
ମୁମ୍ବାଇ: ଟିମ୍ ଇଣ୍ଡିଆ ତା’ର ବିଶ୍ୱକପ୍ ଅଭିଯାନ ପାଇଁ ମଙ୍ଗଳବାର ବିଳମ୍ବିତ ରାତିରେ ଇଂଲଣ୍ଡ ଅଭିମୁଖେ ଗସ୍ତ କରିବ। ଟୁର୍ଣ୍ଣାମେଣ୍ଟରେ ଭାରତ ତା’ର ପ୍ରଥମ ଚାରି ମ୍ୟାଚରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଓ ପାକିସ୍ତାନ ଭଳି ଶକ୍ତିଶାଳୀ ଟିମକୁ ଭେଟିବ। ଇଂଲଣ୍ଡ ଗସ୍ତ କରିବା ପୂର୍ବରୁ ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ କୋହଲି ଓ କୋଚ୍ ରବି ଶାସ୍ତ୍ରୀ ମଙ୍ଗଳବାର ମୁମ୍ବାଇସ୍ଥିତ ବିସିସିଆଇ ମୁଖ୍ୟ କାର୍ଯ୍ୟାଳୟରେ ପ୍ରେସ୍ କନଫରେନ୍ସ କରିଛନ୍ତି।
ଏହି ଅବସରରେ ବିରାଟ୍ କହିଛନ୍ତି, ଏହି ବିଶ୍ୱକପ୍ ଆମ ପାଇଁ ସବୁଠାରୁ ଚ୍ୟାଲେଞ୍ଜିଂ ହେବ। କାରଣ ବିଶ୍ୱକପରେ ଭାଗ ନେଉଥିବା ସବୁ ଟିମ୍ ମଜଭୁତ୍ ଏବଂ ଏଭଳି ସ୍ଥିତିରେ ଆମକୁ ପ୍ରତି ମ୍ୟାଚ୍ ଜିତିବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡ଼ିବ। ଏଥିସହ କୋହଲି କହିଛନ୍ତି, ବ୍ୟକ୍ତିଗତ ଭାବେ ମୋତେ ମଧ୍ୟ ଟିମ୍ ପାଇଁ ଆବଶ୍ୟକ ଯୋଗଦାନ ଦେବାକୁ ପଡ଼ିବ।
ବିରାଟ ଆହୁରି କହିଛନ୍ତି, “ଚାପକୁ କିପରି ସାମ୍ନା କରିହେବ, ତାହା ଭାରତୀୟ ଟିମ୍ ପାଇଁ ମହତ୍ତ୍ୱପୂର୍ଣ୍ଣ ହେବ। ସେଠାକାର ପରିବେଶ ସହ ଆମକୁ ଶୀଘ୍ର ଅଭ୍ୟସ୍ତ ହେବାକୁ ପଡ଼ିବ। ଆମର ସବୁ ବୋଲର ଫିଟ୍ ଅଛନ୍ତି ଏବଂ ଭଲ ପ୍ରଦର୍ଶନ କରିବା ନେଇ ଉତ୍ସାହିତ ଅଛନ୍ତି। ପ୍ରତି ମ୍ୟାଚରେ ଆମକୁ ସାମର୍ଥ୍ୟ ଅନୁଯାୟୀ ଖେଳିବାକୁ ପଡ଼ିବ।
ଏହି ୱାର୍ଲ୍ଡ କପରେ କୌଣସି ଜିନିଷକୁ ହାଲକା ନେବା ମହଙ୍ଗା ପଡ଼ିପାରେ। କୌଣସି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିବାର ଚାପ ରହିଥାଏ। ଯଦି ଆମେ ପରିସ୍ଥିତି ସହ ଶୀଘ୍ର ଖାପଖୁଆଇବାରେ ସଫଳ ହେଉ, ତାହେଲେ ବାକି ସବୁକିଛି ସହଜ ହୋଇଯିବ।’ ବିଶ୍ୱକପ୍ ପୂର୍ବରୁ କେଦାର ଯାଦବଙ୍କ ଫିଟନେସକୁ ନେଇ ଦ୍ୱନ୍ଦ୍ୱ ରହିଥିଲା। କିନ୍ତୁ ସେ ଏବେ ପୂରା ଫିଟ୍ ଥିବା କୋହଲି କହିଛନ୍ତି। ଏହାଛଡ଼ା ଦୁଇ ସ୍ପିନର କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ଆମ ବୋଲିଂ ୟୁନିଟର ମୁଖ୍ୟ ପିଲାର୍। ଦୁହେଁ ବିଶ୍ୱକପରେ ନିଶ୍ଚିତ ଭଲ ପ୍ରଦର୍ଶନ କରିବେ ବୋଲି ବିରାଟ କହିଛନ୍ତି।
