
ହେ ଭଗବାନ!
ଆପଣଙ୍କୁ କଣ ଲୁଚାଇବି। ଆପଣ ତ ସର୍ବଶକ୍ତିମାନ। ସମସ୍ତ ସୁବିଧା ଦେଇ ଶେଷରେ ଆଜି ମୁଁ ଲୋକଙ୍କ ଆଗରେ ବଦନାମ ହୋଇଯାଇଛି। ପୂର୍ବରୁ ବାଲଟ ପେପରରେ ଲୋକେ ଭୋଟ୍ ଦେଉଥିଲେ। ହେଲେ ଭୋଟ୍ ଗଣତି ବେଳେ ଅଧିକ ସମୟ ଏବଂ ଗଣତି ବେଳେ ହିସାବରେ ତ୍ରୁଟି ହେଉଥିବା ଦର୍ଶାଇ ମୋତେ (ଇଭିଏମ୍) ଆପଣେଇଲେ। ଦୀର୍ଘ ଦଶନ୍ଧି ଧରି ମାତେ ବ୍ୟବହାର କରି ଲୋକମାନେ ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି। ହେଲେ ଏବେ ମୋର ଭୂମିକାକୁ ନେଇ ବିରୋଧୀ ଦଳ ସନ୍ଦେହ ପ୍ରକାଶ କରିଛନ୍ତି। ଯାହାକି ମୋତେ ମର୍ମାହତ କରିଛି।
ଆସନ୍ତାକାଲି ପ୍ରକାଶ ପାଇବ ଦେଶର ୧୭ ତମ ନିର୍ବାଚନ ଫଳାଫଳ। ୧୯ ତାରିଖରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଆଉ ଶେଷ ହେବାର କେଇ ଘଣ୍ଚା ପରେ ପ୍ରକାଶ ପାଇଥିଲା ଏକଜିଟ୍ ପୋଲ୍। ଯେଉଁଥିରେ ଶାସକ ଦଳ ବିଜେପି ସପକ୍ଷରେ ପୂର୍ବାନୁମାନ କରିଛି ସର୍ଭେ ସଂସ୍ଥା।
ତେବେ ସର୍ଭେର କେଇ ଘଣ୍ଚା ପରେ ମୋତେ (ଇଭିଏମ୍) ଅପମାନ କରାଯାଇଛି। ସମାଜରେ ମୋର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ। ବିଜେପିକୁ ମୁଁ ସମର୍ଥନ କରୁଛି ବୋଲି ମୋ ଉପରେ ବିରୋଧୀ ଅଭିଯୋଗ ଆଣିଛନ୍ତି। ଯଦିଓ ବାରମ୍ୱାର ଏହି ଅଭିଯୋଗ ଆସିଛି, ମୋର ମୁଖିଆ ନିର୍ବାଚନ କମିଶନଙ୍କ ନିକଟରେ ମୁଁ ପକ୍ଷପାତିତା କରୁଥିବାର ପ୍ରମାଣ ଦେଇପାରି ନାହାନ୍ତି।
ମୁଁ ଅତ୍ୟନ୍ତ ମର୍ମାହତ ହେବା ପରେ ଆପଣଙ୍କୁ ଏଇ ଚିଠି ଲେଖୁଛି। କେହି ଅଶିକ୍ଷିତ ବ୍ୟକ୍ତି ଯଦି ମୋର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଥାନ୍ତା, ତାହେଲେ ମୁଁ ଏହାକୁ ଆଦୌ ଗୁରୁତ୍ୱ ଦେଇ ନଥାନ୍ତି। ହେଲେ ଆଜିର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୁଗରେ ଶିକ୍ଷିତ ବ୍ୟକ୍ତି ମାନେ ମୋର ଭୂମିକାକୁ ନେଇ ପ୍ରଶ୍ନ ଉଠାଉଛନ୍ତି। ଯାହାକି ମୋତେ ଅତ୍ୟନ୍ତ ମର୍ମାହତ କରିଛି। ସମାଜରେ ମୁଁ ଆଉ ମୁଣ୍ଡ ଟେକି ଚାଲି ପାରିବି ନାହିଁ ବୋଲି ମୋର ହୃଦବୋଧ ହେଉଛି।
