ମୋଦିଙ୍କ ଉପରେ ନିର୍ଧୁମ ବର୍ଷିଲେ, ନବୀନଙ୍କୁ ନେଇ ମାତ୍ର ତିନି ପଦ କହିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 26, 2019

ମୋଦିଙ୍କ ଉପରେ ନିର୍ଧୁମ ବର୍ଷିଲେ, ନବୀନଙ୍କୁ ନେଇ ମାତ୍ର ତିନି ପଦ କହିଲେ

rahul

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ସାଧାରଣ ନିର୍ବାଚନରେ ଆଜି ପ୍ରଥମ ଥର ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା ଗସ୍ତରେ ଆସିଥିଲେ। ବାଲେଶ୍ୱରର ରେମୁଣାରେ ଆୟୋଜିତ ନିର୍ବାଚନୀ ସଭାରେ ସେ ପ୍ରାୟ ଅଧଘଣ୍ଟା ଭାଷଣ ଦେଇଥିଲେ। ସେଥିରୁ ଅଧାରୁ ଅଧିକ ସମୟ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ମାତ୍ର ତିନି ପଦ କହିଥିଲେ, ଯାହା ରାଜନୀତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

ରାହୁଲ ଭାଷଣ ଆରମ୍ଭରୁ ହିଁ ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ। ସେ କହିଥିଲେ, ଚଳିତ ନିର୍ବାଚନରେ ମୁଖ୍ୟତଃ ଯେଉଁ ଚାରି ପାଞ୍ଚୋଟି ପ୍ରସଙ୍ଗ ରହିଛି, ସେଗୁଡ଼ିକ ହେଉଛି ବେକାରୀ, କୃଷକଙ୍କ ସମସ୍ୟା, ଦରବୃଦ୍ଧି, ଦେଶର ଅର୍ଥନୈତିକ ବ୍ୟବସ୍ଥା ଓ ମୋଦିଙ୍କ ଭ୍ରଷ୍ଟାଚାର।
ସେ କହିଥିଲେ, ୫ ବର୍ଷ ତଳେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହୋଇଥିଲେ। ପ୍ରତ୍ୟେକ ଭାଷଣରେ ସେ କହୁଥିଲେ ଯେ ଦେଶର ଦୁଇ କୋଟି ଯୁବକଯୁବତୀଙ୍କୁ ଚାକିରି ଦିଆଯିବ। ଚାଷୀଙ୍କୁ ଉଚିତ୍ ମୂଲ୍ୟ ମିଳିବ। ପ୍ରତି ବ୍ୟାଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଜମା କରାଯିବ। କଳାଧନ ବିରୋଧରେ ଲଢ଼େଇ କରି ଦେଶରୁ ଭ୍ରଷ୍ଟାଚାର ଦୂର କରାଯିବ। କିନ୍ତୁ ଏବେ ତାଙ୍କ ଭାଷଣ ବଦଳି ଯାଇଛି। ସେ ଜମାରୁ ଏହି ପ୍ରସଙ୍ଗଗୁଡ଼ିକୁ ଉଠାଉ ନାହାନ୍ତି।

ରାହୁଲ କହିଥିଲେ, ଏବେ ପ୍ରଧାନମନ୍ତ୍ରୀ ତାଙ୍କର କୌଣସି ଭାଷଣରେ ବେକାରୀ ସମସ୍ୟା ଉପରେ କହୁ ନାହାନ୍ତି। ଚାଷୀଙ୍କ ସମସ୍ୟା ବିଷୟରେ ବି କହୁ ନାହାନ୍ତି। ୧୫ ଲକ୍ଷ ଟଙ୍କା କଥା ତ ସେ ଆଉ ଆଦୌ ଉଠାଉ ନାହାନ୍ତି। ଏହା ସହିତ ବିମୁଦ୍ରାକରଣ ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଥିଲେ। ସରକାରଙ୍କ ଏ ନିଷ୍ପତ୍ତିକୁ ସମାଲୋଚନା କରି ସେ କହିଥିଲେ ଯେ, ଏଥିପାଇଁ ଦେଶର ଲକ୍ଷ ଲକ୍ଷ ଯୁବକଯୁବତୀ ଚାକିରି ହରାଇଛନ୍ତି।