ସେହିପରି ଟିମ୍ ଇଣ୍ଡିଆ କୋଚ୍ ରବି ଶାସ୍ତ୍ରୀ କହିଛନ୍ତି, “ବିଶ୍ୱକପରେ ପ୍ରାୟ ସବୁ ଟିମର ସ୍ତରରେ ବହୁତ କମ୍ ଫରକ ରହିଛି। ଏଭଳି ସ୍ଥିତିରେ ଆମକୁ ପ୍ରଦର୍ଶନରେ ନିରନ୍ତରତା ବଜାୟ ରଖିବାକୁ ପଡ଼ିବ। ୱାର୍ଲ୍ଡକପରେ ମହେନ୍ଦ୍ର ସିଂହ ଧୋନି ବଡ଼ ଭୂମିକା ତୁଲାଇବେ। ଏହି ଫର୍ମାଟରେ ତାଙ୍କଠାରୁ ଉନ୍ନତ ଆଉ କେହି ହୋଇପାରିବେ ନାହିଁ। ବିଶେଷକରି ମ୍ୟାଚର ଗତିପଥ ବଦଳାଇବାରେ ଧୋନି ମାହିର୍। ତେଣୁ ତାଙ୍କ ଉପସ୍ଥିତି ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ।”
ଶାସ୍ତ୍ରୀ ଆହୁରି କହିଛନ୍ତି, ଯଦି ଆମେ ଆମ ଦକ୍ଷତା ଅନୁଯାୟୀ ଖେଳୁ, ତାହେଲେ ନିଶ୍ଚିତ ବିଶ୍ୱକପ୍ ଜିତିପାରିବୁ। କିନ୍ତୁ ବିଶ୍ୱକପରେ ଭାଗ ନେଉଥିବା ଅନ୍ୟ ଟିମ୍ ମଧ୍ୟ ବେଶ୍ ମଜଭୁତ୍। ବାଂଲାଦେଶ ଓ ଆଫଗାନିସ୍ତାନ ଭଳି ଟିମ୍ କିଛି ବି କରିପାରନ୍ତି। ତେଣୁ ଆମକୁ ସତର୍କ ହୋଇ ଖେଳିବାକୁ ପଡ଼ିବ ବୋଲି ଶାସ୍ତ୍ରୀ କହିଛନ୍ତି।
ପାଖାପାଖି ଦେଢ଼ ମାସ ଧରି ହେବାକୁଥିବା ଏହି ମହାକୁମ୍ଭ ୧୪ ଜୁଲାଇରେ ଶେଷ ହେବ। ଭାରତ ତା’ର ଅଭିଯାନ ଜୁନ୍ ୫ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆରମ୍ଭ କରିବ। ରାଉଣ୍ଡ ରବିନ୍ ଆଧାରରେ ଖେଳାଯିବାକୁଥିବା ଫର୍ମାଟରେ ସମସ୍ତ ୧୦ଟି ଯାକ ଟିମ୍ ପରସ୍ପରକୁ ଥରେ ଲେଖାଏ ଭେଟିବେ। ଶୀର୍ଷ ଚାରି ଟିମ୍ ସେମିଫାଇନାଲରେ ସ୍ଥାନ ହାସଲ କରିବେ।
ଏହି ବିଶ୍ୱକପ ପାଇଁ ମଧ୍ୟ ପୁରସ୍କାର ରାଶିରେ ବୃଦ୍ଧି କରାଯାଇଛି। ବିଜେତା ଟିମକୁ ଟ୍ରଫି ସହ ପୁରସ୍କାର ରାଶି ବାବଦରେ ୨୮ କୋଟି, ୮ ଲକ୍ଷ ଏବଂ ୨୦ ହଜାର ଟଙ୍କା ପ୍ରଦାନ କରାଯିବ, ଯାହା ଆଇପିଏଲ-୨୦୧୯ ବିଜେତା ଟିମଠାରୁ ୮ କୋଟି ଟଙ୍କା ଅଧିକ। ରନର୍ସଅପ୍ ଟିମକୁ ୧୪ କୋଟି, ୩ ଲକ୍ଷ ଓ ୭୫ ହଜାର ଏବଂ ସେମିଫାଇନାଲିଷ୍ଟ ଟିମକୁ ୫ କୋଟି, ୬୧ ଲକ୍ଷ, ୮୦୦ ଟଙ୍କା ଦିଆଯିବ।
ବିଶ୍ୱକପ୍ ପାଇଁ ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ୍ ଶର୍ମା (ଉପଅଧିନାୟକ), ଶିଖର ଧୱନ୍, ଲୋକେଶ ରାହୁଲ, ମହେନ୍ଦ୍ର ସିଂହ ଧୋନି (ୱିକେଟକିପର), କେଦାର ଯାଦବ, ଦିନେଶ କାର୍ତ୍ତିକ, ୟୁଜବେନ୍ଦ୍ର ଚହଲ୍, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମ୍ରା, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ଶାମି, ରବୀନ୍ଦ୍ର ଜାଡେଜା।
from Odisha Reporter http://bit.ly/2HJdsnN
No comments:
Post a Comment