
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ସହଯୋଗୀଙ୍କ ବିଭିନ୍ନ ଠିକଣାରେ ଆୟକର ଚଢ଼ଉ ପରେ ବହୁ ବଡ଼ ବଡ଼ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। କଂଗ୍ରେସ ଆକାଉଣ୍ଟାଣ୍ଟ ଏସ୍ଏମ୍ ମୋଇନ୍ଙ୍କୁ ଆୟକର ବିଭାଗ ପଚରାଉଚରା କରିବାପରେ କଂଗ୍ରେସର ଅଡ଼ୁଆ ବଢ଼ିବାରେ ଲାଗିଛି। ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ ପୂର୍ବରୁ ସୂଚନା ଦେଇଥିଲା ଯେ ଏକ ପ୍ରମୁଖ ଜାତୀୟ ଦଳର ମୁଖ୍ୟାଳୟକୁ ଏହି ରାକେଟ୍ରୁ ୨୦ କୋଟି ‘ହାୱଲା’ ଟଙ୍କା ଯାଇଛି। ତୁଗ୍ଲକ୍ ରୋଡ୍ର ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ଘରୁ ଏହି ଟଙ୍କା ଏକ ପ୍ରମୁଖ ରାଜନୀତିକ ଦଳର ଦିଲ୍ଲୀସ୍ଥିତ କାର୍ଯ୍ୟାଳୟକୁ ଯାଇଛି ବୋଲି ମଧ୍ୟ କୁହାଯାଇଛି। ଏହି ଅଞ୍ଚଳରେ ହିଁ କମଲ ନାଥ ରହୁଥିବାରୁ ଏହି ବିଶିଷ୍ଟ ବ୍ୟକ୍ତି କମଲ ନାଥ ହୋଇପାରିଥାନ୍ତି ବୋଲି ଚର୍ଚ୍ଚା ହେଉଛି।
ଏହି ସୁଚିନ୍ତିତ ଏବଂ ସୁଦୂରବ୍ୟାପୀ ରାକେଟ୍ରେ ମହଜୁଦ ଥିବା ନଗଦ ଟଙ୍କାର ପରିମାଣ ପ୍ରାୟ ୨୮୧ କୋଟି ଟଙ୍କା ବୋଲି ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ୧୪.୬ କୋଟି ଟଙ୍କା ଜବତ ହୋଇଥିବାବେଳେ ଏଭଳି କିଛି ଡାଏରୀ, ଇମେଲ୍ ଓ କମ୍ପ୍ୟୁଟର ଫାଇଲ ମିଳିଛି ଯାହାକି ମଧ୍ୟପ୍ରଦେଶ ଓ ଦିଲ୍ଲୀ ମଧ୍ୟରେ ଟଙ୍କା କାରବାର ହୋଇଥିବାର ପ୍ରମାଣ ଦେଉଛି। ତେବେ ପ୍ରଶ୍ନ ଉଠୁଛି ଏହି ପ୍ରମୁଖ ରାଜନୀତିକ ଦଳ ସତରେ କ’ଣ କଂଗ୍ରେସ?