୨୦୧୪ ନିର୍ବାଚନ ବେଳେ ବିରୋଧୀ ନିଜ ଭୁଲ ବିଚାରଧାରା ଓ ନୀତି ପାଇଁ ପରାଜିତ ହେଲେ କିନ୍ତୁ ନିଜ ଭୁଲକୁ ଲୁଚାଇବାକୁ ଯାଇ ମୋ ଉପରେ ଦୋଷ ଲଦିଦେଲେ। ଯାହା ମୋତେ ଅତ୍ୟନ୍ତ ଖରାପ ଲାଗୁଛି। ୨୦୧୪ ବେଳେ କଂଗ୍ରେସ ସରକାରରେ ଥିଲା। ସମସ୍ତ କ୍ଷମତା ତା ହାତରେ ଥିଲା। ହେଲେ ବିଜେପି ଜିତିବା ପରେ ଏଇ କଂଗ୍ରେସ ଓ ତା’ର ସହଯୋଗୀ ଦଳ ମୋର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଯାହାକି ମୋତେ ହତବାକ୍ କରିଥିଲା।
ନିକଟରେ ହୋଇଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନରେ ବିରୋଧୀ କଂଗ୍ରେସର ବିଜୟ ହେବା ପରେ କିଛି ଦିନ ପାଇଁ ମୁଁ ନିନ୍ଦିତ ହେବାରୁ ବର୍ତ୍ତିଯାଇଥିଲି। ସେହି ସମୟରେ ଲାଗିଲା ସତେ ଯେମିତି ଏବେ ମୋର ରାଶି ନକ୍ଷତ୍ର ଠିକ୍ ଚାଲିଛି ଏବଂ ଆଗାମୀ ଦିନରେ ମୁଁ ମୁଣ୍ଡ ଟେକି ପୁଣି ସମ୍ମାନର ସହ ଚାଲିବି। ହେଲେ ଏହା ମୋର ଭୁଲ ଆଶଙ୍କା ଥିଲା। ସାଧାରଣ ନିର୍ବାଚନ ପାଖେଇ ଆସିବା ମାତ୍ରେ ବିରୋଧୀ ପୁଣି ମୋତେ ନିର୍ବାଚନୀ ପ୍ରସଙ୍ଗ କରି ଏହି ସମାଜରୁ ତଡ଼ିବା ପାଇଁ ଆରମ୍ଭ କରିଛନ୍ତି।
ନିକଟରେ ପ୍ରକାଶ ପାଇଥିବା ଏକଜିଟ୍ ପୋଲରେ ମୋର ଭୂମିକା ନଥିବା ବେଳେ ବିରୋଧୀ ପୁଣି ମୋ ପ୍ରସଙ୍ଗ ଉଠାଇବା ମୋତେ ଆଶ୍ଚର୍ଯ୍ୟ ଚକିତ କରିଛି। ଏମିତିକି ମୁଁ ଟ୍ରକରେ ବୁହା ହୋଇ ଯିବା ବେଳେ ବିରୋଧୀ ଦଳର ଲୋକମାନେ ଟାହି ଟାପରା କରୁଛନ୍ତି। କହୁଛନ୍ତି ଇଏ ‘ଇଭିଏମ’ ନୁହେଁ ଇଏ ‘ମୋଦି ମେସିନ’।
ଭଗବାନ ନିର୍ବାଚନ ଫଳାଫଳ ସମ୍ପୂର୍ଣ୍ଣ ଜନତାଙ୍କ ହାତରେ ରହିଛି। ନା ସରକାର ମୋତେ ମନେଇ ତା ସପକ୍ଷରେ ଜନାଦେଶ ନେଇ ପାରିବ ନା ବିରୋଧୀ ନେଇ ପାରିବେ। ଏହା ଆପଣ ଭଲ ଭାବରେ ଜାଣିଛନ୍ତି। କିନ୍ତୁ ସମାଜରେ ବଞ୍ଚିବା ପାଇଁ ଯେତିକି ଆତ୍ମସମ୍ମାନର ଆବଶ୍ୟକତା ରହିଛି ତାହା ବୋଧହୁଏ ମୋର ନାହିଁ, ତେଣୁ ଆଗାମୀ ଜନ୍ମରେ ମୁଁ ପୁଣି ଇଭିଏମ୍ ହୋଇ ଜନ୍ମ ହେବାକୁ ଚାହୁଁନାହିଁ।
ଏଣୁ ବିନୀତ ଅନୁରୋଧ ଆପଣ ଆର ଜନ୍ମରେ ମୋତେ ଇଭିଏମ କରିବେ ନାହିଁ।
ଇତି ଆପଣଙ୍କର
ଇଭିଏମ୍
from Odisha Reporter http://bit.ly/2Elkazl
No comments:
Post a Comment