
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ ବିଜେଡି ନେତ୍ରୀ ସିପ୍ରା ମଲ୍ଲିକ। ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା ପରେ ସେ ଏହି ସୂଚନା ଦେଇଛନ୍ତି।
ଦଳୀୟ ଟିକେଟ୍ ନ ମିଳିବାରୁ ଗତକାଲି ସିପ୍ରା ମଲ୍ଲିକ କେନ୍ଦ୍ରାପଡ଼ା ବିଧାନସଭା ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ।
ପ୍ରାର୍ଥିପତ୍ର ପ୍ରତ୍ୟାହାର ନିଷ୍ପତ୍ତି ପରେ ସିପ୍ରା କହିଛନ୍ତି,“ଏଥର ନିର୍ବାଚନ ଲଢ଼ିବାକୁ ଇଚ୍ଛାଥିଲା। ଜନସମର୍ଥନ ବି ମୋ ସହ ଥିଲା। ତେବେ ଦଳର ସୁପ୍ରିମୋଙ୍କ ନିର୍ଦ୍ଦେଶ ମାନି ନିଃସର୍ତ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। ଆଗକୁ ଶଶିଭାଇ (ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା) ବିଧାୟକ ରହିଲେ ବି ମୁଁ ଲୋକଙ୍କ ସହ ରହିବି। ବିଧାୟକ ନ ରହିଲେ ବି ବିଧାୟକ ଭଳି ଦାୟିତ୍ୱ ତୁଲାଇବି।”
ଆଜି ସେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ନେଇ ଘୋଷଣା କଲା ବେଳେ ତାଙ୍କ ସହିତ ଅର୍ଥମନ୍ତ୍ରୀ ତଥା କେନ୍ଦ୍ରାପଡ଼ାର ବିଜେଡି ପ୍ରାର୍ଥୀ ଶଶିଭୂଷଣ ବେହେରା, କେନ୍ଦ୍ରାପଡ଼ା ବିଧାୟକ କିଶୋର ଚନ୍ଦ୍ର ତରାଇ ଓ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଉପସ୍ଥିତ ଥିଲେ।
ଅନ୍ୟପକ୍ଷରେ ଗତକାଲି ସେ ବିଜେଡି ଉପରେ ଖୁବ୍ ବର୍ଷିଥିଲେ। ତାଙ୍କ ପ୍ରତି ଅନ୍ୟାୟ କରାଯାଇଥିବା ସେ କହିଥିଲେ।
ସିପ୍ରା ୨୦୦୯ରେ ବିଜେଡି ଟିକେଟ୍ରେ କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ବିଜୟୀ ହୋଇଥିଲେ। ୨୦୧୪ରେ ତାଙ୍କୁ ଟିକେଟ୍ ଦିଆଯାଇ ନଥିଲା। ଗତ ଥର ଦଳ ତାଙ୍କ ବଦଳରେ କିଶୋର ଚନ୍ଦ୍ର ତରାଇଙ୍କୁ ଏଠାରୁ ଟିକେଟ୍ ଦେଇଥିଲା। ତେବେ ଏଥର ଏଠାରୁ ଉଭୟଙ୍କୁ ଟିକେଟ୍ ଦିଆଯାଇ ନାହିଁ। ଏଠାରୁ ଦଳ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ପ୍ରାର୍ଥୀ କରିଛି।
from Odisha Reporter http://bit.ly/2IjVnPc
No comments:
Post a Comment