ଗୌତମ ଗମ୍ଭୀର: ମହାମୁକାବିଲାର ମହାନାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 24, 2019

ଗୌତମ ଗମ୍ଭୀର: ମହାମୁକାବିଲାର ମହାନାୟକ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟର ଡେବ୍ୟୁ ମ୍ୟାଚରେ ହୁଏତ ଗୌତମ ଗମ୍ଭୀର ମାତ୍ର ୧୧ ରନ୍ କରିବାକୁ ସକ୍ଷମ ହୋଇଥିଲେ, କିନ୍ତୁ ଭାରତର ଏହି ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ପ୍ରତ୍ୟକ୍ଷ ରାଜନୀତିରେ ପଦାର୍ପଣରେ ଧମାଲ୍ କରିଛନ୍ତି। ଟିମ୍ ଇଣ୍ଡିଆକୁ ଦୁଇଥର ବିଶ୍ୱକପ୍ ଜିତାଇବାରେ ପ୍ରମୁଖ ଭୂମିକା ତୁଲାଇଥିବା ୩୭ ବର୍ଷୀୟ ଗମ୍ଭୀର କ୍ରିକେଟ୍ ମଇଦାନରେ ଯେପରି ନିଜକୁ ବିଜୟୀ ସାବ୍ୟସ୍ତ କରିଥିଲେ, ଏବେ ରାଜନୀତି ମଇଦାନରେ ମଧ୍ୟ ସେମିତି ନିଜର ଯାଦୁ ଦେଖାଇଛନ୍ତି।

ଗମ୍ଭୀର ପୂର୍ବ ଦିଲ୍ଲୀ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲେ। ଖେଳ ମଇଦାନରେ ଯେପରି ସମଗ୍ର ଭାରତୀୟ କ୍ରିକେଟ୍ ପ୍ରେମୀ ତାଙ୍କ ଉପରେ ଭରସା ଦେଖାଇ ଆସିଛନ୍ତି, ଠିକ୍ ସେହିପରି ତାଙ୍କ ଅଞ୍ଚଳରେ ମଧ୍ୟ ଲୋକେ ତାଙ୍କ ଉପରେ ସେହିଭଳି ଆସ୍ଥା ସ୍ଥାପନ କରିଛନ୍ତି। ପୂର୍ବ ଦିଲ୍ଲୀ ଲୋକସଭା ଆସନରେ ଗମ୍ଭୀର କଂଗ୍ରେସ ପ୍ରାର୍ଥୀ ଅରବିନ୍ଦର ସିଂହ ଲଭଲୀ ଓ ଆପ୍ ପ୍ରାର୍ଥୀ ଅତିଶିଙ୍କୁ ହରାଇ ବିଜୟୀ ହୋଇଛନ୍ତି। ଏହି ଆସନରେ ଗମ୍ଭୀରଙ୍କୁ ୬,୯୫,୧୦୯ ଭୋଟ୍ ମିଳିଛି। ଦ୍ୱିତୀୟ ସ୍ଥାନରେ ଥିବା ଅରବିନ୍ଦର ସିଂହ ଲଭଲୀଙ୍କୁ ୩,୦୪,୯୩୪ ଏବଂ ତୃତୀୟ ସ୍ଥାନରେ ଥିବା ଆତିଶିଙ୍କୁ ୨,୧୯,୩୨୮ ଭୋଟ୍ ମିଳିଛି।