ରବିବାର ମଧ୍ୟପ୍ରଦେଶରେ ହୋଇଥିବା ମାରାଥନ୍ ଚଢ଼ଉ ବାବଦରେ ଆଜି ଆକାଉଣ୍ଟାଣ୍ଟ ମୋଇନ୍ଙ୍କୁ ପଚରାଉଚରା କରାଯାଇଥିଲା। ଏହାର କିଛି ସମୟ ପରେ ହିଁ ବରିଷ୍ଠ କଂଗ୍ରେସ ନେତା ତଥା ଗାନ୍ଧି ପରିବାରର ଅତ୍ୟନ୍ତ ଘନିଷ୍ଠ ଅହମ୍ମଦ ପଟେଲ ମୋଇନ୍ଙ୍କ ଘରେ ପହଞ୍ଚିଥିଲେ। ସେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିବାକୁ ପହଞ୍ଚିଥିଲେ ବୋଲି କୁହାଯାଉଥିଲେ ମଧ୍ୟ ଏହା ପଛରେ କିଛି ଅଲଗା ଉଦ୍ଦେଶ୍ୟ ରହିଥିବା କୁହାଯାଉଛି। ଦୁଇ ଜଣଙ୍କ ଭେଟ ବାବଦରେ ଜଣେ ଆୟକର ଅଧିକାରୀ ହିଁ ଜଣାଇଛନ୍ତି। ଏପରିକି ସେ ଉଭୟଙ୍କର ଫଟୋ ନେଇଥିବା କୁହାଯାଉଛି।
ଗତମାସରେ କର୍ଣ୍ଣାଟକାରେ କଂଗ୍ରେସ- ଜେଡିଏସ୍ ମେଣ୍ଟ ସହିତ ଜଡ଼ିତ ବ୍ୟକ୍ତିଙ୍କ ଉପରେ ଚଢ଼ଉ ପରେ ଚଳିତ ମାସରେ ମଧ୍ୟପ୍ରଦେଶରେ ଏହି ଚଢ଼ଉ କଂଗ୍ରେସର ନିଦ ହଜାଇଦେଇଛି। ରବିବାର କମଲଙ୍କ ସହଯୋଗୀ ପ୍ରବୀଣ କକ୍କରଙ୍କ ବିଭିନ୍ନ ଠିକଣା ଉପରେ ଚଢ଼ଉ ହୋଇଥିଲା। ଏହା ପରେ ପ୍ରବୀଣ କହିଥିଲେ, “ଭୋର ୩.୩୦ ବେଳକୁ ଆୟକର ଅଧିକାରୀମାନେ ମୋ ଘର ଭିତରକୁ ପଶିଆସିଥିଲେ। ସେମାନେ ଦୁଇଟି ବ୍ୟାଙ୍କ ଲକର ଯାଞ୍ଚ କରିବା ପରେ କିଛି ମଧ୍ୟ ପାଇନଥିଲେ। ମୁଁ ଭାବୁଛି ଏହା ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ।”
କିନ୍ତୁ ଆୟକର ବିଭାଗ ପକ୍ଷରୁ କୁହାଯାଇଛି, ‘ହାୱଲା’ ସହିତ ଜଡ଼ିତ କ୍ୟାଶ୍ବୁକ୍, ନଗଦ ଟଙ୍କା, ବାଘ ଛାଲ ଏବଂ ବିନା ଲାଇସେନ୍ସରେ ଥିବା ବେଆଇନ ବନ୍ଧୁକ ଜବତ କରାଯାଇଛି। କକ୍ମରଙ୍କ ବ୍ୟତୀତ ଅଶ୍ୱିନୀ ଶର୍ମା, ରାଜେନ୍ଦ୍ର ମିଗ୍ଲାନୀ ଏବଂ ରାତୁଲ ପୁରୀଙ୍କ ଘରେ ମଧ୍ୟ ଏପରି ଚଢ଼ଉ କରାଯାଇଛି।
ଏହି ଚଢ଼ଉ ପରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ କହିଥିଲେ, “ଆୟକର ଚଢ଼ଉ ପରେ ସ୍ଥିତି ଏଯାଏ ସ୍ପଷ୍ଟ ହୋଇନାହିଁ, ତେଣୁ ବର୍ତ୍ତମାନ ସେ ବିଷୟରେ ମନ୍ତବ୍ୟ ଦେବା ଠିକ୍ ହେବନାହିଁ। ସମଗ୍ର ଦେଶ ଜାଣିଛି, ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକୁ କିଭଳି ନିୟନ୍ତ୍ରଣ କରାଯାଉଛି। ସେମାନଙ୍କୁ କିଭଳି ଏବଂ କାହା ବିରୋଧରେ ବ୍ୟବହାର କରାଯାଉଛି,ତାହା ମଧ୍ୟ ଗତ ୫ ବର୍ଷରେ ସ୍ପଷ୍ଟ ହୋଇସାରିଛି। ବିରୋଧୀଙ୍କୁ ଡରାଇବାକୁ ଏହି ଅନୁଷ୍ଠାନଙ୍କୁ ବ୍ୟବହାର କରାଯାଉଛି।”
from Odisha Reporter http://bit.ly/2I6e3Tb
No comments:
Post a Comment