
ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟ ପ୍ରଧାନବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଆସିଥିବା ଯନ ନିର୍ଯାତନା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମ୍କୋର୍ଟର ଆଭ୍ୟନ୍ତରୀଣ ତଦନ୍ତ ପ୍ୟାନେଲ। ଏକ ବିବୃତି ଜାରି କରି ସୁପ୍ରିମ୍କୋର୍ଟ କହିଛନ୍ତି, “ଗତ ଏପ୍ରିଲ ୧୯ ତାରିଖରେ ସୁପ୍ରିମ୍କୋର୍ଟର ଜଣେ ପୂର୍ବତନ କର୍ମଚାରୀ ଆଣିଥିବା ଅଭିଯୋଗରେ କୌଣସି ଆଧାର ନଥିବା ଆଭ୍ୟନ୍ତରୀଣ ତଦନ୍ତ କମିଟି ସ୍ପଷ୍ଟ ହୋଇସାରିଛନ୍ତି।” ସୁପ୍ରିମ୍କୋର୍ଟର ବିଚାରପତି ଜଷ୍ଟିସ୍ ଏସ୍ଏ ବୋବ୍ଡେ ସାମିଲ ଥିବା ଏହି ପ୍ୟାନେଲରେ ଜଷ୍ଟିସ୍ ଇନ୍ଦିରା ବାନାର୍ଜୀ ଏବଂ ଜଷ୍ଟିସ୍ ଇନ୍ଦୁ ମାଲହୋତ୍ରା ମଧ୍ୟ ସଦସ୍ୟ ଅଛନ୍ତି। ପ୍ୟାନେଲ କହିଛନ୍ତି ଏହି ରିପୋର୍ଟ ସାର୍ବଜନୀନ କରାଯାଇପାରିବ ନାହିଁ।
ସୁପ୍ରିମ୍କୋର୍ଟ ଗଠନ କରିଥିବା ଏହି ପ୍ୟାନେଲରୁ ଅଭିଯୋଗକାରୀ ଓହରିଯିବା ପରେ ମଧ୍ୟ ତଦନ୍ତ ଚାଲୁ ରହିଥିଲା। ଏପରିକି ବୁଧବାର ନିଜେ ସିଜେଆଇ ଜଷ୍ଟିସ୍ ରଞ୍ଜନ ଗୋଗୋଇ ପ୍ୟାନେଲ ନିକଟରେ ହାଜର ହୋଇଥିଲେ। ମହିଳା ଜଣଙ୍କ ଏହି ପ୍ୟାନେଲରୁ ଓହରିଯାଇ କହିଥିଲେ, ସେ ଏହି କମିଟିରୁ ନ୍ୟାୟ ଆଶାରେ ନାହାନ୍ତି।
ଏକ ଚିଠି ଜରିଆରେ ସେ କହିଥିଲେ, କମିଟିର ପରିବେଶ ତାଙ୍କୁ ଭୟଭୀତ କରୁଥିଲା। ତାଙ୍କୁ କୌଣସି ଆଇନଗତ ସହାୟତା ଦେବାପାଇଁ ତାଙ୍କ ସହିତ ଆଇନଜୀବୀ ବା ଅନ୍ୟ କାହାର ଉପସ୍ଥିତିକୁ ମନା କରାଯିବାରୁ ସେ ଭାଙ୍ଗିପଡ଼ିଥିବା ଜଣାଇଥିଲେ।
ଏପରିକି ସେ ଅଭିଯୋଗ ଆଣିଥିଲେ ପ୍ୟାନେଲରେ ଥିବା ବିଚାରପତିଙ୍କ ମଧ୍ୟରୁ ଜଣଙ୍କର ସିଜେଆଇଙ୍କ ସହ ପାରିବାରିକ ସମ୍ପର୍କ ରହିଛି। ଏହାପରେ ତଦନ୍ତ ପ୍ୟାନେଲର ଗଠନରେ ପରିବର୍ତ୍ତନ ମଧ୍ୟ କରାଯାଇଥିଲା। ଜଷ୍ଟିସ୍ ଏନ୍ଭି ରମଣ ତୁରନ୍ତ ପ୍ୟାନେଲରୁ ଓହରିଥିଲେ ଏବଂ କହିଥିଲେ ଶୁଣାଣି ନିରପେକ୍ଷ ହେଉ।
ଏହି ମାମଲା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ମହିଳା ଜଣକ କିଛି ସୁପ୍ରିମ୍କୋର୍ଟ ବିଚାରପତିଙ୍କ ନିକଟରେ ଚିଠି ଜରିଆରେ ଏହି ଅଭିଯୋଗ ଆଣିଥିବା କଥା କିଛି ୱେବସାଇଟ୍ରେ ପ୍ରକାଶିତ ହୋଇଥିଲା। ଏହାପରେ ସିଜେଆଇ ଜଷ୍ଟିସ୍ ଗୋଗୋଇ ମଧ୍ୟ ପକ୍ଷ ରଖି ଏହି ଅଭିଯୋଗକୁ ଖଣ୍ଡନ କରିବା ସହ କହିଥିଲେ, ସେ କିଛି ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରୁଥିବାରୁ ତାଙ୍କୁ ଟାର୍ଗେଟ୍ କରାଯାଉଛି। ସେ ଆହୁରି ମଧ୍ୟ କହିଥିଲେ, ଏହା ପଛରେ ବଡ଼ ଗୋଟିଏ ଷଡ଼ଯନ୍ତ୍ର ଚାଲିଛି। ନ୍ୟାୟପାଳିକାର ସ୍ୱାଧୀନତା ବର୍ତ୍ତମାନ ବିପଦରେ ଅଛି ଏବଂ ଏହାକୁ ବଳିର ବୋଦା ବନାଯାଉଛି ବୋଲି ସେ କହିଥିଲେ।
from Odisha Reporter http://bit.ly/2VHoAe5
No comments:
Post a Comment