ଗମ୍ଭୀର ଏଭଳି ବ୍ୟକ୍ତିତ୍ୱ, ଯିଏ କେବଳ କ୍ରିକେଟ୍ ମଇଦାନ ନୁହେଁ, ବରଂ ରାଜନୀତିରେ ମଧ୍ୟ ପାଦ ଦେଉ ଦେଉ ସଫଳତାର ଶିଖର ଛୁଇଁଛନ୍ତି। ବଡ଼ ମୁକାବିଲାକୁ କିପରି ଜିତିବାକୁ ହୁଏ, ତାହା ଗମ୍ଭୀରଙ୍କୁ ଭଲ ଭାବେ ଜଣା। ଭାରତକୁ ଦୁଇଟି ବିଶ୍ୱକପ୍ ଜିତାଇବାରେ ଗମ୍ଭୀର ପ୍ରମୁଖ ଭୂମିକା ବହନ କରିଥିଲେ। ୨୦୦୭ରେ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ଟି-୨୦ ବିଶ୍ୱକପର ଫାଇନାଲ୍ ହେଉ କି ୨୦୧୧ ଦିନିକିଆ ବିଶ୍ୱକପ୍ ଟାଇଟଲ୍ ଲଢ଼େଇ ହେଉ, ଉଭୟ ବଡ଼ ମୁକାବିଲାରେ ଗମ୍ଭୀର ପ୍ରମୁଖ ଯୋଗଦାନ କରିଥିଲେ। ଏହାଛଡ଼ା ଗମ୍ଭୀର ବିଶ୍ୱର ବ୍ୟୟବହୁଳ କ୍ରିକେଟ୍ ଲିଗ୍ ଆଇପିଏଲରେ ମଧ୍ୟ ନିଜ ଟିମ୍ କୋଲକାତା ନାଇଟ୍ ରାଇଡର୍ସକୁ ଦୁଇଥର ଚାମ୍ପିଅନ୍ କରାଇଛନ୍ତ । ତେଣୁ ଗମ୍ଭୀର ହେଉଛନ୍ତି ମହା ମୁକାବିଲାର ମହାନାୟକ, ଯିଏ ସର୍ବଦା ବଡ଼ ମୁକାବିଲା ଜିତିବାରେ ମାହିର୍।

ସୋଶାଲ୍ ମିଡିଆରେ ସକ୍ରିୟ

ମାର୍ଚ୍ଚରେ ବିଜେପିରେ ଯୋଗଦେବା ପୂର୍ବରୁ ଗମ୍ଭୀର ଜାତୀୟ ସ୍ୱାର୍ଥ ପାଇଁ ଅନେକ ସମୟରେ ସୋଶାଲ ମିଡିଆରେ ବେଶ୍ ସକ୍ରିୟ ରହୁଥିଲେ। ପୁଲୱାମା ଆକ୍ରମଣରେ ୪୦ରୁ ଅଧିକ ସିଆରପିଏଫ୍ ଯବାନ ସହିଦ୍ ହେବା ପରେ ଗମ୍ଭୀର ସର୍ବଦା ଦେଶ ସପକ୍ଷରେ କଥା ରଖୁଥିଲେ। ସେ ସର୍ବଦା ପାକିସ୍ତାନ ପ୍ରତି ନିଜର ନୀତି ସ୍ପଷ୍ଟ କରୁଥିଲେ। ପାକିସ୍ତାନ ସହ ସବୁ ସମ୍ପର୍କ ଛିନ୍ନ କରିବା ପାଇଁ ଦାବି ମଧ୍ୟ କରୁଥିଲେ। ଏପରିକି ୨୦୧୯ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଭାରତକୁ ନ ଖେଳିବା ଉଚିତ ବୋଲି ମଧ୍ୟ କହିଥିଲେ। ଏହି ଜାତୀୟତାବାଦ ଯୋଗୁ ତାଙ୍କୁ ସୋଶାଲ ମିଡିଆରେ ବେଶ୍ ସମର୍ଥନ ମଧ୍ୟ ମିଳୁଥିଲା।

ରାଜନୀତିକ ଅଭିଯାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଚାରଧାରାକୁ ସର୍ବଦା ସମର୍ଥନ କରିଆସୁଥିବା ଗମ୍ଭୀର ମାର୍ଚ୍ଚ ୨୨ ତାରିଖରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ୍ ହୋଇଥିଲେ। କିନ୍ତୁ ରାଜନୀତିରେ ପାଦ ଦେବା ପରେ ତାଙ୍କ ଉପରେ ଅଭିଯୋଗ ଲାଗିବା ଆରମ୍ଭ ହୋଇଯାଇଥିଲା। ଗମ୍ଭୀରଙ୍କ ଉପରେ ଦୁଇଟି ଭୋଟର ଆଇଡି ରଖିବା ନେଇ ଅଭିଯୋଗ ହୋଇଥିଲା। କିନ୍ତୁ ଏହି ମାମଲା ଖାରଜ ହୋଇଯାଇଥିଲା। ଏହା ପରେ ପୂର୍ବ ଦିଲ୍ଲୀ ଲୋକସଭା ଆସନରୁ ବିଜେପି ତାଙ୍କୁ ପ୍ରାର୍ଥୀ କରିଥିଲା।