ବେକାରୀ ଏବେ ଦେଶର ସବୁଠୁ ବଡ଼ ପ୍ରସଙ୍ଗ ବୋଲି ରାହୁଲ କହିଥିଲେ। ସେ କହିଥିଲେ, କୋଟି କୋଟି ଯୁବକଯୁବତୀ ଏବେ ବେକାର ଅଛନ୍ତି। ୪୫ ବର୍ଷରେ ଏତେ ବେକାରୀ ସମସ୍ୟା କେବେ ବି ଦେଖାଯାଇ ନଥିଲା। ପ୍ରତି ୨୪ ଘଣ୍ଟାରେ ୨୭ ହଜାର ଯୁବକଯୁବତୀ ରୋଜଗାରର ପନ୍ଥା ହରାଉଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ୨ କୋଟି ଯୁବକଯୁବତୀଙ୍କୁ ଚାକିରି ଦେବା କଥା ଉଠାଉ ନାହାନ୍ତି। ଓଡ଼ିଶାରେ ସେ କେତେ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି ବୋଲି ରାହୁଲ ପ୍ରଶ୍ନ କରିଥିଲେ।

ସେ କଟାକ୍ଷ କରି କହିଥିଲେ, ପ୍ରଧାନମନ୍ତ୍ରୀ କେବଳ ଗୋଟିଏ ଭଲ କାମ କରିଛନ୍ତି। ଦେଶର ସବୁ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲି ଦେଇଛନ୍ତି। କିନ୍ତୁ ଟଙ୍କା ପଠାଇ ଦେଇଛନ୍ତି ଅନୀଲ ଅମ୍ବାନୀଙ୍କ ଆକାଉଣ୍ଟକୁ।

ଅନୀଲ ଅମ୍ବାନୀ, ନିରବ ମୋଦି, ବିଜୟ ମାଲ୍ୟା, ଲଳିତ ମୋଦି ଓ ମେହୁଲ ଚୋକ୍ସିଙ୍କୁ ସିଧାସଳଖ ଚୋର ବୋଲି କହି ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିଥିଲେ। ସେ କହିଥିଲେ, ନରେନ୍ଦ୍ର ମୋଦି ଅନୀଲ ଅମ୍ବାନୀଙ୍କୁ ୪୫ ହଜାର କୋଟି ଟଙ୍କା ଦେଇଛନ୍ତି। ନିରବ ମୋଦି ଓ ମେହୁଲ ଚୋକ୍ସିଙ୍କୁ ୩୫ ହଜାର କୋଟି ଲେଖାଏ ଦେଇଥିବା ବେଳେ ବିଜୟ ମାଲ୍ୟାଙ୍କୁ ୧୦ ହଜାର କୋଟି ଦେଇଛନ୍ତି। ତା’ହେଲେ ଆମେ କାହିଁକି ଦେଶର ୫ କୋଟି ଗରିବ ପରିବାରର ବ୍ୟାଙ୍କ ଆକାଉଣ୍ଟକୁ ବାର୍ଷିକ ୭୨ ହଜାର ଟଙ୍କା ଦେଇପାରିବା ନାହିଁ?

