
ନୂଆଦିଲ୍ଲୀ: ନିର୍ବାଚନ କମିଶନଙ୍କ ବାରମ୍ବାର ବାରଣ ସତ୍ତ୍ୱେ ଧାର୍ମିକ ଓ ଭାରତୀୟ ସେନା ନାଁରେ ପ୍ରଚାର କରି ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଥିବା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିଏସ୍ପି ସୁପ୍ରିମୋ ମାୟାବତୀଙ୍କୁ ଜବରଦସ୍ତ ଝଟ୍କା ଲାଗିଛି।
ଉତ୍ତେଜନାମୂଳକ ବୟାନ ପାଇଁ ଉଭୟଙ୍କ ପ୍ରଚାର ଉପରେ ନିର୍ବାଚନ କମିଶନ କଟକଣା ଲଗାଇଛନ୍ତି। ଯୋଗୀ ଆସନ୍ତା ୭୨ ଘଣ୍ଟା ଓ ମାୟାବତୀ ୪୮ ଘଣ୍ଟା ପାଇଁ କୌଣସି ପ୍ରକାରର ନିର୍ବାଚନୀ ପ୍ରଚାର କରିପାରିବେ ନାହିଁ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।
ଏହି ବ୍ୟାନ୍ ଉଭୟ ଦଳକୁ ଶକ୍ତ ଝଟ୍କା ଦେଇଛି। କାରଣ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଆସନ୍ତାକାଲି ଶେଷ ହେବ। ଅର୍ଥାତ ଉଭୟ ନେତା ଶେଷ ଦିନରେ ପ୍ରଚାର କରିପାରିବେ ନାହିଁ। ଏହି ବ୍ୟାନ୍ ଆଦେଶ ଆସନ୍ତାକାଲି ସକାଳ ୬ଟାରୁ ଆରମ୍ଭ ହେବ। ଆଜି ଯୋଗୀ ଆଦିତ୍ୟନାଥ ଓଡ଼ିଶାରେ ନିଜର ପ୍ରଚାର ଜାରି ରଖିଛନ୍ତି।
ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିଲେ ହେଁ ଯୋଗୀ ଓ ମାୟାବତୀ ବାରମ୍ବାର ବିବାଦୀୟ ବୟାନ ଦେଉଥିଲେ। ଏହାସତ୍ତ୍ୱେ ନିର୍ବାଚନ କମିଶନ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିଲେ। ଆଜି ସୁପ୍ରିମକୋର୍ଟ ଏହାକୁ କେନ୍ଦ୍ର କରି ନିର୍ବାଚନ କମିଶନଙ୍କୁ ତୀବ୍ର ଭର୍ତ୍ସନା କରିଥିଲେ। ଏହି ରୁଲିଂର ମାତ୍ର କେଇ ଘଣ୍ଟା ମଧ୍ୟରେ ନିର୍ବାଚନ କମିଶନ ଉଭୟ ଯୋଗୀ ଏବଂ ମାୟାବତୀଙ୍କୁ ଦଣ୍ଡିତ କରିଛନ୍ତି।
ଯୋଗୀ ଆଦିତ୍ୟନାଥ ଭାରତୀୟ ସେନାକୁ ମୋଦିଙ୍କ ସେନା କହିଥିଲେ। ସେହିପରି ସେ ଏଥର ନିର୍ବାଚନ ଅଲୀ ଓ ବଜରଙ୍ଗବାଲି (ହନୁମାନ) ମଧ୍ୟରେ ହେବ ବୋଲି ମଧ୍ୟ ଭୋଟରଙ୍କୁ କହିଥିଲେ। ଅନ୍ୟପକ୍ଷରେ ମାୟାବତୀ ଏଥର ନିର୍ବାଚନରେ ମୁସଲିମମାନେ ଏକ ନିର୍ଦ୍ଦିଷ୍ଟ ପାର୍ଟିକୁ ଭୋଟ ନ ଦେବାକୁ କହିଥିଲେ। ଏଭଳି ବୟାନ ପାଇଁ ଉଭୟଙ୍କୁ ସମ୍ବିଧାନର ଧାରା ୩୨୪ ଅନୁଯାୟୀ ନିର୍ବାଚନ କମିଶନ ଦଣ୍ଡିତ କରିଛନ୍ତି।
from Odisha Reporter http://bit.ly/2ZetDkP
No comments:
Post a Comment