
ମ୍ୟୁନିକ୍: ଭାରତର ତାରକା ଶୁଟର୍ ସୌରଭ ଚୌଧୁରୀ ଚଳିତ ଆଇଏସଏସଏଫ୍ ୱାର୍ଲ୍ଡ କପରେ ଦମଦାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଅର୍ଜନ କରିଛନ୍ତି। ପୁରୁଷ ୧୦ ମିଟର ଏୟାର ପିସ୍ତଲ ଫାଇନାଲରେ ସୌରଭ ୨୪୬.୩ ସ୍କୋର ସହ ୱାର୍ଲ୍ଡ ରେକର୍ଡ ସ୍ଥାପନ କରିଛନ୍ତି। ଚଳିତ ବିଶ୍ୱକପରେ ଭାରତର ଏହା ଦ୍ୱିତୀୟ ସ୍ୱର୍ଣ୍ଣ ପଦକ। ଏହା ପୂର୍ବରୁ ରବିବାର ଅପୂର୍ବୀ ମହିଳାଙ୍କ ୧୦ ମିଟର ଏୟାର ରାଇଫଲ୍ ଇଭେଣ୍ଟରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାତେଇଥିଲେ।
ଫେବୃଆରୀରେ ନୂଆଦିଲ୍ଲୀରେ ଆୟୋଜିତ ବିଶ୍ୱକପରେ ଭଲ ପ୍ରଦର୍ଶନ କରି ସୌରଭ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ କୋଟା ହାସଲ କରିସାରିଛନ୍ତି। ଏହି ବିଶ୍ୱକପରେ ସେ ୨୪୫ ସ୍କୋର ସହ ବିଶ୍ୱ ରେକର୍ଡ କରିଥିଲେ। କିନ୍ତୁ ସେ ଏହାଠାରୁ ଉନ୍ନତ ପ୍ରଦର୍ଶନ କରି ଚଳିତ ଟୁର୍ଣ୍ଣାମେଣ୍ଟରେ ନିଜର ଏହି ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛନ୍ତି।
ପୁରୁଷ ୧୦ ମିଟର୍ ଏୟାର ପିସ୍ତଲ ଇଭେଣ୍ଟରେ ରୁଷର ଆର୍ଟେମ୍ ଚେର୍ସୁନୋଭ ଓ ଚାଇନାର ୱେଇ ପାଙ୍ଗ୍ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଛନ୍ତି। ପ୍ରଥମ ଶଟରେ ସୌରଭ ୯.୩ ସ୍କୋର ସହ ଶୁଭାରମ୍ଭ କରିଥିଲେ। ଏହା ପରେ ସେ ଲଗାତାର ୧୦.୧ ସ୍କୋର କରି ଆଗେଇ ଥିଲେ।
ଏହି ଇଭେଣ୍ଟରେ ଭାରତର ଅନ୍ୟତମ ଶୁଟର ଶାହଜାର ରିଜବୀ ମଧ୍ୟ ଫାଇନାଲରେ ପହଞ୍ଚିଥିଲେ। କିନ୍ତୁ ସେ ନୈରାଶ୍ୟଜନକ ପ୍ରଦର୍ଶନ କରି ୧୭୭.୬ ସ୍କୋର ସହ ପଞ୍ଚମ ସ୍ଥାନରେ ରହିଥିଲେ। ୨୦୨୦ ଅଲିମ୍ପିକ୍ସ ପାଇଁ ଭାରତ ଏପର୍ଯ୍ୟନ୍ତ ୫ କୋଟା ହାସଲ କରିସାରିଛି। ସୌରଭ ଓ ଅଭିଷେକ ବର୍ମା ପୁରୁଷ ୧୦ ମିଟର୍ ଏୟାର ପିସ୍ତଲରେ କୋଟା ହାସଲ କରିଥିବା ବେଳେ ଅଞ୍ଜୁମ ମୁଦଗିଲ୍ ଓ ଅପୂର୍ବୀ ମହିଳା ୧୦ ମିଟର୍ ଏୟାର ରାଇଫଲ୍ ଏବଂ ଦିବ୍ୟାଂଶ ସିଂହ ପନୱର ପୁରୁଷ ୧୦ ମିଟର୍ ଏୟାର ରାଇଫଲ୍ ଇଭେଣ୍ଟରେ ଅଲିମ୍ପିକ୍ସ କୋଟା ଅର୍ଜନ କରିଛନ୍ତି।
from Odisha Reporter http://bit.ly/2JGJXGu
No comments:
Post a Comment