ଫୋନି ପରେ ‘ବଡ଼ପୁଅ’କୁ ହରାଇ ବେସାହାରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

ଫୋନି ପରେ ‘ବଡ଼ପୁଅ’କୁ ହରାଇ ବେସାହାରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୁଷ ପୁରୁଷ ଧରି ବଡ଼ପୁଅ ବୋଲି ପରିବାର ଲୋକେ ଯାହାକୁ ମାନୁଥିଲେ ଆଜି ତାକୁ ‘ଫୋନି’ ଛଡ଼ାଇ ନେଇଛି। ଫୋନି ପ୍ରଳୟର ୧୫ ଦିନ ପରେ ଘରର ଡେଙ୍ଗା ପୁଅକୁ ପୂରା ପରିବାର ଝୁରୁଛି। ଆମେ ଏଠାରେ କହୁଛୁ, ପୁରୀ ଜିଲ୍ଲାର ପ୍ରାୟ ୧ ଲକ୍ଷ ପରିବାରର କଥା, ଯେଉଁମାନେ ନଡ଼ିଆ ଚାଷକୁ ବେଉସା କରି ପରିବାର ଚଳାଉଥିଲେ। ହେଲେ ଫୋନି ନଡ଼ିଆ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। କେବଳ ନଡ଼ିଆ ନୁହେଁ, ଗୁଆ ଓ ପାନ ଚାଷ ବି ଫୋନି ମାଡ଼ରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି। ଫୋନି ପରେ ସାକ୍ଷୀଗୋପାଳ ଓ ଚନ୍ଦନପୁରରେ ଓଟିଭି ପହଞ୍ଚିଥିଲା। ଫୋନିର ୧୭ ଦିନ ପରେ ବି ଯୁଆଡ଼େ ଦେଖିଲେ ବି ଲମ୍ବା ଲମ୍ବା ନଡ଼ିଆ ଗଛ ତଳେ ଲୋଟିଥିବା ଦେଖିବାକୁ ମିଳିବ। ଗୋଟିଏ ଗୋଟିଏ ସ୍ଥାନରେ ଏକାଠି ୫ରୁ ୬ଟି ନଡ଼ିଆ ଗଛ ତଳେ ପଡ଼ିଛି। ଫୋନି ମାଡ଼ରେ ସବୁ କିଛି ଛାରଖାର ହୋଇଯାଇଛି।

ବୀରକେଶରପୁର ଗାଁର ନଡ଼ିଆ ଚାଷୀ ଶରତ ସାହୁଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ଅଣ୍ଟା ଭାଙ୍ଗି ମୋଡ଼ି ହୋଇ ପଡ଼ିଥିବା ନଡ଼ିଆ ଗଛ ଗୁଡ଼ିକ କେବେ ସଳଖ ହେବ ସେକଥା ଶରତଙ୍କ ପରିବାର ମଧ୍ୟ କହିପାରୁନାହାନ୍ତି। ୧୭ ଶହ ନଡ଼ିଆ ଗଛ ମଧ୍ୟରୁ ଫୋନି ମାଡ଼ରେ ୧୨ ଶହରୁ ଅଧିକ ଗଛ ଉପୁଡ଼ି ପଡ଼ିଛି। ଆଉ ଯେଉଁ ଗଛ ଗୁଡ଼ିକ ଠିଆ ହୋଇଛି ସେମାନଙ୍କ କନ୍ଦାକୁ ଫୋନି ମୋଡ଼ି ଦେଇଛି। ଏହି ନଡ଼ିଆ ବଗିଚାରୁ ଶରତଙ୍କ ପରିବାର ବର୍ଷକୁ ପ୍ରାୟ ୪ ଲକ୍ଷ ଟଙ୍କା ଆୟ କରୁଥିଲେ। ଏବେ ସେମାନେ କଣ କରିବେ, ତା’କୁ ନେଇ ପୂରା ପରିବାର ଚିନ୍ତାରେ ଅଛନ୍ତି। ଏହା କେବଳ ଶରତଙ୍କ ଭଳି ଜଣେ ମାତ୍ର ନଡ଼ିଆ ଚାଷୀଙ୍କ ଦୁଃଖ ନୁହେଁ, ଛୋଟ ବଡ଼ ସବୁ ନଡ଼ିଆ ଚାଷୀଙ୍କ ପାଇଁ ସତେ ଯେମିତି ଫୋନି କାଳ ହୋଇ ଆସିଥିଲା।

