
ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜର ମହାନ୍ ବ୍ୟାଟ୍ସମ୍ୟାନ୍ ବ୍ରାଏନ୍ ଲାରା ଆଗାମୀ ବିଶ୍ୱକପକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ଲାରାଙ୍କ ମତରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଓ ଆୟୋଜକ ଇଂଲଣ୍ଡ ଟିମ୍ ନିଶ୍ଚିତ ଭାବେ ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିବେ।
ଅନ୍ୟପକ୍ଷରେ ସେ ନିଜ ଟିମ୍ ଅର୍ଥାତ୍ ୱେଷ୍ଟଇଣ୍ଡିଜକୁ ହାଲକା ଭାବେ ନନେବାକୁ କହିଛନ୍ତି। ସେ କହିଛନ୍ତି, ଗତ ଦୁଇଟି ଯାକ ବିଶ୍ୱକପ (ଟି-୨୦)ରେ ୱେଷ୍ଟଇଣ୍ଡିଜ୍ ସମସ୍ତଙ୍କୁ ଚକିତ କରିଥିଲା। ତେଣୁ ଏହି ଟିମ ବିରୋଧରେ ସତର୍କ ରହିବାକୁ ଲାରା ପରାମର୍ଶ ଦେଇଛନ୍ତି।
ଲାରା ଆହୁରି କହିଛନ୍ତି, ଇଂଲଣ୍ଡ ଓ ଭାରତ ବିଶ୍ୱକପ୍ ସେମିଫାଇନାଲରେ ନିଶ୍ଚିତ ପହଞ୍ଚିବେ। ସାଧାରଣତଃ ମୁଁ କେବେବି ଇଂଲଣ୍ଡକୁ ସମର୍ଥନ କରିନାହିଁ, କାରଣ ସେମାନେ କେବେବି ବଡ଼ ଟୁର୍ଣ୍ଣାମେଣ୍ଟର ମ୍ୟାଚ୍ ଜିତିବାରେ ସଫଳ ହୋଇନାହାନ୍ତି। କିନ୍ତୁ ବର୍ତ୍ତମାନର ଇଂଲଣ୍ଡ ଟିମ୍ ଭଲ ଲୟରେ ଅଛି। ଏହାଛଡ଼ା ଆୟୋଜକ ଟିମ ହେବାର ଫାଇଦା ମଧ୍ୟ ଇଂଲଣ୍ଡକୁ ମିଳିବ।
ଅପରପକ୍ଷରେ ଦିନିକିଆରେ ଭାରତର ପ୍ରଦର୍ଶନ ଏପର୍ଯ୍ୟନ୍ତ ଭଲ ରହିଆସିଛି। ଭାରତ ମଧ୍ୟ ଗତ ବିଶ୍ୱକପର ସେମିଫାଇନାଲରେ ପହଞ୍ଚିଥିଲା। ୨୦୧୫ ବିଶ୍ୱକପରେ ଭାରତ ଯେଉଁଭଳି ଆରମ୍ଭ କରିଥିଲା, ଲାଗୁଥିଲା ଯେପରି ସେମାନେ ଟାଇଟଲ୍ ଜିତିବେ। କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁ ଭାରତ ଆଗକୁ ବଢ଼ିପାରି ନଥିଲା।
କିନ୍ତୁ ଏଥର ବିରାଟଙ୍କ ଏହି ଟିମ୍ ମଜଭୁତ୍ ଲାଗୁଛି। ବିଶେଷକରି ଟିମର ଶୀର୍ଷ ତିନିଜଣ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଯଦି ଜଣେ କ୍ଲିକ୍ କରନ୍ତି, ତାହା ଭାରତ ପାଇଁ ଫଳପ୍ରଦ ହୋଇପାରେ। ଏହାଛଡ଼ା ଟିମର ବୋଲିଂ ଲାଇନଅପ୍ ମଧ୍ୟ ବେଶ୍ ଦୃଢ଼। ତେଣୁ ମୋ ମତରେ ଭାରତ ଅତିକମରେ ସେମିଫାଇନାଲ ଖେଳିବା ଥୟ ବୋଲି ଲାରା କହିଛନ୍ତି।
ଲାରା ମଧ୍ୟ ଭାରତର ଯୁବ ୱିକେଟକିପର ଋଷଭ ପନ୍ତଙ୍କୁ ପ୍ରଶଂସା କରିବା ସହ ତାଙ୍କୁ କିଛି ପରାମର୍ଶ ମଧ୍ୟ ଦେଇଛନ୍ତି। ଲାରା କହିଛନ୍ତି, ‘ପନ୍ତ କଠିନ୍ ସମୟରେ ବଡ଼ ଶଟ୍ ମାରିବାର ଦକ୍ଷତା ରଖିଛନ୍ତି, କିନ୍ତୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ସେ ଯେଉଁଭଳି ଆଉଟ୍ ହେଲେ, ତାହା ମୋତେ ନିରାଶ କରିଛି। ଆଶା କରୁଛି, ସେ ନିଜର ଏହି ଭୁଲରୁ କିଛି ଶିଖିବେ ଏବଂ ନିଜ ଦାୟିତ୍ୱକୁ ଭଲ ଭାବେ ସମ୍ପାଦନ କରିବେ।’ ଲାରା ମଧ୍ୟ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ପେସ୍ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ପ୍ରଶଂସା କରିଛନ୍ତି।
from Odisha Reporter http://bit.ly/2IuQmUJ
No comments:
Post a Comment