ପ୍ରତି ରବିବାର ଓଳିଏ ପାଇଁ ପ୍ରଧାନମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ : ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 18, 2019

ପ୍ରତି ରବିବାର ଓଳିଏ ପାଇଁ ପ୍ରଧାନମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ : ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାର ଅନୁଯାୟୀ ପ୍ରଧାନମନ୍ତ୍ରୀ ହେବେ ଆମ ଦେଶର କିଛି ତୁଙ୍ଗ ନେତା। ବାର ଅନୁଯାୟୀ ସେମାନଙ୍କୁ ବାଣ୍ଟି ଦିଆଯିବ ପ୍ରଧାନମନ୍ତ୍ରୀଙ୍କ ଚଉକି ଆଉ ଦାୟିତ୍ୱ। ସେଇ ତୁଙ୍ଗ ତାଲିକାରେ ଅଛନ୍ତି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ପାଳି ପଡିବ ପ୍ରତି ରବିବାର। ହେଲେ ସପ୍ତାହରେ ମାତ୍ର ଓଳିଏ ପାଇଁ ସେ ପିଏମ୍‌ ଚଉକିରେ ବସିବାର ସୁଯୋଗ ପାଇବେ।

କଥାଟା ଶୁଣି ଆପଣ ପୂରା ଆଶ୍ଚର୍ଯ୍ୟ ହେବେଣି।

ହେଲେ ଏମିତି କିଛି କହି ଏବେ ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ମୂଳ କଥାଟା ଏମିତି

ଶାସନ ଗାଦିକୁ ନେଇ ଚାଲିଛି ଟଣା ଓଟରା। ସମସ୍ତେ କହୁଛନ୍ତି ଏହି ସିଟ୍‌ରେ ଆମେ ବସିବୁ ! ଜଣେ ସିଟ୍‌କୁ ହାତେଇ ମୋର ବୋଲି କହି ବସିଲା ବେଳକୁ ଆଉ ଜଣେ ପଛପଟୁ ଆସି କଳେ ବଳେ କୌଶଳେ ଟାଣି ନେଉଛି ଚୌକି। ଏମିତି ଚାଲିଛି ଆମର ରାଜନୀତି। ଏବେ ନିର୍ବାଚନୀ ଋତୁରେ ଏଇ ସିଟ୍‌ ପାଇଁ ଚାଲିଛି ବିଗ୍‌ ଫାଇଟ୍। ଯେମିତି ବି ହେଉ, ସିଟ୍‌କୁ ହାତେଇବାକୁ ପଡ଼ିବ । ଏହି ବଳ କଷା କଷିରେ କିଏ କାହା ଉପରକୁ କାଦୁଅ ଛାଟିଲାଣି ତ କିଏ ଗୁଳି। ତେବେ ଆମ ମନରେ ପ୍ରଶ୍ନ, କିଏ ବସିବ ଭାରତ ସିଂହାସନରେ ?

ଆମ ଆଖିରେ ତ ଦିଶି ଯାଉଛି ଦୁଇଟି ଜାତୀୟ ଦଳ ବିଜେପି ଆଉ କଂଗ୍ରେସ।

ବିଜେପିର ନେତୃତ୍ୱ ନେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଲେ କଂଗ୍ରେସ ମଙ୍ଗ ଧରିବ କିଏ ତାହାକୁ ନେଇ ଏବେ ବି ଅଙ୍କକଷା ସରୁନି।

