
ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେପିର ସଂଗୀତା କୁମାରୀ ସିଂହଦେଓ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର କଳିକେଶ ନାରାୟଣ ସିଂହଦେଓଙ୍କୁ ୧୯୫୧୬ ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି। ଗତ ଦୁଇଥର ଲଗାତାର ଭାବେ ଭାଉଜ ସଂଗୀତାଙ୍କୁ ପରାଜିତ କରି ଆସୁଥିଲେ ଦିଅର କଳିକେଶ ନାରାୟଣ ସିଂହଦେଓ। ଏଥର କିନ୍ତୁ ଦିଅରଙ୍କୁ ହରାଇ ବାଜିମାତ କରି ଚତୁର୍ଥ ଥର ପାଇଁ ବଲାଙ୍ଗିରର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ସଂଗୀତା କୁମାରୀ ସିଂହଦେଓ।
ଏହି ଲଢ଼େଇରେ ରାଜନୀତିରେ ଡେବ୍ୟୁ କରିଥିବା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର ତୃତୀୟ ସ୍ଥାନରେ ରହିଛନ୍ତି। ସଂଗୀତା ସିଂହଦେଓ ସର୍ବମୋଟ ଚାରି ଲକ୍ଷ ୯୮ ହଜାର ୮୬ ଖଣ୍ଡ ଭୋଟ ପାଇଥିବା ବେଳେ କଳିକେଶ ଚାରି ଲକ୍ଷ ୭୮ ହଜାର ୫୭୦ ଖଣ୍ଡ ଓ ସମରେନ୍ଦ୍ର ଦୁଇ ଲକ୍ଷ ୭୧ ହଜାର ୫୬ ଖଣ୍ଡ ଭୋଟ ପାଇଛନ୍ତି।
ଆଜି ବଲାଙ୍ଗିର ଆଇଟିଆଇ କଲେଜ ପରିସରରେ ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କଠାରୁ ବିଜୟ ହେବାର ପ୍ରମାଣପତ୍ର ଗ୍ରହଣ କରିଛନ୍ତି ସଂଗୀତା। କର୍ମୀ ଓ ସମର୍ଥକମାନେ ବାଣ ଫୁଟାଇ ଓ କେକ କାଟି ସେଲିବ୍ରେସନ କରିଛନ୍ତି। ନିଜ ପ୍ରତିକ୍ରିୟାରେ ସଂଗୀତା କହିଛନ୍ତି, ବଲାଙ୍ଗିର ଓ ସୋନପୁର ଜିଲ୍ଲାର ବିକାଶ ଦିଗରେ କାମ କରିବି।
ପରାଜିତ ହୋଇଥିଲେ ମଧ୍ୟ ଆଗକୁ ବଲାଙ୍ଗିର ବାସୀଙ୍କ ପାଇଁ କାମ କରିବି ବୋଲି କହିଛନ୍ତି ପରାଜିତ ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ।
from Odisha Reporter http://bit.ly/2VO0f2b
No comments:
Post a Comment