
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ବିଧାନସଭା ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା, ମୋଟ ସଂପତ୍ତି, ସେମାନଙ୍କ ବିରୋଧରେ ଥିବା ଅପରାଧିକ ମାମଲା ଓ ଅନ୍ୟାନ୍ୟ ବିଷୟରେ ସବିସ୍ତୃତ ତଥ୍ୟକୁ ନେଇ ଓଡ଼ିଶା ଇଲେକ୍ସନ ଓ୍ୱାଚ୍ ଓ ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫମର୍ସ (ଏଡିଆର) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ସବୁ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀଙ୍କ ସଂପର୍କରେ ତଥ୍ୟ ରହିଛି।
ଚଳିତ ବର୍ଷ ବିଧାନସଭା ନିର୍ବାଚନ ପାଇଁ ମୋଟ ୧୧୩୭ ଜଣ ପ୍ରାର୍ଥୀ ହୋଇଥିବା ବେଳେ ୧୧୨୧ ପ୍ରାର୍ଥୀଙ୍କ ସତ୍ୟପାଠ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।
ରିପୋର୍ଟ ଅନୁଯାୟୀ, ୧୧୨୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୩୨ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି। ସେମାନଙ୍କ ମଧ୍ୟରୁ ୨୫୭ ଜଣଙ୍କ ନାଁରେ ଦୁଷ୍କର୍ମ, ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ ଓ ମହିଳାଙ୍କ ବିରୋଧରେ ଅପରାଧ ଭଳି ସଙ୍ଗିନ ଅପରାଧିକ ମାମଲା ରହିଛି। ଏହି ୨୫୭ ଜଣଙ୍କ ମଧ୍ୟରୁ ୭ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ୯ ଜଣଙ୍କ ନାଁରେ ହତ୍ୟା ମାମଲା ରହିଛି। ସେହିପରି ୬୩ ଜଣଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା ରହିଛି। ୪୯ ଜଣଙ୍କ ନାଁରେ ମହିଳାଙ୍କ ବିରୋଧରେ ଅପରାଧ ଘଟାଇଥିବା ମାମଲା ରହିଛି। ଏହି ୪୯ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ନାଁରେ ଦୁଷ୍କର୍ମ ମାମଲା ରହିଛି। ୧୭ ଜଣ ପ୍ରାର୍ଥୀଙ୍କ ନାଁରେ ଅପହରଣ ମାମଲା ରହିଛି।
ବିଜେଡି ୧୪୬ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୫୮ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଥିବା ବେଳେ ବିଜେପିର ୧୪୫ ପ୍ରାର୍ଥୀଙ୍କ ମଧ୍ୟରୁ ୮୬ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି। ସେହିପରି କଂଗ୍ରେସର ୧୩୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୬୪ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି।
ଗତଥର ଅପେକ୍ଷା ଅପରାଧିକ ମାମଲା ଥିବା ପ୍ରାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡ଼ିଛି। ୨୦୧୪ରେ ୨୩ ପ୍ରତିଶତ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ଥିଲା। ହେଲେ ଏଥର ୩୦ ପ୍ରତିଶତ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଛି। ୨୦୧୪ରେ ୧୪୨୦ ପ୍ରାର୍ଥୀଙ୍କ ମଧ୍ୟରୁ ୩୩୩ ଜଣଙ୍କ ନାଁରେ ଅପରାଧିକ ମାମଲା ଥିଲା।