ବିଜେପି କହୁଛି ଆମେ ଏଥର ନିରଙ୍କୁଶ ଶାସନ କ୍ଷମତା ଭୋଗ କରିବୁ ! ହେଲେ ସମସ୍ତେ ଜାଣନ୍ତି, ଅନେକ ଦଶନ୍ଧି ଧରି ଏହି ସିଂହାସନ ନିରଙ୍କୁଶ  ଶାସକ ପାଇନାହିଁ । କେତେବେଳେ ଏନ୍‌ଡିଏ ମେଣ୍ଟ ତ କେତେବେଳେ ୟୁପିଏ ମେଣ୍ଟ । ତେଣୁ ମୋଦି ସରକାର ଯଦି କହୁଛନ୍ତି ସେ ନିରଙ୍କୁଶ କ୍ଷମତା ହାସଲ କରିବେ, ତେବେ ଭଲ କଥା। ଆଉ ସେ ନିରଙ୍କୁଶ କ୍ଷମତା ପାଇଲେ ପୁଣି ମୋଦି ହେବେ ପ୍ରଧାନମନ୍ତ୍ରୀ। ତେଣୁ ବିଜେପି ବିକଳ୍ପ କଥା କୁଆଡେ ଭାବି ନାହିଁ।

ହେଲେ କଂଗ୍ରେସ ! କଂଗ୍ରେସ ତ ଏକୁଟିଆ କ୍ଷମତା ହାସଲ କରି ଏଇ ସିଂହାସନ ଦଖଲ କରିବ, ଏକଥା ଭାବି ହେଉନି। ଯଦି ମେଣ୍ଟ କରେ, ତେବେ ଆଗକୁ ଏକ ବଡ଼ ପ୍ରଶ୍ନ ହେବ କିଏ ହେବ କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ?

ଏଇ ଅଳ୍ପ ମାସ ତଳର କଥା ମନେ ପଡୁଛି । ମୋଦି ପ୍ରଧାନମନ୍ତ୍ରୀ ହୁଅନ୍ତୁ କଂଗ୍ରେସର ଅନେକ ମିତ୍ର ଦଳ ଏହା ଚାହୁଁ ନ ଥିଲେ। ତେଣୁ ସମସ୍ତେ ଏକାଠି ହୋଇଥିଲେ। କଂଗ୍ରେସ ଏକାକୀ ସରକାର ଗଢିବାକୁ ଯେ, ସାମର୍ଥ୍ୟ ରଖୁନାହିଁ ତାହାର ସୂଚନା ଦେଇଥିଲା ଏହି ମେଣ୍ଟ। ହେଲେ ଏହି ଗୋଷ୍ଠୀରେ ଏପରି ଅନେକ ହେଭିୱେଟ୍‌ ଥିଲେ, ଯେଉଁମାନେ ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବିଦାର ଥିଲେ। ଏଣୁ ସହଜ ଭାବେ କୁହାଯାଇପାରେ ଯେ, କଂଗ୍ରେସ ଶାସନକୁ ଆସିଲେ ପ୍ରଧାନମନ୍ତ୍ରୀ କିଏ ହେବ ତାହା ଏକ ବଡ଼ ପ୍ରଶ୍ନବାଚୀ। କାରଣ ବିଜେପିରେ କେବଳ ମୋଦି ଏହି ପଦ ପାଇଁ ହକଦାର ବୋଲି ଦଳ କହୁଥିବା ବେଳେ କଂଗ୍ରେସ ମେଣ୍ଟରେ ଆଶୟୀଙ୍କ ସଂଖ୍ୟା ଏକାଧିକ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସିଂହାସନରେ ବସିବାକୁ ହକ୍‌ଦାର ହୋଇଥିଲେ ବି ମେଣ୍ଟ ହେଲେ ତାଙ୍କୁ ବସିବାକୁ ଦିଆଯିବ କି ହଟହଟା ହେବାକୁ ପଡିବ ତାହା ହେଉଛି ପ୍ରମୁଖ ପ୍ରସଙ୍ଗ। କାରଣ କଂଗ୍ରେସ ମେଣ୍ଟ କଲେ ଏହାର ସହଯୋଗୀ ଦଳର ନେତା ଯଥାକ୍ରମେ ମାୟାବତୀ, ମମତା ବାନାର୍ଜୀ, ଚନ୍ଦ୍ରବାବୁ ନାଇଡୁ, ଅଖିଳେଶ ପ୍ରସାଦ ଯାଦବ, ଜେଲରେ ଥିବା ଲାଲୁ ଯାଦବ ପ୍ରମୁଖ ପ୍ରଧାନମନ୍ତ୍ରୀ ହେବାକୁ ପାଦ ବଢାଇବେ। ଏଣୁ ଭାଗବଣ୍ଟା ବେଳେ ସ୍ଥିତି ବିଗିଡିବାର ସମ୍ଭାବନା ରହିଛି।

