
ଭବାନୀପାଟଣା (ରାଜକୁମାର ସିଂହଦେଓ ): ଗତ ଲୋକସଭା ନିର୍ବାଚନରେ ମାତ୍ର ଗୋଟିଏ ଆସନ ହାସଲ କରିପାରିଥିବା ବିଜେପି ଏଥର କିନ୍ତୁ ୮ଟି ଆସନରେ ବିଜୟୀ ମୁକୁଟ ପିନ୍ଧିଛି। ଭୁବନେଶ୍ୱର, ବରଗଡ଼, ସମ୍ବଲପୁର, ବାଲେଶ୍ୱର, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗିର ଓ ମୟୂରଭଞ୍ଜ ଲୋକସଭା ଆସନରେ ବିଜୟର ସ୍ୱାଦ ଚାଖିଛି ବିଜେପି। କଳାହାଣ୍ଡି ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ବସନ୍ତ ପଣ୍ଡା ଜିତିଛନ୍ତି। ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓ ଓ କଂଗ୍ରେସ ପ୍ରାର୍ଥୀ ଭକ୍ତ ଦାସଙ୍କୁ ପରାସ୍ତ କରିଛନ୍ତି।
ବିଜୟୀ ହେବା ପରେ ବସନ୍ତ ପଣ୍ଡା କହିଛନ୍ତି, “ମା’ମାଣିକେଶ୍ୱରୀଙ୍କ କୃପାରୁ ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ସମସ୍ତଙ୍କ ଆଶୀର୍ବାଦ ଓ କଠିନ ପରିଶ୍ରମ କାରଣରୁ ଏହି ବିଜୟ ଆମେ ପାଇଛୁ। ଏହି ବିଜୟକୁ ମୁଁ କଳାହାଣ୍ଡିବାସୀଙ୍କ ପାଦ ତଳେ ଅପର୍ଣ କରୁଛି। ସେମାନେ ମୋତେ ସେବା କରିବାରେ ଏକ ସୁଯୋଗ ଦେଇଥିବାରୁ କୃତଜ୍ଞତା ଜ୍ଞାପନ କରୁଛି। ସମସ୍ତଙ୍କ ସାଙ୍ଗରେ ଚର୍ଚ୍ଚା ଆଲୋଚନା କରି କଳାହାଣ୍ଡି କେମିତି ବିକାଶ ଦିଗରେ ଆଗେଇ ଯିବ ସେଥିପାଇଁ ମୁଁ ଆମ ନେତୃତ୍ୱଙ୍କ ପାଖରେ ଦାବି ରଖି କାର୍ଯ୍ୟକୁ ତ୍ୱରାନ୍ୱିତ କରିବି। ଲୋକଙ୍କ ପାଖକୁ ଯିବି, ଲୋକଙ୍କ ସାଙ୍ଗରେ ରହିବି, ଲୋକଙ୍କ ପାଇଁ ଲଢିବି । କଳାହାଣ୍ଡି ଜିଲ୍ଲାର ଯାହା କିଛି ସମସ୍ୟା ରହିଛି ସମାଧାନ ପାଇଁ ସବୁ ପ୍ରକାର ଚେଷ୍ଟା କରିବି।”
ସେ ଆହୁରି କହିଛନ୍ତି,“ଜୟ ପରାଜୟ ମୁଦ୍ରାର ଦୁଇଟା ପାର୍ଶ୍ୱ। ଏହି କ୍ଷେତ୍ରରେ ଭାରତୀୟ ଜନତା ପାର୍ଟି ଏକ ସାଙ୍ଗଠାନିକ ଟିମ୍ ରୂପେ କାମ କରିଥାଏ। ଯାହା କିଛି ଭୁଲ୍ ରହିଯାଇଛି ଆଗାମୀ ଦିନରେ ତାହାକୁ ସୁଧାରିବାକୁ ସମସ୍ତ ପ୍ରକାର ଉଦ୍ୟମ କରିବୁ।”
from Odisha Reporter http://bit.ly/2EsVpkW
No comments:
Post a Comment