ଏହା ସହିତ ସେ କଂଗ୍ରେସର ‘ନ୍ୟାୟ’ ଯୋଜନା ବିଷୟରେ କହିଥିଲେ। ସେ କହିଥିଲେ ଯେ ‘ନ୍ୟାୟ’ର ଦୁଇଟି ପ୍ରମୁଖ ଲକ୍ଷ୍ୟ ରହିଛି। ଗୋଟିଏ ହେଉଛି ଗରିବ ଲୋକଙ୍କୁ ସାହାଯ୍ୟ କରିବା ଓ ଅନ୍ୟଟି ହେଉଛି ଦେଶର ଅର୍ଥନୀତି ଇଞ୍ଜିନ୍‌କୁ ପୁଣି ଚାଲୁ କରିବା।

ରାହୁଲ କହିଥିଲେ, ‘ନ୍ୟାୟ’ ଯୋଜନାରେ ଦେଶର ୫ କୋଟି ପରିବାରକୁ ବାର୍ଷିକ ୭୨ ହଜାର ଟଙ୍କା ଦିଆଯିବ। ପରିବାରର ଜଣେ ମହିଳା ସଦସ୍ୟଙ୍କ ଆକାଉଣ୍ଟରେ ଏହି ଟଙ୍କା ଜମା କରାଯିବ। ଏଥିରେ ୨୫ କୋଟି ଲୋକ ଉପକୃତ ହେବେ। ଗରିବ ଲୋକଙ୍କ ଆକାଉଣ୍ଟରେ ଟଙ୍କା ଜମା କରାଗଲା ସେମାନେ ସେମାନଙ୍କ ଆବଶ୍ୟକତା ମେଣ୍ଟାଇ ପାରିବେ। ଆଉ ସେମାନଙ୍କ ଆବଶ୍ୟକତା ମେଣ୍ଟାଇବା ପାଇଁ କଳକାରଖାନା ଓ ଫ୍ୟାକ୍ଟ୍ରି ଆଦି ପୁଣି ଚାଲିବ। ଫଳରେ ରୋଜଗାର ବା ନିଯୁକ୍ତି ପାଇଁ ବାଟ ଫିଟିବ।

ରାହୁଲ ସ୍ପଷ୍ଟ କରି ଦେଇ ଦେଇଛନ୍ତି ଯେ, ‘ନ୍ୟାୟ’ ଯୋଜନା ପାଇଁ ଦେଶର ମଧ୍ୟବିତ୍ତ ଲୋକଙ୍କ ଉପରେ ଅଧିକ ଟ୍ୟାକ୍ସ ପକାଯିବ ନାହିଁ। ଏନେଇ ମୋଦି ସରକାର କଂଗ୍ରେସ ବିରୋଧରେ ମିଛ ପ୍ରଚାର କରୁଛି। ଏଥିପାଇଁ ଅନୀଲ ଅମ୍ବାନୀ, ନିରବ ମୋଦିଙ୍କ ପକେଟରୁ ଟଙ୍କା ଅଣାଯିବ।

ଏହା ସହିତ କଂଗ୍ରେସ କେନ୍ଦ୍ରରେ ସରକାରକୁ ଆସିଲେ ଖାଲି ପଡ଼ିଥିବା ୨୨ ଲକ୍ଷ ସରକାରୀ ଚାକିରି ପଦବୀରେ ନିଯୁକ୍ତି ଦିଆଯିବ। ସରକାର ଗଠନର ବର୍ଷକ ମଧ୍ୟରେ ଏହି ପଦକ୍ଷେପ ନିଆଯିବ। ତା’ସହିତ ପଞ୍ଚାୟତ ସ୍ତରରେ ୧୦ ଲକ୍ଷ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ।