‘ଆପ୍’ ପ୍ରାର୍ଥୀ ଅତିଶିଙ୍କୁ ଦୃଢ଼ ଜବାବ

ଆମ୍ ଆଦମୀ ପାର୍ଟି (ଆପ୍)ର ଲୋକସଭା ପ୍ରାର୍ଥୀ ଅତିଶି ଗମ୍ଭୀରଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଥିଲେ। ଅତିଶିଙ୍କ ଅଭିଯୋଗ ଅନୁୟାୟୀ, ଗମ୍ଭୀର ତାଙ୍କ ବିରୋଧରେ ଆପତ୍ତିଜନକ ପାମ୍ଫଲେଟ୍ ବାଣ୍ଟୁଛନ୍ତି। ତେବେ ଗମ୍ଭୀର ଏହାର ଦୃଢ଼ ଜବାବ ରଖିଥିଲେ। ନିଜ ପକ୍ଷକୁ ସୃଦୃଢ଼ କରିବା ପାଇଁ ଏସବୁ ଅଭିଯୋଗକୁ ଭିତ୍ତିହୀନ କହିବା ସହ ତାଙ୍କ ବିରୋଧରେ ଲାଗିଥିବା ଅଭିଯୋଗ ଯଦି ସତ ପ୍ରମାଣିତ ହୁଏ, ତାହେଲେ ସେ ରାଜନୀତି ଛାଡ଼ିବେ ବୋଲି ଦୃଢ଼ତାର ସହ କହିଥିଲେ। ଏହି ମାମଲାରେ ମଧ୍ୟ ଗମ୍ଭୀରଙ୍କୁ କ୍ରିକେଟ୍ ଜଗତରୁ ମଧ୍ୟ ସମର୍ଥନ ମିଳିଥିଲା। ପୂର୍ବ ସାଥୀ ଖେଳାଳି ହରଭଜନ ସିଂହ ଓ ଭିଭିଏସ୍ ଲକ୍ଷ୍ମଣ ଗମ୍ଭୀରଙ୍କ ଉପରେ ଲାଗିଥିବା ଅଭିଯୋଗକୁ ଖାରଜ କରିଥିଲେ।

ସଫଳ କ୍ରିକେଟର୍

କ୍ରିକେଟ୍ ମଇଦାନରେ ଗମ୍ଭୀର ନିଜର ଆକ୍ରମଣାତ୍ମକ ଆଭିମୁଖ୍ୟ ପାଇଁ ବେଶ୍ ପରିଚିତ। ୨୦୦୭ରେ ପାକିସ୍ତାନ ବିପକ୍ଷ ଟି-୨୦ ବିଶ୍ୱକପ୍ ଫାଇନାଲରେ ଗମ୍ଭୀର ୭୫ ରନର ମ୍ୟାଚ୍ ବିଜୟୀ ଇନିଂସ୍ ଖେଳିଥିଲେ। ଏହାଛଡ଼ା ୨୦୧୧ ଦିନିକିଆ ବିଶ୍ୱକପ୍ ଫାଇନାଲରେ ମଧ୍ୟ ସେ ୯୭ ରନର ଜବରଦସ୍ତ ଇନିଂସ୍ ଖେଳି ଭାରତକୁ ଚାମ୍ପିଅନ୍ କରାଇଥିଲେ। ଏହି ଦୁଇ ସଫଳତା କାରଣରୁ ତାଙ୍କୁ “ଅନସଙ୍ଗ ହିରୋ’ କୁହାଯାଏ। ଦିଲ୍ଲୀ କ୍ରିକେଟର୍ ଭାବେ ଗମ୍ଭୀର ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର)ର ମଧ୍ୟ ଭାଗ୍ୟ ବଦଳାଇଥିଲେ। ଅଧିନାୟକ ଭାବେ ସେ କେକେଆରକୁ ଦୁଇଥର (୨୦୧୨ ଓ ୨୦୧୪) ଚାମ୍ପିଅନ୍ କରାଇଛନ୍ତି। ଜଣେ କ୍ରିକେଟର ଏବଂ କ୍ୟାପଟେନ୍ ଭାବେ ଖେଳ ମଇଦାନରେ ସଫଳ ହୋଇସାରିଥିବା ଗୌତମ ଗମ୍ଭୀର ରାଜନୀତିରେ କଣ କରୁଛନ୍ତି, ତା ଉପରେ ସମସ୍ତଙ୍କ ନଜର ରହିବ ନିଶ୍ଚୟ।



from Odisha Reporter http://bit.ly/2wfBUrL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages