
କଟକ (ଓଡ଼ିଶା ରିପୋର୍ଟର): କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଟିମ୍ ଆଜି ଲିଙ୍କ୍ ରୋଡ୍ରେ ଏକ କାରରୁ ୩୨ କେଜି ଗଞ୍ଜେଇ ଜବତ କରିଛି। ଏହା ସହିତ ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଜଣ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗିରଫ କରିଛି।
ଗିରଫ ଅଭିଯୁକ୍ତମାନେ ହେଲେ କନ୍ଧମାଳ ଜିଲ୍ଲାର ଆଶିଷ କୁମାର ଦିଗାଲ, ମନୋମାଲିଆ ଦିଗାଲ ଓ ରଞ୍ଜନ କୁମାର ଦିଗାଲ। ସେମାନେ ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ବୋଲି ଜଣାପଡ଼ିଛି।
କନ୍ଧମାଳରୁ ବାଲେଶ୍ୱରକୁ ଏକ କାର୍ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ କୌଣସି ସୂତ୍ରରୁ ସୂଚନା ପାଇବା ପରେ ଲିଙ୍କ୍ ରୋଡ୍ରେ ଆସି ଯାଞ୍ଚ କରିଥିଲା। ଯାଞ୍ଚ ବେଳେ OD-02-AY-6830 ନମ୍ବର ବିଶିଷ୍ଟ ଏହି କାରରୁ ଗଞ୍ଜେଇ ଜବତ କରାଯାଇଥିଲା। ଦୁଇଟି ବସ୍ତାରେ ସେମାନେ ଗଞ୍ଜେଇ ଭର୍ତ୍ତି କରି ନେଇ ଯାଉଥିଲେ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ।
ଗିରଫ ଅଭିଯୁକ୍ତମାନେ ନିୟମିତ ଭାବେ ଗଞ୍ଜେଇ ଚାଲାଣ କରୁଥିଲେ ବୋଲି ଅବକାରୀ ବିଭାଗ ଜାଣିବାକୁ ପାଇଛି। ତେବେ ସେମାନେ କାହାଠୁ ଗଞ୍ଜେଇ ଆଣୁଥିଲେ, କାହାକୁ ବିକ୍ରି କରୁଥିଲେ ଓ ସେମାନଙ୍କ ସହ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି, ସେ ବିଷୟରେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଅଧିକାରୀମାନେ ଖୋଳତାଡ଼ କରୁଛନ୍ତି।
କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ଇନ୍ସପେକ୍ଟର ଜଗଦୀଶ ଚନ୍ଦ୍ର ସାମଲ କହିଛନ୍ତି,“ଅବକାରୀ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଡେପୁଟି କମିଶନଙ୍କ ଗୁଇନ୍ଦା ତଥ୍ୟକୁ ଭିତ୍ତି କରି ଆଜି ଆମେ କଟକର ଲିଙ୍କ୍ ରୋଡ୍ରେ ପାଟ୍ରୋଲିଂ କରିଥିଲୁ। ଏହି ସମୟରେ ଏକ କାର୍କୁ ଯାଞ୍ଚ କରାଯାଇଥିଲା। ସେହି କାର୍ରୁ ୩୨ କିଲୋ ଗଞ୍ଜେଇ ଜବତ କରାଯାଇଛି। ତା’ସହିତ ୩ ଜଣଙ୍କୁ ଗିରଫ କରାଯାଇଛି। ଏହି ୩ ଜଣ ଇଞ୍ଜିନିୟରିଂ ଛାତ୍ର ବୋଲି ପରିଚୟ ଦେଇଛନ୍ତି। ତେବେ ସେମାନେ କେଉଁ କଲେଜର ଛାତ୍ର, ତାହା କହି ନାହାନ୍ତି। ସେମାନେ ବାଲେଶ୍ୱରକୁ ଗଞ୍ଜେଇ ଚାଲାଣ କରୁଥିବା କହିଛନ୍ତି।”
from Odisha Reporter http://bit.ly/2UK06w5
No comments:
Post a Comment