଥା ବିଜେଡି ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନଙ୍କ ପାଇଁ ନିଜେ ସାରଥୀ ସାଜିଛନ୍ତି ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦାରିଙ୍ଗବାଡ଼ି ଗସ୍ତରେ ଆସି ସାଲୁଗା ପ୍ରଧାନଙ୍କ ପାଇଁ ଭୋଟ ମାଗିଛନ୍ତି। ଏପଟେ ଦଳୀୟ ଚିହ୍ନ ଓ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନର କଥା କହି ସାଲୁଗା ପ୍ରଧାନ ନିଜ ସପକ୍ଷରେ ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି। ଷ୍ଟାର କ୍ୟାମ୍ପନର ମଧ୍ୟ ରାସ୍ତାକୁ ଓହ୍ଲାଇ ଆସିଛନ୍ତି ସାଲୁଗା ପ୍ରଧାନ ପାଇଁ। ସିନେ ତାରକା ସବ୍ୟସାଚୀ ମହାପାତ୍ର, ଅର୍ଚ୍ଚିତା ସାହୁ ରାଇକିଆ ହାଟରେ ସାଲୁଗାଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି।
ଗୋଟିଏ ପଟେ ସବୁ ଦଳୀୟ ପ୍ରଧାନ ପ୍ରାର୍ଥୀ ଭୋଟରଙ୍କୁ ନିଜ ଆଡ଼କୁ ଟାଣୁଥିବାବେଳେ ଅନ୍ୟପଟେ ଅଛନ୍ତି ସ୍ୱାଧୀନ ପ୍ରାର୍ଥୀ ଯାକବ ପ୍ରଧାନ। ୨୦୧୪ରେ କଂଗ୍ରେସ ଟିକଟରେ ସେ ବିଧାୟକ ଭାବେ ଜିତିଥିଲେ। ଏଥର ଟିକେଟ କଟିବା ପରେ ସେ ସ୍ୱାଧୀନ ପ୍ରାର୍ଥୀଭାବେ ଲଢୁଛନ୍ତି। ତାଙ୍କର ଅଭିଜ୍ଞତା ଏବଂ ଲୋକ ସମ୍ପର୍କ ଅନ୍ୟ ପ୍ରାର୍ଥୀଙ୍କ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ୍ ସୃଷ୍ଟି କରିଛନ୍ତି।
ବ୍ୟାଙ୍କ ଅଧିକାରୀରୁ ସିଧାସଳଖ ରାଜନୀତିକୁ ଡେଇଁଥିଲେ ଯାକବ ୨୦୧୪ରେ। କଂଗ୍ରେସ ଟିକଟରେ ଲଢି ବିଧାୟକ ହୋଇଥିଲେ। ୫ବର୍ଷ କାର୍ଯ୍ୟକାଳ ଭିତରେ ତାଙ୍କର ଏହି ଅଞ୍ଚଳରେ ବେଶ ଦବଦବା ରହିଛି। ନିଜ ସମର୍ଥକଙ୍କୁ ଧରି ସେ ଅଂଚଳର ଭୋଟରଙ୍କୁ ଭେଟି ପୁଣିଥରେ ବିଧାୟକ ଭାବେ ନିବାର୍ଚିତ କରିବାକୁ ସେ ନେହୁରା ହେଉଛନ୍ତି। ଅବଶ୍ୟ ଦଳର କିଛି ହାତ ଗଣତି ନେତା ଓ କର୍ମୀ ତାଙ୍କ ସାଥୀରେ ଅଛନ୍ତି ।
ଯାହା ବି ହେଉ, ଏହି ପ୍ରଧାନ ଲଢେଇରେ ଜି.ଉଦୟଗିରିର ବିଜୟ ମୁକୁଟ କିଏ ପିନ୍ଧିବ, ତାହାକୁ ସଭିଙ୍କର ଅପେକ୍ଷା।
from Odisha Reporter http://bit.ly/2GfUYdT
No comments:
Post a Comment