ଏସବୁ ଭିତରେ ରାହୁଲ ଗାନ୍ଧୀ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରି କେବଳ ତିନି ପଦ କଥା କହିଥିଲେ। ଚାଷୀ ଓ ଚାଷ ପ୍ରସଙ୍ଗ ଉଠାଇ ମୋଦିଙ୍କ ଉପରେ ବର୍ଷିବା ବେଳେ ସେ ଓଡ଼ିଶାରେ ଚାଷୀଙ୍କୁ ଧାନରେ ମିଳୁଥିବା ସର୍ବନିମ୍ନ ସହାୟତା ରାଶି ସଂପର୍କରେ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ, ଛତିଶଗଡ଼ରେ ଚାଷୀଙ୍କୁ ଧାନରେ ସର୍ବନିମ୍ନ ସହାୟତା ରାଶି ବାବଦକୁ ୨୫୦୦ ଟଙ୍କା ଦିଆଯାଉଛି। ଏଠାରେ କିନ୍ତୁ ୧୨୦୦ ଟଙ୍କା ଦିଆଯାଉଛି। ଓଡ଼ିଶାବାସୀଙ୍କ ଭୁଲ୍‌ ନିଷ୍ପତ୍ତି ଯୋଗୁ ଏପରି ହୋଇଛି। କାରଣ ସେମାନେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିଛନ୍ତି। ଏଥର କଂଗ୍ରେସ ରାଜ୍ୟରେ ସରକାର ଗଢ଼ିଲେ ଧାନର ସର୍ବନିମ୍ନ ସହାୟତା ରାଶିକୁ ୨୬୦୦ ଟଙ୍କା କରିବ।

ସେହିଭଳି ବେକାରୀ ଓ ରୋଜଗାର ଦେବା ପ୍ରସଙ୍ଗ ଉଠାଇବା ବେଳେ ସେ କହିଥିଲେ, ଓଡ଼ିଶାରେ ନବୀନ ପଟ୍ଟନାୟକ କେତେ ଜଣଙ୍କୁ ଚାକିରି ଦେଇଛନ୍ତି? ଅନ୍ୟ ଏକ ପ୍ରସଙ୍ଗରେ ସେ କହିଥିଲେ ଯେ ମୋଦି ୫ ବର୍ଷରେ କିଛି କରି ନାହାନ୍ତି। ଆଉ ନବୀନ କ’ଣ କରିଛନ୍ତି ଓ କ’ଣ କରି ନାହାନ୍ତି, ଆପଣମାନେ ଭଲ ଭାବେ ଜାଣିଛନ୍ତି।

ଆଜି ସଭାରେ କଂଗ୍ରେସ ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀଙ୍କୁ ତଥ୍ୟ ଦେଇ ଶାଣିତ ସମାଲୋଚନା କରିଥିବା ବେଳେ ବିଜେଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଅଳ୍ପ କେଇପଦ କଥା କହିବା ପ୍ରସଙ୍ଗକୁ ଅନେକ ଗ୍ରହଣ କରି ପାରିନାହାନ୍ତି। ସେ ସେଇ ପୁରୁଣା କଥା ଦୋହରାଇବା ସହିତ ନବୀନଙ୍କ ପ୍ରତି ନରମ ମନୋଭାବ ଦେଖାଇଥିବା ଆଲୋଚନା ହେଉଛି। ରାହୁଲ ନବୀନ ସରକାରରେ ହୋଇଥିବା ଭ୍ରଷ୍ଟାଚାର କଥା ଉଠାଇ ନଥିଲେ କି ଚିଟ୍‌ଫଣ୍ଡ୍ କଥା କହି ନଥିଲେ ଯଦିଓ ବାଲେଶ୍ୱର ବିଜେଡି ଲୋକସଭା ପ୍ରାର୍ଥୀ ରବୀନ୍ଦ୍ର ଜେନା ଚିଟ୍‌ଫଣ୍ଡ ଘଟଣାରେ ସିବିଆଇ ଜେରାର ସମ୍ମୁଖୀନ ହୋଇଥିଲେ। ନିର୍ବାଚନ ପରେ କାଳେ ବିଜେଡିର ସାହାଯ୍ୟ ଦରକାର ପଡ଼ିପାରେ, ସେହି କଥାକୁ ନଜରରେ ରଖି ରାହୁଲ ନବୀନଙ୍କୁ ଶାଣିତ ସମାଲୋଚନା କରି ନଥିବା ଆଲୋଚନା ହେଉଛି।



from Odisha Reporter http://bit.ly/2GAjtCT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages