
କୋଲକାତା: ଦେଶର ୧୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୯୫ଟି ଲୋକସଭା ଆସନରେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇଛି। ଲୋକମାନେ ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୋଇ ଆଗାମୀ ପାଞ୍ଚ ବର୍ଷ ପାଇଁ ଦେଶକୁ କିଏ ଶାସନ କରିବ, ତା’ହା ସ୍ଥିର କରୁଛନ୍ତି।
ତେବେ ଏହି ଭୋଟ ଗ୍ରହଣ ବେଳେ ପଶ୍ଚିମବଙ୍ଗରେ ବ୍ୟାପକ୍ ହିଂସାକାଣ୍ଡ ଦେଖିବାକୁ ମିଳିଛି। ରାଇଗଞ୍ଜରେ ପଶ୍ଚିମବଙ୍ଗରେ କ୍ଷମତାସୀନ ତୃଣମୂଳ କଂଗ୍ରେସର ଗୁଣ୍ଡାଗିରି ଦେଖିବାକୁ ମିଳିଛି। କେଉଁଠି ତୃଣମୂଳ କଂଗ୍ରେସର କର୍ମୀମାନେ ବିଜେପି ସମର୍ଥକଙ୍କୁ ମାଡ଼ ମାରିଥିବା ବେଳେ ଆଉ କେଉଁଠି ସିପିଏମର ପ୍ରାର୍ଥୀଙ୍କ ଗାଡ଼ିକୁ ଢେଲା ମାଡ଼ କରିଛନ୍ତି।
ଖାଲି ସେତିକି ନୁହେଁ ସିପିଏମର ପ୍ରାର୍ଥୀ ଓ ବରିଷ୍ଠ ନେତା ମହମ୍ମଦ ସଲିମଙ୍କ ଗାଡ଼ି ଉପରକୁ ଇସଲାମପୁର ଅଞ୍ଚଳରେ ତୃଣମୂଳ କର୍ମୀମାନେ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି। ପଥର ମାଡ଼ରେ ତାଙ୍କ ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
ଏହି ଘଟଣା ପରେ ପୁଲିସ୍ ସମସ୍ତ ପ୍ରାର୍ଥୀମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଥିଲା। ସ୍ଥାନୀୟ ଅଞ୍ଚଳରେ ଥିବା ଏକାଧିକ ବୁଥ୍ରେ ତୃଣମୂଳ କଂଗ୍ରେସର କର୍ମୀମାନେ ଗୁଣ୍ଡାଗିରି ଚଳାଇଥିବା ଖବର ମିଳିଥିଲା।
ଏହି ଖବର ପାଇ ସଲିମ ନିଜେ ଘଟଣାସ୍ଥଳକୁ ଗାଡ଼ି ନେଇ ବାହାରି ଯାଇଥିଲେ। ତେବେ ଅଧାରାସ୍ତାରେ ତାଙ୍କ କନଭୟ ଉପରେ ଆକ୍ରମଣ ହୋଇଥିଲା। ପୁଲିସ୍ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ହେଁ କେବଳ ନିରବଦ୍ରଷ୍ଟା ସାଜିଥିଲା।
ସିଆରପିଏଫ୍ ଯବାନମାନେ ଘଟଣାସ୍ଥଳରେ ପହଞ୍ଚିବା ପରେ ଟିଏମସି କର୍ମୀମାନଙ୍କୁ ସେଠାରୁ ଘଉଡ଼ାଇ ଦେଇଥିଲେ। ତେବେ ଏହା ପୂର୍ବରୁ ସୁରକ୍ଷାକର୍ମୀ ଓ ଟିଏମସି କର୍ମୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। ସଲିମ ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ବିଜେପି ମଧ୍ୟ ଟିଏମସି ସମର୍ଥକମାନେ ରାଇଗଞ୍ଜରେ ଭୋଟ୍ ଦେବାକୁ ଯାଉଥିବା ଲୋକଙ୍କୁ ମାଡ଼ ମାରୁଥିବା ଅଭିଯୋଗ କରିଛି।
from Odisha Reporter http://bit.ly/2Phlrfp
No comments:
Post a Comment