ନୂଆଦିଲ୍ଲୀ: ମେଘୁଆ ପାଗରେ ରାଡାର କାମ କରେନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟକୁ ହସରେ ଉଡ଼ାଉଥିବା ଲୋକଙ୍କୁ ଏବେ ଝଟ୍କା ଲାଗିଛି। ଏହା ଏକ ମନଗଢ଼ା କଥା ନୁହେଁ, ବରଂ ଏହି ଯୁକ୍ତି ଟେକ୍ନୋଲଜି ଏବଂ ବିଜ୍ଞାନ ଦୃଷ୍ଟିରୁ ଯଥାର୍ଥ ଏବଂ ସ୍ଥଳବିଶେଷରେ ଏହାର ପ୍ରୟୋଗ ମଧ୍ୟ କରାଯାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଦେଶର ସେନାଧ୍ୟକ୍ଷ ବିପିନ୍ ରାୱତ୍ ଏବଂ ବାୟୁସେନା ମୁଖ୍ୟ ରଘୁନାଥ ନାମ୍ବିଆର ମଧ୍ୟ ସମାନ ମତ ରଖିଛନ୍ତି।
ମୋଦି ଏକ ଟିଭି ସାକ୍ଷାତକାରରେ କହିଥିଲେ, ବାଲାକୋଟ୍ ବଦ୍ଲା ବାବଦରେ ଆଲୋଚନା ସମୟରେ ନିର୍ଦ୍ଧାରିତ ତାରିଖରେ ପ୍ରତିକୂଳ ପାଗ ଏବଂ ବର୍ଷା କାରଣରୁ ତାରିଖ ପରିବର୍ତ୍ତନର ପ୍ରସ୍ତାବ ଆସିଥିଲା। କିନ୍ତୁ ମୋଦି ପରାମର୍ଶ ଦେଇଥିଲେ ସେହିଦିନ ହିଁ ଆକ୍ରମଣ କରାଯାଉ, ଫଳରେ ଖରାପ ପାଗ ଓ ବର୍ଷା କାରଣରୁ ଯୁଦ୍ଧବିମାନ ରାଡାର ନଜରରେ ଆସିବନାହିଁ। ତାଙ୍କ ମନ୍ତବ୍ୟକୁ ମନଗଢ଼ା ଓ ମିଛ ବୋଲି କହି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସମେତ ବହୁ ବିରୋଧୀ ହସରେ ଉଡ଼ାଇବାର ପ୍ରୟାସ କରିଥିଲେ।
ତେବେ ଏହି ଯୁକ୍ତିକୁ ଠିକ୍ ଦର୍ଶାଇ କେରଳଠାରେ ଏକ କାର୍ଯ୍ୟକ୍ରମରେ ଜେନେରାଲ ରାୱତ୍ କହିଥିଲେ, ବିଭିନ୍ନ ଟେକ୍ନୋଲଜିରେ କାମ କରୁଥିବା ବିଭିନ୍ନ ପ୍ରକାରର ରାଡାର ରହିଛି। କିଛି ରାଡାର ଏଭଳି ପ୍ରତିକୂଳ ପାଗରେ କାମ କରିଥାଏ ଏବଂ କିଛି ଏପରି କରିବାରେ ବିଫଳ ହୋଇଥାନ୍ତି।
ଏୟାର ମାର୍ଶାଲ ନାମ୍ବିଆର କହିଥିଲେ, ଘନ ମେଘ ଏବଂ ପାଗ ଅତି ଖରାପ ଥିଲେ ରାଡାରକୁ ଆକଳନ କରିବାରେ ସମସ୍ୟା ହୋଇଥାଏ। ତାଙ୍କର ଏହି ମନ୍ତବ୍ୟ ମଧ୍ୟ ମୋଦିଙ୍କ ଯୁକ୍ତିକୁ ସମର୍ଥନ କରିଛି। ତେବେ ମୋଦିଙ୍କ ଏହି ମନ୍ତବ୍ୟ ପରେ ହେଲିକପ୍ଟର ଉଡ଼ାଣରେ ବେଶ୍ କିଛି ବର୍ଷର ଅନୁଭୂତି ରଖିଥିବା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଏହାର ସମର୍ଥନରେ ଯୁକ୍ତି ବାଢ଼ିଥିଲେ। ପ୍ରତିକୂଳ ପାଗ କିଭଳି ରାଡାର ପାଇଁ ସମସ୍ୟା ସୃଷ୍ଟି କରିଥାଏ ‘କୋରା’ ପ୍ଲାଟଫର୍ମରୁ ତା’ର ଉଦାହରଣ ମଧ୍ୟ ରଖିଥିଲେ।
from Odisha Reporter http://bit.ly/2EDdMno
No comments:
Post a Comment