
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କାଉଣ୍ଟିଂ ଡେ’ ଯେତିକି ପାଖେଇ ଆସୁଛି ନବୀନଙ୍କୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ସେତିକି ବଢୁଛି । ଦିଲ୍ଲୀ ଗାଦି ଦଖଲ ପାଇଁ କାହାକୁ ମ୍ୟାଜିକ୍ ନମ୍ବର ମିଳିବ ନାହିଁ ବୋଲି ଚର୍ଚ୍ଚା ଭିତରେ ବିଜେଡିର ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି । ଯଦି ପ୍ରକୃତରେ କେନ୍ଦ୍ରରେ ସରକାର ଗଠନ ପାଇଁ ବିଜେଡିର ସହଯୋଗ ଦରକାର ହୁଏ, ସେ କ୍ଷେତ୍ରରେ ବିଜେଡି କ’ଣ ରଖିବ ସର୍ତ୍ତ ତାକୁ ନେଇ ବି ଆରମ୍ଭ ହୋଇଗଲାଣି ଚର୍ଚ୍ଚା । ଆଉ ଫୋକସରେ ରହିଛି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗ।
୩ ଦିନ ପରେ ଆସିବ ନିର୍ବାଚନ ଫଳ। ଦିଲ୍ଲୀ ଗାଦି କିଏ ଅକ୍ତିଆର କରିବ? ରାଜ୍ୟରେ କାହାକୁ ମିଳିବ ବହୁମତ? ଏହାକୁ ନେଇ ବିଭିନ୍ନ ଆକଳନ ଏକଜିଟ୍ ପୋଲ୍ ଭିତରେ ଦିଲ୍ଲୀ ସିଂହାସନ ଅକ୍ତିଆର କରିବାକୁ ଆରମ୍ଭ ହୋଇଗଲାଣି ଗୋଟି ଚାଳନା।
ତେବେ ଫଳାଫଳ ଆସିବା ପରେ କ’ଣ ହେବ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟ ? ୟୁପିଏ ନା ଏନ୍ଡିଏ? କେଉଁ ସାମ୍ମୁଖ୍ୟ ଆଡ଼କୁ ଢଳିବେ ନବୀନ ? ଚର୍ଚ୍ଚା ହେଉଛି ଯିଏ କ୍ଷମତା ଦଖଲ କରିବାର ସମ୍ଭାବନା ଅଧିକ ରହିବ, ନବୀନ ସେହି ମେଣ୍ଟକୁ ସମର୍ଥନ ଦେବେ। କାରଣ ସମଦୂରତା ଫଣ୍ଡା ଛାଡ଼ି ଓଡ଼ିଶାର ସ୍ୱାର୍ଥ ଯିଏ ରକ୍ଷା କରିବ, ତାକୁ ହିଁ ବିଜେଡି ସମର୍ଥନ ଦେବ ବୋଲି ମୁଖ୍ୟମନ୍ତ୍ରୀ ପୂର୍ବରୁ ସଂକେତ ଦେଇସାରିଛନ୍ତି। ସେପଟେ ଉଭୟ ଏନ୍ଡିଏ ଓ ୟୁପିଏ ନବୀନଙ୍କ ସହ ଯୋଗାଯୋଗରେ ଅଛନ୍ତି ।
ଏବେ ବଡ଼ ପ୍ରଶ୍ନ, ସମର୍ଥନ ବଦଳରେ କଣ ସର୍ତ୍ତ ରଖିବେ ନବୀନ? ଚର୍ଚ୍ଚା ହେଉଛି ବହୁଦିନ ଧରି ଓଡିଶା ଉଠାଇ ଆସୁଥିବା ବିଭିନ୍ନ ଦାବି ପୂରଣ ଉପରେ ଗୁରୁତ୍ୱ ଦେବ ବିଜେଡି । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, ମହାନଦୀ ବିବାଦର ସମାଧାନ, କୋଇଲା ରୟାଲଟି ସଂଶୋଧନ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ରେଲୱେ କ୍ଷେତ୍ରରେ ଅଧିକ ପ୍ୟାକେଜ୍ ସହ ସବୁ ଜିଲ୍ଲାକୁ ରେଳ ନେଟ୍ଓ୍ୱର୍କ, ପୋଲାଭରମ୍ ବିବାଦର ସମାଧାନ ପାଇଁ ଦାବି ରଖିପାରେ ଓଡ଼ିଶା। ତେବେ ଓଡ଼ିଶା ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବାରୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ହିଁ ମୁଖ୍ୟ ସର୍ତ୍ତ ରହିବ ବୋଲି ଦଳ କହିଛି । ଜେଡିୟୁ ମଧ୍ୟ ବିହାର ସହ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ଦାବି କରିସାରିଛି ।
ଆସନ୍ତା ୨୩ରେ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବ। ଯଦି କେନ୍ଦ୍ରରେ ସରକାର ଗଠନ ପାଇଁ ନବୀନଙ୍କ ଆବଶ୍ୟକ ନପଡ଼େ, ସେ କ୍ଷେତ୍ରରେ କ’ଣ ରହିବ ଆଭିମୁଖ୍ୟ? ପୁଣି ସମଦୂରତା ନୀତିରେ କାଏମ୍ ରହିବ କି ବିଜେଡି ? ମୋଦି-ଶାହଙ୍କ ଆଭିମୁଖ୍ୟ ଓଡ଼ିଶା ପ୍ରତି କ’ଣ ରହିବ, ତାକୁ ନେଇ ବି କଳ୍ପନାଜଳ୍ପନା ଲାଗି ରହିଛି।
from Odisha Reporter http://bit.ly/2Qb9B6V
No comments:
Post a Comment