
ସିଆନ୍: ଏସିଆନ୍ ଗେମ୍ସ ଗୋଲ୍ଡ ମେଡାଲିଷ୍ଟ ଭିନେଶ୍ ଫୋଗତ୍ ଶୁକ୍ରବାର ଏଠାରେ ଏସିଆନ୍ ରେସଲିଂ ଚାମ୍ପିଅନଶିପରେ ନିଜର ନୂତନ ୫୩ କେଜି ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।
ଗତବର୍ଷ ଜାକର୍ତ୍ତା ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ଭିନେଶ ୫୦ କେଜି ବଦଳରେ ଏହାଠାରୁ ଅଧିକ ବର୍ଗରେ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ, କାରଣ ବିଶ୍ୱ ପରିଚାଳନା ସଂସ୍ଥା ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଓଜନ ବର୍ଗରେ ପରିବର୍ତ୍ତନ କରିଥିଲା।
ସେ ଗତମାସରେ ବୁଲଗେରିଆରେ ଆୟୋଜିତ ୟୁଡବ୍ଲୁଡବ୍ଲୁ ଡାନ୍ କୋଲୋଭ୍-ନିକୋଲା ପେଟ୍ରୋଭ୍ ଟୁର୍ଣ୍ଣାମେଣ୍ଟର ୫୩ କେଜି ବର୍ଗରେ ରୌପ୍ୟ ପଦକ ଜିତିଥିବା ଭିନେଶ ଏଠାରେ ନୈରାଶ୍ୟଜନକ ଆରମ୍ଭ କରିଥିଲେ। ସେ ଜାପାନର ମାୟୁ ମୁକୈଦାଙ୍କଠାରୁ ହାରିଯାଇଥିଲେ, ଯିଏ କ୍ୱାଲିଫିକେସନ୍ ରାଉଣ୍ଡ ଦ୍ୱାରା ପହଞ୍ଚିଥିଲେ। ଜାପାନର ରେସଲର ଏହି ମୁକାବିଲାକୁ ଏକତରଫା ଭାବେ ୧୦-୦ରେ ଜିତି ନେଇଥିଲେ।
ମାୟୁ ନିଜର ବିଜୟଧାରା ଜାରି ରଖି ଫାଇନାଲରେ ପହଞ୍ଚିବାରୁ ଭିନେଶ ରିପିଚେଜ୍ ରାଉଣ୍ଡରେ ସ୍ଥାନ ହାସଲ କରିଥିଲେ। ଏଥିରେ ଭିନେଶ ତାଇପେଇର ଜୋ କି ଚିଉଙ୍କୁ ୬-୦ରେ ହରାଇଥିଲେ। ଏହା ପରେ ବ୍ରୋଞ୍ଜ ପଦକ ପ୍ଲେଅଫରେ ଭିନେଶ ଚୀନର କିଆନୟୁ ପାଙ୍ଗଙ୍କୁ ୮-୧ରେ ପରାସ୍ତ କରିଥିଲେ। ସେହିପରି ୭୨ କେଜି ବର୍ଗରେ ଭାରତର କିରନ୍ କ୍ୱାର୍ଟରଫାଇନାଲରେ କଜାଖସ୍ତାନର ଝାମିଲା ବାକବରଜେନୋଭାଙ୍କଠାରୁ ୪-୭ରେ ହାରି ଖାଲି ହାତରେ ଫେରିଛନ୍ତି।
from Odisha Reporter http://bit.ly/2IXU4FU
No comments:
Post a Comment