
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ ଜାଣନ୍ତି, ସନ୍ଧ୍ୟା ହେଲେ ଆକାଶରେ ତାରା ଫୁଟେ। ହେଲେ ଆମ ଜୟପୁର ଆକାଶର ତାରା ଟିକେ ଅଲଗା। ସିଏ ରାତିରେ ଦିଶନ୍ତି, ଦିନରେ ବି ଦିଶନ୍ତି। ଆଉ ବଡ଼ ପାଟି କରନ୍ତି…. ନିଶ ମୋଡ଼ନ୍ତି…. ସବୁବେଳେ କଳା ଚଷମା ପିନ୍ଧନ୍ତି।
ହଁ, ଇଏ ହେଉଛନ୍ତି କଂଗ୍ରେସର ସେଇ ଭେଟେରାନ ନେତା ତାରା ବାହିନୀପତି। ଜୟପୁରର ‘ହାତ’ କହିଲେ ଲୋକେ ଯାହାକୁ ବୁଝନ୍ତି ଇଏ ସେଇ ତାରା।
ଆଜି କିନ୍ତୁ ତାରାଙ୍କୁ ଗୋଟେ ଭିନ୍ନ ଆକାଶରେ ଉଇଁଥିବା ବେଳେ କଏଦ କରିଥିଲା ଆମ କ୍ୟାମେରା। କଥାଟା ଶୁଣି ଆଚମ୍ବିତ ହେଲେ କି ?
ଆମେ ବି ହୋଇଥିଲୁ।
ପଦ୍ମ କ୍ୟାମ୍ପରୁ ବାହାରି ଯେତେବେଳେ ସେ ଶଙ୍ଖ ଶିବିରରେ ପ୍ରବେଶ କଲେ, ଦେଖି ଦେଲାପରେ ଆମ ମୁଣ୍ଡ ଟିଣ।
କିଛି ଗଡବଡ଼ ହୋଇଗଲା କି ? ଜୟପୁର ରାଜନୀତିରେ କିଛି ଓଲଟପାଲଟ ହୋଇଗଲା କି ?
ଏମିତି ଅନେକ ପ୍ରଶ୍ନ ଆସିଲା ମନକୁ।
ନାଇଁ ଆଜ୍ଞା, କିଛି ବି ହୋଇନି । ଇଏ ଫୁଲ୍ ପଲିଟିକ୍ସ। ରାଜୀନତିରେ ଏମିତି ହୁଏ। ଖାଲି ହୁଏନି…ଏମିତି ହେବା ବି ଦରକାର।
ନିର୍ବାଚନ ଆଉ ରହିଲା ୩ ଦିନ। ଏଇଟା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ। ଏଇ ସମୟରେ ହିଁ ଭୋଟରଙ୍କ ମନକୁ କିଣିବାକୁ ପଡ଼ିବ । ଆଉ ଏଥିପାଇଁ ଯାହା ବି ପାଉଣା ଦେବାକୁ ପଡ଼ୁ ନା କାହିଁକି, କରିବାକୁ ପଡ଼ିବ।
‘ଆମେ ଜୟପୁରର ନେତା…ଜନତାଙ୍କ ନେତା…ସିଏ ଯେଉଁ ଦଳର ବି ହେଉ ନା କାହିଁକି…ସେ ଆମର…’ ଏମିତି ବାର୍ତ୍ତାଟିଏ ନ ଦେଲେ ଲୋକଙ୍କ ସହାନଭୂତି ରହିବ ତ ? ତେଣୁ ତାରା ବାହିନୀପତି ଓରଫ ଭାଲୁ ଭାଇନା ଆଜି ପ୍ରଚାରରେ ଯିବା ବେଳେ କେତେବେଳେ ପଦ୍ମ କ୍ୟାମ୍ପରୁ ବାହାରୁଥିଲେ ତ କେତେବେଳେ ଶଙ୍ଖ ଶିବିରରେ ପଶୁଥିଲେ। ସମସ୍ତଙ୍କ ସହ ହାତ ମିଳାଇ ଅତି ଆପଣାର ହସଟିଏ ହସି ଚାଲି ଯାଉଥିଲେ ।
କେଉଁଠି ଛୋଟ ପିଲାଟିଏ ଦେଖିଲେ କୋଳେଇ ନେଉଥିଲେ ତ କେଉଁଠି ମହିଳାଙ୍କୁ ଦେଖିଲେ ଭଲମନ୍ଦ ପଚାରୁଥିଲେ। ଆଉ ବୟସ୍କଙ୍କୁ ଦେଖିଲେ ପାଦଛୁଇଁ ମୁଣ୍ଡିଆ ମାରିବାକୁ ବି ଭୁଲି ନ ଥିଲେ ସେ।
ବୁଝିଲେ ତ ! ଇଏ ହେଉଛି ପଲିଟିକ୍ସ।
from Odisha Reporter http://bit.ly/2uRJJDd
No comments:
Post a Comment