
ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ଫୋନି’ର ଲାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଛି। ସକାଳ ୮ରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହି ସାମୁଦ୍ରିକ ଝଡ଼ର ଆଖି ବା କେନ୍ଦ୍ରସ୍ଥଳ ସମୁଦ୍ରରୁ ବାହାରି ଭୂମି ଉପରକୁ ଆପାତତଃ ଆସି ସାରିଲାଣି। ପୁରୀ ସହରରେ ଏହା ଲ୍ୟାଣ୍ଡଫଲ କରିଛି। ଏଣୁ ଆଗାମୀ ୪ରୁ ୫ ଘଣ୍ଟା ପର୍ଯ୍ୟନ୍ତ ବାତ୍ୟାର ଭୟାବହତା ରହିବ।
ନୂଆଦିଲ୍ଲୀ ଆଇଏମ୍ଡି ମୁଖ୍ୟ କାର୍ଯ୍ୟାଳୟରେ ପାଣିପାଗ ବିଭାଗର ଏଡିଜିଏ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ଯେ, ସକାଳ ସାଢେ ୭ଟା ବେଳେ ପୁରୀରେ ୧୪୨ କିମି ବେଗରେ ପବନ ବହୁଥିଲା ଏଣୁ ବିଭାଗୀୟ ପୂର୍ବନୁମାନ ସତ୍ୟ ହୋଇଛି । ବାତ୍ୟାଟି ଦିନବେଳେ ପୁରୀ ଉପକୂଳ ଅତିକ୍ରମ କରିବ। ଫୋନି ପ୍ରଭାବ ସବୁଠାରୁ ଅଧିକ ପୁରୀ ଓ ଜଗତ୍ସିଂହପୁର ଜିଲ୍ଲାରେ ରହିବ। ଖୋର୍ଦ୍ଧା ଜିଲାର କିଛି ଅଂଶ ମଧ୍ୟ ପ୍ରଭାବିତ ହେବ।
ସମୁଦ୍ରରେ ବଡ଼ ଜୁଆର ଉଠିବ। ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି। ୨୦ ରୁ ୩୦ ସିଏମ୍ ବର୍ଷ ହେବ ବୋଲି ଅନୁମାନ। ଆଜି ଦିନ ତମାମ ବର୍ଷା ହୋଇ କାଲି ବର୍ଷା କମିବ। ଏହି ବାତ୍ୟା ପୂର୍ବ ଓଡ଼ିଶା ଦେଇ ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ଯିବା ବେଳକୁ କ୍ରମଶଃ ଦୁର୍ବଳ ହେବ ଓ ଉତ୍ତର ଓଡ଼ିଶାରେ ସନ୍ଧ୍ୟାରେ ପବନର ବେଗ ୯୦ରୁ ୧୦୦ କିଲୋମିଟର ମଧ୍ୟରେ ରହିବ।
କାଲି ସନ୍ଧ୍ୟାରେ ଏହା ବାଂଲାଦେଶରେ ପହଞ୍ଚିଲା ବେଳକୁ ଅବପାତରେ ପରିଣତ ହୋଇସାରିଥିବ। ଯାହାର ପ୍ରଭାବରେ କେବଳ ବର୍ଷା ହେବ।
from Odisha Reporter http://bit.ly/2PIAI94
No comments:
Post a Comment