
ନୂଆଦିଲ୍ଲୀ: ସର୍ଜିକାଲ୍ ଷ୍ଟ୍ରାଇକ୍ ପରି ସ୍ୱତନ୍ତ୍ର ଅପରେସନ୍ ଏବଂ ଗୁପ୍ତ ମିଶନ୍ ପାଇଁ ଭାରତ ଗଠନ କରିଛି ସର୍ଜିକାଲ୍ ଷ୍ଟ୍ରାଇକ୍ ସ୍ପେଶାଲ ଫୋର୍ସ। ପ୍ରଥମ ଥର ପାଇଁ ଏଭଳି ଡିଭିଜନ୍ ଗଠନ କରାଯାଇଥିବାବେଳେ ଏଥିରେ ସ୍ଥଳସେନା, ନୌବାହିନୀ ଏବଂ ବାୟୁସେନାର ପ୍ରମୁଖ କମାଣ୍ଡୋ ରହିବେ। ଏହି ଟିମ୍ ସୀମାପାର କରି ଲଗାତାର ସର୍ଜିକାଲ୍ ଷ୍ଟ୍ରାଇକ୍ ପରି ମିଶନ୍ ଜାରି ରଖିବାକୁ ଥିବାରୁ ଶତ୍ରୁପକ୍ଷ ଏବେଠାରୁ ଚିନ୍ତାରେ ପଡ଼ିଥିବା ଚର୍ଚ୍ଚା ହେଉଛି।
ମିଳିଥିବା ସୂଚନା ଅନୁଯାୟୀ, ସେନାର ସ୍ୱତନ୍ତ୍ର ଫୋର୍ସ ଏବଂ ପାରା କମାଣ୍ଡୋର ମେଜର ଜେନେରାଲ ପାହ୍ୟାର ଅଧିକାରୀଙ୍କୁ ଏହାର ମୁଖ୍ୟ ଦାୟିତ୍ୱ ଦିଆଯାଇଛି। ଖୁବ୍ଶୀଘ୍ର ଏହା କାମ ଆରମ୍ଭ କରିବ। ଏଥିପାଇଁ ୩ ବାହିନୀରୁ ଦକ୍ଷ ଯବାନଙ୍କୁ ବଛାଯାଉଛି ଏବଂ ଆଖିଦୃଶିଆ ସଂଖ୍ୟାରେ ଏକ ଟିମ୍ ଗଠନ କରାଯାଉଛି ବୋଲି ସୂଚନା ମିଳିଛି।
୩ ବାହିନୀ ଅଲଗା ଅଲଗା କାମ କରିବେ କିନ୍ତୁ ସେମାନଙ୍କ ତାଲିମ ଏବଂ ଅପରେସନ୍ ଏକାଠି ହେବ। ସେମାନଙ୍କୁ ଦେଶ ଭିତରେ ଏବଂ ବାହାରେ ଏପରି ସମ୍ବେଦନଶୀଳ ମିଶନ୍ ବାବଦରେ ତଥ୍ୟ ଗୁପ୍ତ ରଖିବାକୁ ହେବ। ଏହି ସୂତ୍ରରୁ ଜଣାଯାଇଛି, ଏସବୁ ବିଶେଷ ମିଶନ୍ରେ ସମସ୍ତ ଫୋର୍ସଙ୍କ ପାଖରେ ରହିଥିବା କୌଶଳ ଗୋଟିଏ ପ୍ଲାଟଫର୍ମରେ ରହିଲେ ଏଭଳି ଅପରେସନ୍ରେ ସୁବିଧା ହେବ।
ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗୁରୁତ୍ୱପୂର୍ଣ୍ଣ ଅପରେସନ୍ ପାଇଁ ସ୍ୱତନ୍ତ୍ର ଡିଭିଜନ୍ ରହିଲେ ଏଭଳି ଅପରେସନ୍ ପାଇଁ ସେମାନେ ସବୁ ସମୟରେ ପ୍ରସ୍ତୁତ ରହିବେ ଏବଂ ଫଳାଫଳ ମଧ୍ୟ ଭଲ ହେବ। ଏହି ଡିଭିଜନ୍ ଇଣ୍ଟିଗ୍ରେଟେଡ୍ ଡିଫେନ୍ସ ଷ୍ଟାଫ୍ ଅଧୀନରେ କାମ କରିବ। ଏଭଳି କନ୍ସେପ୍ଟର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଯେତେବେଳେ ମଧ୍ୟ ଆବଶ୍ୟକ ହେବ ୩ ବାହିନୀ ଏକାଠି ବାହାରିବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେମାନେ ଏକାଠି ତାଲିମ ନେବା ସହ ଏକାଠି ରହିବେ। ଏହା ଫଳରେ ପରସ୍ପର ସହ ବୁଝାମଣା ମଧ୍ୟ ବୃଦ୍ଧି ପାଇବ। ଏହାପରେ ୩ ବାହିନୀଙ୍କ ପାଇଁ ମୁଖ୍ୟାଳୟର ବ୍ୟବସ୍ଥା କରାଯିବ।
୩ ସେବାକୁ ଏକାଠି ଗୋଟିଏ ଡିଭିଜନ୍ ଗଠନର ଆରମ୍ଭରୁ ୧୫୦ରୁ ୨୦୦ ଯବାନ ରହିବେ। ପରେ ଧୀରେ ଧୀରେ ଏହି ସଂଖ୍ୟା ୨ ହଜାର ଛୁଇଁବ। ଏଥିରେ ଅନ୍ୟ ଦୁଇ ବାହିନୀ ତୁଳନାରେ ସ୍ଥଳସେନାଙ୍କ ସଂଖ୍ୟା ଅଧିକ ରହିବ।
from Odisha Reporter http://bit.ly/2W2Vy8B
No comments:
Post a Comment