ଏହି ପ୍ରସଙ୍ଗକୁ ଆଧାର କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁଟିକୁ ଯୋଡିଛନ୍ତି। ସମଦୂରତ୍ୱର କଥା କହୁଥିବା ନବୀନ ବିଜେପି ସହ ମେଣ୍ଟ କରିବାର ଆଦୌ ସମ୍ଭାବନା ନାହିଁ ବୋଲି କହି ସାରିଛନ୍ତି। ଅପରପକ୍ଷେ କଂଗ୍ରେସଠାରୁ ସମାନ ଦୂରତ୍ୱରେ ଦଳ ରହିଛି ବୋଲି ନବୀନ ସ୍ପଷ୍ଟ କରିଛନ୍ତି। ହେଲେ କଂଗ୍ରେସ ମେଣ୍ଟକୁ ସମର୍ଥନ କରୁଥିବା ଅନେକ ସହଯୋଗୀ ଦଳର ମୁଖିଆ ନବୀନଙ୍କ ସହ ଭଲ ସମ୍ପର୍କ ରଖୁଛନ୍ତି। ଏହି ଆଧାରରେ ମେଣ୍ଟ ହେଲେ ପ୍ରଧାନମନ୍ତ୍ରୀ ଚଉକି ଉପରେ ନବୀନଙ୍କ ହକ୍‌ ରହିଛି ବୋଲି ବ୍ୟଙ୍ଗ କରି କହିଛନ୍ତି ପ୍ରଧାନ।

ଗତକାଲି ବଡମ୍ବା ନିର୍ବାଚନୀ ସଭାରେ ଯୋଗଦେଇ ପାଳି ପ୍ରଧାନମନ୍ତ୍ରୀଙ୍କ ତାଲିକା ପଢିଥିଲେ ପ୍ରଧାନ। କଂଗ୍ରେସ ମେଣ୍ଟରେ ସରକାର ହେଲେ ସୋମବାର ରାହୁଲ ଗାନ୍ଧୀ, ମଙ୍ଗଳବାର ମମତା ବାନାର୍ଜୀ, ବୁଧବାର ମାୟାବତୀ, ଗୁରୁବାର ଚନ୍ଦ୍ରବାବୁ ନାଇଡୁ, ଶୁକ୍ରବାର ଅଖିଳେଶ ଯାଦବ, ଶନିବାର ଲାଲୁ ଯାଦବ ପ୍ରଧାନମନ୍ତ୍ରୀ ହେବେ।  ଆଉ ବାକି ରହିଲା ରବିବାର । ରବିବାର ଓଳିଏ ଛୁଟି ଥିବାରୁ ଅନ୍ୟ ଓଳିରେ ପ୍ରଧାନମନ୍ତ୍ରୀ ଚଉକିରେ ବସିବାକୁ ନବୀନଙ୍କ ପାଳି ପଡିବ।

କଥାଟି ଶୁଣିବା ପରେ ସମବେତ ଜନତା ଠୋ, ଠୋ ହୋଇ ହସିବାକୁ ଲାଗିଥିଲେ।

ଏହି କଥା କହି ପରୋକ୍ଷରେ ଧର୍ମେନ୍ଦ୍ର ଦେଶରେ ଏକ ସ୍ଥିର ସରକାର ଗଢିବାର କ୍ଷମତା କେବଳ ବିଜେପି ପାଖରେ ଅଛି ବୋଲି ସୂଚାଇ ଭୋଟରଙ୍କୁ ପାଖରେ ନିକଟତର ହେବାକୁ ଚଷ୍ଟା କରିଥିଲେ ବୋଲି କୁହାଯାଇପାରେ।



from Odisha Reporter http://bit.ly/2vbZRQc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages