
ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଗୋଗୋଇଙ୍କ ବିରୋଧରେ ଆସିଥିବା ଅସଦାଚରଣ ମାମଲା ଏକ ‘ଷଡ଼ଯନ୍ତ୍ର’ ବୋଲି ଦାବି କରି ଆଇନଜୀବୀ ଉତ୍ସବ ବେନସ କୋର୍ଟରେ ଆଜି ସତ୍ୟପାଠ ଦାଖଲ କରିଛନ୍ତି। ଆସନ୍ତାକାଲି ଏହି ମାମଲାର ଶୁଣାଣି ହେବ। ଜଷ୍ଟିସ୍ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ବିଚାର କରିବ। ଜଷ୍ଟିସ୍ ଆର୍ ଏଫ୍ ନରିମନ୍ ଓ ଜଷ୍ଟିସ୍ ଦୀପକ ଗୁପ୍ତା ଏହି ଖଣ୍ଡପୀଠରେ ଅଛନ୍ତି। ଏହି ମାମଲାରେ ସିବିଆଇ, ଦିଲ୍ଲୀ ପୁଲିସ କମିଶନର ଏବଂ ଗୁଇନ୍ଦା ବିଭାଗଙ୍କୁ ମଧ୍ୟ ସମନ୍ କରିଛନ୍ତି କୋର୍ଟ।
ଜଷ୍ଟିସ୍ ଅରୁଣ ମିଶ୍ର ଶୁଣାଣି ବେଳେ କହିଛନ୍ତି, ଯଦି ଆଇନଜୀବୀ ବେନସଙ୍କ ଅଭିଯୋଗ ସତ ହୋଇଥିବ, ତାହେଲେ ପ୍ରମାଣ ସଂଗ୍ରହ ପାଇଁ ସମସ୍ତ ପ୍ରକାର ତଦନ୍ତ ହେବ। ନ୍ୟାୟ ପ୍ରକ୍ରିୟାକୁ ଯଦି କେହି ବି ପ୍ରଭାବିତ କରିବା ପାଇଁ ଚେଷ୍ଟା କରୁଥିବ, ତା’ହେଲେ ଉଭୟ ନ୍ୟାୟପାଳିକା ଏବଂ ଆମେ ବର୍ତ୍ତି ପାରିବା ନାହିଁ ବୋଲି କହିଛନ୍ତି ଜଷ୍ଟିସ ଅରୁଣ ମିଶ୍ର।
ସେହପରି ମହିଳାଙ୍କ ଅଭିଯୋଗ ଏକ’ଷଡ଼ଯନ୍ତ୍ର’ ବୋଲି ଦାବି କରିଥିବା ଆଇନଜୀବୀ ବେନସଙ୍କୁ ଜଷ୍ଟିସ୍ ଆର୍ ଏଫ୍ ନରିମନ୍ ଓ ଜଷ୍ଟିସ୍ ଦୀପକ ଗୁପ୍ତା ଶୁଣାଣି ବେଳେ ଆଉ ଏକ ସତ୍ୟପାଠ ଆସନ୍ତାକାଲି ସୁଦ୍ଧା ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁଥିରେ ଆଜି ଦେଇଥିବା ସିସିଟିଭି ଫୁଟେଜ ପ୍ରମାଣ ବ୍ୟତୀତ ଅନ୍ୟ କିଛି ଥିବ।
ଏଥିସହ ଶୁଣାଣି ବେଳେ ଖଣ୍ଡପୀଠ ସ୍ପଷ୍ଟୀକରଣ ରଖି କହିଛନ୍ତି ଯେ ପ୍ରଧାନ ବିଚାରପତିଙ୍କ ବିରୋଧରେ ଆସିଥିବା ଅସଦାଚରଣ ଅଭିଯୋଗ ଓ ଆଇନଜୀବୀ ବେନସଙ୍କ ମାମଲା ମଧ୍ୟରେ କିଛି ଲିଙ୍କ୍ ନାହିଁ।
ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଶନିବାର ଦିନ ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏହାକୁ ଏକ ‘ଷଡ଼ଯନ୍ତ୍ର’ ବୋଲି ଆଇନଜୀବୀ ଉତ୍ସବ ବେନସ କହିଥିଲେ। ଏହାପରେ କୋର୍ଟ ବେନସଙ୍କୁ ସତ୍ୟପାଠ ଦାଖଲ କରି ଏହା ପ୍ରମାଣ କରିବାକୁ କହିଥିଲେ।
ଆଜି କୋର୍ଟରେ ସିସିଟିଭି ଫୁଟେଜ ଦାଖଲ କରିଛନ୍ତି ଆଇନଜୀବୀ ଉତ୍ସବ ବେନସ। ଅଭିଯୋଗ ଆଣିଥିବା ମହିଳାଙ୍କ ପୂର୍ବରୁ ଉତ୍ସବଙ୍କୁ ଏହିପରି ଅଭିଯୋଗ ଆଣିବାକୁ ଜଣେ ଅଜଣା ବ୍ୟକ୍ତି ୧.୫ କୋଟି ଟଙ୍କାର ଅଫର ଦେଇଥିଲେ। ଏଥିପାଇଁ ପ୍ରେସ୍ କ୍ଲବ୍ ଅଫ୍ ଇଣ୍ଡିଆରେ ସାମ୍ୱାଦିକ ସମ୍ମିଳନୀ କରିବାକୁ ହେବ ବୋଲି ଅଜଣା ବ୍ୟକ୍ତି ଜଣଙ୍କ ସର୍ତ୍ତ ରଖିଥିଲେ। କିନ୍ତୁ ସେ ଏହି ଅଫରକୁ ଗ୍ରହଣ କରିନଥିଲେ ବୋଲି ଉତ୍ସବ କହିଥିଲେ।
ସତ୍ୟପାଠ ଦାଖଲ କରିବା ପରେ ଖଣ୍ଡପୀଠ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଳଙ୍କୁ ସିବିଆଇ ନିର୍ଦ୍ଦେଶକ, ଗୁଇନ୍ଦା ମୁଖ୍ୟ ଏବଂ ଦିଲ୍ଲୀ ପୁଲିସ କମିଶନରଙ୍କୁ ତାଙ୍କ ପ୍ରକୋଷ୍ଠକୁ ଆସିବା ପାଇଁ କହିଥିଲେ।
from Odisha Reporter http://bit.ly/2IDiXHv
No comments:
Post a Comment