ସେହିପରି ଚଳିତ ନିର୍ବାଚନରେ କୋଟିପତି ପ୍ରାର୍ଥୀଙ୍କ ସଂଖ୍ୟା ବି ବଢ଼ିଛି। ଏଥର ୧୧୨୧ ପ୍ରାର୍ଥୀଙ୍କ ମଧ୍ୟରୁ ୩୦୪ (୨୭%) ଜଣ ହେଉଛନ୍ତି କୋଟିପତି। ୨୦୧୪ରେ ୧୪୨୦ ପ୍ରାର୍ଥୀଙ୍କ ମଧ୍ୟରୁ ୨୪୪ (୧୭%)ଜଣ କୋଟିପତି ଥିଲେ।
ବିଜେଡି ଦେଇଥିବା ୧୪୬ ପ୍ରାର୍ଥୀଙ୍କ ମଧ୍ୟରୁ ୯୭ ଜଣ କୋଟିପତି ହୋଇଥିବା ବେଳେ ବିଜେପିର ୧୪୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୭୫ ଜଣ କୋଟିପତି। ସେହିପରି କଂଗ୍ରେସର ୧୩୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୭୩ ଜଣ କୋଟିପତି। ବିଏସ୍ପିର ୧୦୬ ପ୍ରାର୍ଥୀଙ୍କ ମଧ୍ୟରୁ ୫ ଜଣ କୋଟିପତି ହୋଇଥିବା ବେଳେ ଆପ୍ର ୧୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୪ ଜଣ କୋଟିପତି। ସେହିପରି ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଥିବା ୨୯୮ ଜଣ ନେତାଙ୍କ ମଧ୍ୟରୁ ୪୧ ଜଣ ହେଉଛନ୍ତି କୋଟିପତି।
ବିଜେଡିର ବଡ଼ମ୍ବା ବିଧାନସଭା ପ୍ରାର୍ଥୀ ବବି ମହାନ୍ତି ହେଉଛନ୍ତି ସବୁଠୁ ଧନୀ ପ୍ରାର୍ଥୀ। ତାଙ୍କ ମୋଟ ସଂପତ୍ତିର ମୂଲ୍ୟ ୧୦୬ କୋଟି ଟଙ୍କା। ତାଙ୍କ ତଳକୁ ଅଛନ୍ତି ଉଭୟ ବିଜେପୁର ଓ ହିଞ୍ଜିଳି ଆସନରୁ ପ୍ରାର୍ଥୀ ହୋଇଥିବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କର ମୋଟ ସଂପତ୍ତିର ମୂଲ୍ୟ ୬୩ କୋଟି ଟଙ୍କା। ଏହି ତାଲିକର ତୃତୀୟ ସ୍ଥାନରେ ଅଛନ୍ତି ଘସିପୁରା ଓ ଭଣ୍ଡାରୀପୋଖରୀର ପ୍ରାର୍ଥୀ ତଥା ପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକ। ତାଙ୍କର ମୋଟ ସଂପତ୍ତିର ମୂଲ୍ୟ ୬୦ କୋଟି ଟଙ୍କା। ୬ ଜଣ ପ୍ରାର୍ଥୀ ସତ୍ୟପାଠରେ ସେମାନଙ୍କର ଆଦୌ ସଂପତ୍ତି ନଥିବା କଥା ଦର୍ଶାଇଛନ୍ତି।
ଚଳିତ ନିର୍ବାଚନରେ ବିଜେଡି ୧୨୭ଟି ଆସନରେ ପୁରୁଷଙ୍କୁ ପ୍ରାର୍ଥୀ କରିଥିବା ବେଳେ ୧୯ଟି ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ୧୩୯ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ୧୨୬ଟିରେ ପୁରୁଷଙ୍କୁ ଓ ୧୩ଟିରେ ମହିଳାଙ୍କୁ ଛିଡ଼ା କରାଇଛନ୍ତି। ବିଜେପିର ୧୪୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୩୩ ଜଣ ପୁରୁଷ ଓ ୧୨ ଜଣ ମହିଳା। ବିଏସ୍ପିର ୧୦୬ ପ୍ରାର୍ଥୀଙ୍କ ମଧ୍ୟରୁ ୯୬ ଜଣ ପୁରୁଷ ଓ ୧୦ ଜଣ ମହିଳା। ଚଳିତ ନିର୍ବାଚନରେ ବିଭିନ୍ନ ଦଳରୁ ଓ ସ୍ୱାଧୀନ ଭାବେ ମୋଟ ୧୧୨ ଜଣ ମହିଳା ନିର୍ବାଚନ ଲଢ଼ୁଛନ୍ତି। ଅର୍ଥାତ୍ ମୋଟ ୧୧୨୧ ପ୍ରାର୍ଥୀଙ୍କ ମଧ୍ୟରେ ମାତ୍ର ୧୦% ମହିଳା ଅଛନ୍ତି।
from Odisha Reporter http://bit.ly/2Zy3TQG
No comments:
Post a Comment