ପରମାନନ୍ଦପୁରର ଛୋଟ ନଡ଼ିଆ ଚାଷୀ ଲକ୍ଷ୍ମୀଧର ମିଶ୍ରଙ୍କ ୫୦ଟି ଗଛରୁ ପାଖାପାଖି ୪୦ଟି ଗଛକୁ ଫୋନି ଅଧାରୁ ଭାଙ୍ଗି ଦେଇଛି। ଜିଲ୍ଲାର ୧ଲକ୍ଷ ନଡ଼ିଆ ଚାଷୀଙ୍କ ଆର୍ଥି ମେରୁଦଣ୍ଡକୁ ଫୋନି ଭାଙ୍ଗି ଦେଇଛି। ସେହିପରି ପବନ ମାଡ଼ରେ ଝଡ଼ି ପଡିଥିବା ନଡ଼ିଆ ସବୁ ସେମିତି ପଡ଼ିରହିଛି। ଏଗୁଡ଼ିକ ବିକ୍ରି ହୋଇପାରୁ ନାହିଁ କି ବେପାରୀଙ୍କ ପାଖକୁ ଗଲେ ସେମାନେ ଶାଗ ମାଛ ଦରରେ କିଣୁଛନ୍ତି। ସାକ୍ଷୀଗୋପାଳର ନିୟନ୍ତ୍ରିତ ବଜାର କମିଟର ନଡ଼ିଆ ବଜାରରେ ପ୍ରତିଦିନ ଶହଶହ ଚାଷୀ ନଡ଼ିଆ ବିକ୍ରି କରନ୍ତି। ହେଲେ ଫୋନି ପରେ ଏଠି ଖାଁଖାଁ ପରିବେଶ।

ଅନ୍ୟପକ୍ଷରେ ପୁରୀର ରାସ୍ତା କଡ଼ରେ ପଇଡ଼ ବିକୁଥିବା ବ୍ୟବସାୟୀଙ୍କ ବେପାର ବି ମାନ୍ଦା। ଚାଷୀଙ୍କ ଗଛରେ ପଇଡ଼ ନାହିଁ। ସେହିପରି ବାତ୍ୟାରେ ଝଡ଼ି ପଡ଼ିଥିବା ଦର ଶୁଖିଲା ପଇଡ଼କୁ ପିଇବାକୁ ଲୋକେ ଆଗ୍ରହ ଦେଖାଉ ନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ନୂଆ ବର୍ଷରେ ପଇଡ଼ ପିଆଇଥିବା ଗଙ୍ଗାଧର ବିଶ୍ୱାଳଙ୍କ ଦୋକାନ ସହ ପୂରା ବ୍ୟବସାୟ ଉଜୁଡ଼ି ଯାଇଛି।

ଫୋନି ମାଡ଼ରେ ପୁରୀ ଜିଲ୍ଲାର ପାନ ଓ ଗୁଆ ଚାଷରେ ବି ବିପୁଳ କ୍ଷତି ହୋଇଛି। ଅନେକ ସ୍ଥାନରେ ପାନ ବରଜ ମାଟିରେ ମିଶିଯାଇଛି। କ୍ଷୟକ୍ଷତି ଆକଳନ ଲାଗି ସରକାରୀ ଟିମ ପହଞ୍ଚି ନଥିବାରୁ ଚାଷୀ ବରଜକୁ ସଳଖି ନାହାନ୍ତି।

ସରକାର ନଷ୍ଟ ହୋଇଥିବା ପ୍ରତି ନଡ଼ିଆ ଗଛ ପାଇଁ ପାଞ୍ଚଶହ ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ୨୫ଟି ଗଛ ପର୍ଯ୍ୟନ୍ତ ଏହି ସହାୟତା ମିଳିବ। କିନ୍ତୁ ବର୍ଷ ଯାକ ରୋଜଗାର କରୁଥିବା ‘ବଡ଼ପୁଅ’ ଗଲା ପରେ ସରକାରୀ ସହାୟତାରେ କେମିତି ସଂସାର ଚାଲିବ ତାକୁ ନେଇ ଏବେ ଚିନ୍ତାରେ ଚାଷୀ ପରିବାର।



from Odisha Reporter http://bit.ly/2Qe7NtC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages