
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ବିରୋଧରେ ଆସିଥିବା ସମସ୍ତ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗର ସମାଧାନ ଆସନ୍ତା ସୋମବାର ମଧ୍ୟରେ ଶେଷ କରିବାକୁ ଆଜି ସୁପ୍ରିମକୋର୍ଟ ନିର୍ବାଚନ କମିଶନ(ଇସି)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମୋଦି ଓ ଶାହଙ୍କ ବିରୋଧରେ କଂଗ୍ରେସ ଏକାଧିକ ଅଭିଯୋଗ ନିର୍ବାଚନ କମିଶନଙ୍କ ନିକଟରେ କରିଥିଲେ ହେଁ ଏଯାଏ ଏହା ଉପରେ କୌଣସି ଶୁଣାଣି ହୋଇ ନଥିଲା। ଏହାକୁ ଆଧାର କରି କଂଗ୍ରେସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।
ଆଜି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ନିକଟରେ ହାଜର ହୋଇ କଂଗ୍ରେସ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭୀ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ। ସେ କହିଥିଲେ, “ଆଜିକା ତାରିଖ ମଧ୍ୟରେ ଶାହ ଓ ମୋଦିଙ୍କ ବିରୋଧରେ ୧୧ ଥର ଆଚରବିଧି ଉଲ୍ଲଙ୍ଘନ ଅଭିଯୋଗ ହୋଇଛି। ହେଲେ ଏନେଇ ନିର୍ବାଚନ କମିଶନ କେବଳ ୨ଟି ମାମଲାର ଶୁଣାଣି କରିଛନ୍ତି। ଉଭୟ ମାମଲାରେ କମିଶନ ମୋଦିଙ୍କୁ କ୍ଲିନ୍ଚିଟ୍ ଦେଇଛନ୍ତି। ହେଲେ କଂଗ୍ରେସକୁ ଏହାର କାରଣ ସମ୍ପର୍କରେ କୌଣସି ନୋଟିସ୍ ଦେଇନାହାନ୍ତି।”
ଏହି ସମୟରେ ନିର୍ବାଚନ କମିଶନ କୋର୍ଟଙ୍କୁ କହିଥିଲେ ଯେ ବୁଧବାର ସୁଦ୍ଧା ସମସ୍ତ ମାମଲାର ଶୁଣାଣି ଶେଷ ହେବ। ଏଥିସହ କୋର୍ଟଙ୍କୁ ଗୁରୁବାର ସୁଦ୍ଧା ରିପୋର୍ଟ ଦିଆଯିବ ବୋଲି କମିଶନ ପକ୍ଷରୁ କୁହାଯାଇଥିଲା। ତେବେ ସିଜେଆଇ ନିର୍ବାଚନ କମିଶନଙ୍କୁ ଅତିରିକ୍ତ ସମୟ ଦେବାକୁ ମନା କରିଦେଇଥିଲେ। ସୋମବାର ସୁଦ୍ଧା ହିଁ ଅଭିଯୋଗର ସମାଧାନ କରିବାକୁ କୋର୍ଟ କହିଥିଲେ। କମିଶନ କହିଥିଲେ “ଆମକୁ ପ୍ରଥମେ ଗ୍ରାଉଣ୍ଡର ରିପୋର୍ଟ ଆଣିବାକୁ ପଡ଼ୁଛି। ସେହିପରି ନିର୍ବାଚନ ମଧ୍ୟ ପରିଚାଳନା କରିବାକୁ ପଡ଼ୁଛି। ତେଣୁ ଏଥିପାଇଁ ସମୟ ଆବଶ୍ୟକ।” ହେଲେ କୋର୍ଟ ଏହାକୁ ଶୁଣି ନଥିଲେ।
from Odisha Reporter http://bit.ly/2V7adjH
No comments:
Post a Comment